Unknown

 

 

 

 

 

 

 

 

 

ବହୁରୂପ

ପଦ୍ମଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ସାହୁ

 

ସେ ଊନବିଂଶ ଶତାବ୍ଦୀର ଶେଷପଦର କଥା । ଓଡ଼ିଆର ସେ ଲୁଣ ପୋକ୍ତାନ ଯାଇଛି–ରେଳ ଲାଇନ ତିଆରି ହୋଇଛି । ଲୋକମାନଙ୍କର ଜାହାଜ ସବୁ ଅକାମି ହୋଇଛି ।

 

ଭାବନା ପଡ଼ିଛି କିପରି ପୁଣି ଉତ୍କଳର ଶୀରି ଫେରି ଆଣିବାକୁ ହେବ ।

 

କ୍ରମେ କ୍ରମେ ତାର ବନ୍ଦରଗୁଡ଼ିକ ଅବ୍ୟବହାର୍ଯ୍ୟ ହୋଇ ପଡ଼ିଛି । ତାର ନଦୀଗୁଡ଼ିକ ଆଉ ହସୁ ନାହିଁ । ଯେଉଁସବୁ ସୁଳୁପ ନୌକା ତିଆରି ହୋଇଥଲା ତାହା ବନ୍ଦ ହୋଇ ଯାଇଛି ।

 

ମଧୁପର ପିତା ବୈରାଗୀ ସେତେବେଳେ ବାଳକ । ସେହି ସମୟରେ ତାଙ୍କର ଭାଗ୍ୟର ବିପର୍ଯ୍ୟୟ ଘଟିଲା । କୋଠାଘର ତାଙ୍କର ନିଲାମ ହୋଇଗଲା–ରାତି ଗୋଟିକର ଚକ୍ରାନ୍ତରେ ।

 

ବୈରାଗୀ ଗୃହହୀନ । କିନ୍ତୁ ବାଲ୍ୟବିବାହ ଯୋଗୁ୍ଁ ଶାଳକ ଘରେ ରହି ଜୀବନ କଟାଇଲା । ବୈରାଗୀର ଶ୍ୱଶୁର ଆସ୍ତେ ଆସ୍ତେ ତାକୁ ଘର କରିଦେଲେ–ସାନ ଘର, ଚାଳଘର । ଜଗଜଝୁମ୍ପ ବୈରାଗୀର ସ୍ତ୍ରୀ । ସେ ସହଜରେ ଦାରିଦ୍ର୍ୟକୁ ବରଣ କରି ନେବାକୁ କୁଣ୍ଠିତ । ସେ ରଣଚଣ୍ଡୀ–ସଂଗ୍ରାମଶୀଳା । ତାର ଉଦ୍ୟୋଗ ପ୍ରଶଂସନୀୟ । ତାର ସଂଗ୍ରାମ ଆଦର୍ଶ–ହେବାର ଯୋଗ୍ୟ । ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ବୈରାଗୀ ଦୁଃଖ ମଧ୍ୟରେ ନିଜକୁ ଠେଲି ଉଠିବାକୁ ଲାଗଲେ । ଫଳରେ ତାଙ୍କର ବହୁ ସଂଗ୍ରାମ ପରେ, ସେ ଆସ୍ତେ ଆସ୍ତେ ଉଠିଲେ ।

 

ଜଗଜ୍‌ଝୁମ୍ପା କିନ୍ତୁ ପୁତ୍ର ମଧୁପକୁ ଯୋଗ୍ୟ କରିବା ପାଇଁ ସବୁବେଳେ ଉତ୍‌କଣ୍ଠିତା । ତାର ଫଳରେ ମଧୁପ ନାନା ବିଦ୍ୟା ଆହରଣ କଲା–ଅନେକ ବିପଦ ଅସୁବିଧା ଭିତର ଦେଇ ।

 

ବାଲ୍ୟକାଳରେ ବାଳକ ବାଳିକା ମେଳରେ ଖେଳ ଭିତର ଦେଇ ତାର ଜୀବନ ଗଲା–କିନ୍ତୁ ତାରି ଭତରେ ସେ ଯାହା କରୁଥିଲା ତାହା ଅନୁକରଣ କରିବାକୁ ଲାଗିଲା–ତାହା ପରୀକ୍ଷା କରିବାକୁ ଲାଗିଲା–କାହାକୁ ବିବାହ କରିବ, ଟିକିଏ ଗୁଡ଼ାଖୁ କିପରି ଖାଇବ ଏ ସବୁ ଦେଖି ଦେଖି କିଛି ବୁଝିପାରୁ ନ ଥିଲେ ମଧ୍ୟ ଆକାଙ୍‌କ୍ଷା ସଞ୍ଚୟ କରୁଥାଏ ।

 

ଫଳରେ ଟିକିଏ ଏ ଦିଗ ସେ ଦିଗରେ ଢଳିଲା ।

 

କିନ୍ତୁ ମଧୁପର ଜୀବନରେ ଧର୍ମ ପ୍ରବଳ ହୋଇ ଉଠିଲା । ସେ ମୋହମୁଦ୍‌ଗର ପାଠ କଲା–ସନ୍ୟାସୀ ହେବା ପାଇଁ ତାର ଇଚ୍ଛା । ସେ ଗଣେଶ, ଦୂର୍ଗା, କାର୍ତ୍ତିକ ଇତ୍ୟାଦି ପୂଜା କଲା–ଧାର୍ମିକ ହେବ, ଧର୍ମମୟ ଜୀବନ ଯାପନ କରିବ ବୋଲି ।

 

ମଧୁପ ପଢ଼ା ଛଡ଼ା ଆଉ ସବୁ ଶେଷରେ ଭୁଲିଗଲା । ଖାଲି ପଢ଼ିଲା–ପଢ଼ିଲା–ପଢ଼ିଲା ।

 

ଯାତ୍ରା, ପର୍ବ, ଥିଏଟର, କିଛିରେ ସେ ମନ ଦେଲା ନାହିଁ–କେବଳ ପଢ଼ା–ପଢ଼ା–ପଢ଼ା ।

 

ବ୍ରିଟିଶ ସରକାର ଯାଇଛି । କିନ୍ତୁ ସେ ମଦ, ଗଞ୍ଜେଇ ବିକ୍ରିୟର ବେଶ୍‍ ସୁବନ୍ଦୋବସ୍ତ କରେଇ ଦେଇ ଯାଇଛି । ଯେ ଇଚ୍ଛା କରିବ ମଦ ପଇସା ଦେଇ କିଣି ମାତାଲ ମଧ୍ୟ ହୋଇ ପାରିବ-

 

ଆଉ ତାର ଆନୁଷଙ୍ଗିକ ବେଶ୍ୟାଳୟ ମଧ୍ୟ ରହିଛି । ଗଞ୍ଜେଇ ଅଫିମର ମଧ୍ୟ ସୁବନ୍ଦୋବସ୍ତ ଅଛି । ଏଣେ ପୁଲିସ–କଚେରୀ ମୋକଦ୍ଦମା ନ୍ୟାୟ ବିଚାର ମଧ୍ୟ ରହିଛି ।

 

ଆଉ ଖାଇବାକୁ ତ୍ରିଫଳା–ସବୁ ଚତୁରତାର ସହିତ ଘେନି ଯାଇଛନ୍ତି ଆଉ Capitalist ସୃଷ୍ଟି କରି, ଗୁଡ଼ିଏ ମହାଜନ ଧନୀ ମହାଧନୀ ସୃଷ୍ଟି କରିଛନ୍ତି–ଏଣେ ଅସଂଖ୍ୟ ଲୋକ ଅର୍ଥାଭାବ ଯୋଗୁଁ ତ୍ରିଫଳା ଖାଉଛନ୍ତି–ଆଉ ସେମାନଙ୍କର ଶକ୍ତିର ଉନ୍ମେଷ ହୋଇପାରୁ ନାହିଁ ସେମାନେ ଲାଞ୍ଛିତ ହୋଇ ଯାଇଛନ୍ତି ।

 

୧୫୦।୨୦୦ ବର୍ଷର ବ୍ରିଟିଶ ଶାସନ ପରେ ୧୯୪୭ରେ ଭାରତ ସ୍ୱରାଜ୍ୟ ଲାଭ କରିଛି– ।

 

କିନ୍ତୁ ସ୍ୱରାଜ୍ୟର କର୍ତ୍ତାମାନଙ୍କ ଭିତରୁ ଅଧିକାଂଶ ସେହି ବ୍ରିଟିଶ ଭାବାପନ୍ନ ତେଣୁ ଦେଶରୁ ମଦ ଯାଇ ନାହିଁ–ଦେଶରୁ ବେଶ୍ୟା ଯାଇନାହିଁ । ବରଂ ବୃଦ୍ଧି ପାଇବାରେ ଲାଗିଛି । ବୈରଗୀ ଅବସ୍ଥାର ଜୀବ–ସୁତରାଂ ସେ ଭଲ ମଣିଷ ହେଲେ ମଧ୍ୟ ସୁରାର ପାଲ୍ଲରେ ପଡ଼ି ଜୀବନକୁ ହାବୁଡ଼ୁବୁରେ ପକାଇ ଶେଷରେ ଅମରଧାମକୁ ଚାଲି ଯାଇଛନ୍ତି ।

 

ଜଗଝୁମ୍ପା ମଧ୍ୟ ଆପଣାର ହୃତ ଗୌରବ ରକ୍ଷା କରି ଶେଷରେ ଚୌରର ଛୁରିକାରେ ପ୍ରାଣ ହରାଇଛି । ଆଜି ଆଉ ସେମାନଙ୍କର କଥା କହିବାର ପ୍ରୟୋଜନ କିଛି ନାହିଁ ।

 

ଆଜି ପ୍ରୟୋଜନ ଅଛି ମଧୁପର ଜୀବନ ଦେଖିବା–ବାଲ୍ୟ, ପୌଗଣ୍ଡ, ଯୌବନ, ପ୍ରୌଢ଼ତ୍ୱ, ଜରା ଭିତର ଦେଇ ମଧୁପ ଆଜି ଶ୍ମଶାନ ପାଖରେ ଉପସ୍ଥିତ । କିନ୍ତୁ ଅତୀତକୁ ଦୃଷ୍ଟି ପକାଇ ସେ ଭାବୁଛି ।

 

କାହିଁ ଗଲା ବାଲ୍ୟ, କାହିଁ ଗଲା ପୌଗଣ୍ଡ, କାହିଁ ଗଲା ଯୌବନ, କାହିଁ ଗଲା ପ୍ରୌଢ଼ତ୍ୱ–କାହୁଁ ଅଇଲା ଜରା–କାହିଁ ଯିବ ବହି ଏ ଜୀବନ ?

 

ଏହାରି ଭିତରେ ଏହି ଉପନ୍ୟାସର ରଚନା ।

ସାହେବକୁ ମାଡ଼–କ୍ଲବରେ କୁସ୍ତି କସରତ, ଦେଶାତ୍ମବୋଧ ବତ୍କୃତା–କାର୍ଯ୍ୟ–

 

ମଧୁପ ଏବେ ମତ୍ତଗୁଞ୍ଜରରେ ପରିଣତ ହେଲାଣି । ଦେଶାତ୍ମବୋଧ ତାହାର ପ୍ରାଣରେ ପଶିଛି । ଚାରିଆଡ଼େ ଚିତ୍‌କାର ଚାଲିଛି ବନ୍ଦେ ମାତରଂ । ସେ ବନ୍ଦେ ମାତରଂ ଦଳରେ ଯୋଗ ଦେଇଛି ।

 

ସେଥିପାଇଁ ସେ ଓ ତାହାର ବନ୍ଧୁମାନେ କୁସ୍ତି କସରତ ଖୁବ୍‍ ଶିଖୁଛନ୍ତି, ସାହେବଙ୍କ ସାଥିରେ ମୁକାବିଲା ଯେପରି କରି ପାରିବେ ।

 

ଦିନକର ଘଟଣା । ବାଲେଶ୍ୱରରେ ଚାନ୍ଦିପୁର ବୋଲି ଗୋଟିଏ ଜାଗାଅଛି । ସେଠାରେ ଭାରତବର୍ଷର ଲୁହାଗୁଳି ସବୁର କରାମତି କେତେ–କେତେଦୂର ସେମାନେ ଯାଇ ପାରନ୍ତି ତାହାର ପରୀକ୍ଷା ହୁଏ । ସେଥିପାଇଁ ସେଠାରେ ଗୋଟିଏ ଅଫିସ ଅଛି । ତାର ନାମ ପ୍ରୁଫ୍‍ ଅଫିସ । ସେହି ପ୍ରୁଫ୍‍ ଅଫିସର ସାହାବ ଦିନେ ଘୋଡ଼ାରେ ଟକାଟକ କରି ବଜାର ଭିତରେ ଦେଇ ଚାଲିଗଲା–ଶନିବାର ସେଦିନ, ହାଟକୁ ମଫସଲରୁ ଅନେକ ସ୍ତ୍ରୀଲୋକ ହାଣ୍ଡି ନେଇ ଆସିଛନ୍ତି । ଘୋଡ଼ାଟା ବୋଲ ମାନିଲା ନାହିଁ । ଫଳହେଲା ସେ ଘୋଡ଼ା ଅନେକ ସ୍ତ୍ରୀ ଲୋକଙ୍କୁ ଚକଟି ମକଟି ଦେଇଗଲା-। ମତ୍ତଗୁଞ୍ଜର ଏହାଦେଖି ବଡ଼ ଚଞ୍ଚଳ ହେଲା । ସେ ଆଉ ତାର ସାଙ୍ଗମାନେ ପରାମର୍ଶ କଲେ କିପରି ସାହେବକୁ ଜବ୍ଦ କରିବେ । ଦିନେ ସାହେବ ମୋଟରରେ ଆସୁଛି-। ମତ୍ତଗୁଞ୍ଜର ଆଉ ତାର ସାଥିମାନେ ସବୁ ଜଗିଲେ । ମହାପ୍ରକାଶ ନାମକ ବନ୍ଧୁ ହେଲେ ଲିଡର । ସେ ସଡ଼କ ମଝିରେ ଚାଲିଲେ । ଦୂରରୁ ହର୍ଣ୍ଣ ବାଜିଲା ରାସ୍ତାଛାଡ଼ । କିନ୍ତୁ ମହାପ୍ରକାଶ ବାଟ ଛାଡ଼ିଲା ନାହିଁ । ମତ୍ତଗୁଞ୍ଜର ଆଦି ସବୁ ଛକି କରି ଥାଉ । ଯେପରି ପାଖକୁ ପହଞ୍ଚିଗଲା ସାହେବ ଗାଳି ଦେବାକୁ ଆରମ୍ଭ କଲା । ସବୁ ଦଉଡ଼ି ଆସିଲୁ–ତାକୁ ଘେରିଗଲୁ–ଆଉ ଦେ ଦମାଦମ୍ ଦେ ଦମାଦମ୍ ମାଡ଼ ଦେଲୁଁ ।

 

ଫଳରେ ତହିଁଆରଦିନ ଏମାନେ ସବୁ କ୍ଲବରେ ଖେଳୁଛନ୍ତୁ ପୋଲିସ ଆସି ଘେରିଗଲେ ଏବଂ ସମସ୍ତଙ୍କୁ ଥାନାକୁ ନେଇଗଲେ ।

 

ଗୁରୁଜନମାନେ ମୁଚାଲିକା ଲେଖିଦେଇ ସେମାନଙ୍କୁ ଥାନାରୁ ନେଇ ଆସିଲେ ।

 

ସେ ସମୟରେ ସ୍ୱଦେଶୀ ଆନ୍ଦୋଳନ ଚାଲିଥିଲା । ଦିନେ ପରାମର୍ଶ ହେଲା–ମାରୱାଡ଼ିପଟିରୁ ବିଲାତୀ ଲୁଗା ସବୁ ଦୋକାନରୁ କୌଶଳରେ ନେଇ ତାକୁ ନର୍ଦ୍ଦମାରେ ପକାଇ ଦେବେ ।

 

ଦଳ ଗୋଟିଏ ଗୋଟିଏ ଭିନ୍ନ ଭିନ୍ନ ଦୋକାନରେ ପଶିଲେ । ଏ ଲୁଗା ସେ ଲୁଗା କେବଳ ଦେଖିଲେ–ଦର କଲେ ପରେ ସେପରି ସିଟି ବାଜିଲା ସମସ୍ତେ ଲୁଗାପଟା ନେଇ ପଳାଇଗଲେ ଆଉ ତାକୁ ନର୍ଦ୍ଦମାରେ ପକାଇ ଦେଇ ଛୁ କଲେ ।

 

ସେତେବେଳେ ଗୀତ ଚାଲିଥାଏ–ମାୟେରଦେୱା ମୋଟା କାପଡ଼, ମାଥାୟ ପରେ ନେରେ ଭାଇ ।

 

ଦିନେ ଚିନ୍ତାହରଣବାବୁ କଲିକତାରୁ ଆସିଲେ । ବାରବାଟୀ ସ୍କୁଲରେ ସଭାହେଲା । ଫକୀରମୋହନ ସେନାପତି ସଭାପତି ହେଲେ । ଦେଶସେବା କରିବାପାଇଁ କିଏ ବାହାରିବେ ସେହି ଚିନ୍ତାହରଣବାବୁ ପ୍ରଶ୍ନ କଲେ । ସମସ୍ତେ ଠିଆ ହୋଇଗଲେ ।

 

କିନ୍ତୁ ତା ପରେ ପରେ ସବୁ ବସିଗଲେ । ଚିନ୍ତାହରଣ କହିବାକୁ ଲାଗିଲେ–ଦେଶସେବା କରିବାକୁ ହେଲେ ଅନେକ ଦୁଃଖ ସହିବାକୁ ହେବ । ପୋଲିସ ଆସିବ–ତୁମକୁ ଧରି ନେଇଯିବ–ଜେଲରେ ପୁରେଇବ, ତୁମର ଭାତରେ ପାଉଁଶ ମାଟି ପକାଇବ–ଗୁଡ଼ି ପକାଇବ–ତୁମ ଛାତିରେ ଶିଳ ଲଦିବ–ତୁମ ଜିଭରେ କଣ୍ଟା ଫୋଡ଼ିବ-ପାରିବ ?

 

ଆସ୍ତେ ଆସ୍ତେ ସବୁ ବସିଗଲେ । ସେଦିନ ହେମ ନାମରେ ଜଣେ କେବଳ ପ୍ରତିଥର ଠିଆ ହେଲା ଏବଂ ଶେଷପର୍ଯ୍ୟନ୍ତ ଠିଆ ହେଲା । ସେହିଦିନ ତାର ମୁଣ୍ଡରେ ଜୟଟୀକା ।

 

ରକ୍ତ ଚନ୍ଦନର ଜୟଟୀକା ଦିଆଗଲା । ମତ୍ତଗୁଞ୍ଜର ଇତ୍ୟାଦି ସହରଯାକ ତାକୁ ନେଇ ଗୀତ ଗାଇ ବୁଲିଲେ । ଏଣେ ସ୍କୁଲପଢ଼ା ଚାଲିଥାଏ । ସ୍କୁଲରେ ମନିରୁଦ୍ଦିନ ବୋଲି ଗୋଟିଏ ମାଷ୍ଟର ଥାଏ । ସେ ଭଲ ପଢ଼ାଉଥାଏ ସତ, ମାତ୍ର ସେ ଚରିତ୍ରହୀନ ।

 

ଦିନେ ମତ୍ତଗୁଞ୍ଜର ଆଉ ତାର ବନ୍ଧୁମାନେ ତାକୁ ଧରି ତାକୁ ଖୁବ୍‍ ମାଡ଼ ଦେଲେ । ତାର କାରଣ ହେଉଛି ସେ ମାଷ୍ଟରଟି ଗ୍ରୀଷ୍ମାବକାଶରେ ପିଲାଙ୍କୁ ତାଙ୍କ ଘରକୁ ଡାକିନିଏ ଅଙ୍କ ଶିଖାଇବା ପାଇଁ–ଆଉ ସୁବିଧା ପାଇ ଜଣ ଜଣକର ଚରିତ୍ର ନଷ୍ଟ କରେ ।

 

ଏହିପରି ମତ୍ତଗୁଞ୍ଜର ପାଠ, ଖେଳ, ଦେଶାତ୍ମବୋଧ ଭିତର ଦେଇ ଏଣ୍ଟ୍ରାନ୍‌ସ ପାଶ୍ କଲା ।

 

ତା ସମ୍ମୁଖରେ ଆସିଲା ଆଉ ଏକ ବିପଦ । ମତ୍ତଗୁଞ୍ଜର ବିବାହିତ ଜୀବନ ପାଇଁ ପ୍ରସ୍ତୁତ ନୁହେଁ । କିନ୍ତୁ ତାର ହେବ ‘‘ବାସର ଘର ।’’ ସେ ବିବାହ ବେଦୀକୁ ଭାଙ୍ଗି ଚୁରମାର କରିଦେଲା ।

 

ଗୁରୁଜନମାନେ ଛି ଛି କଲେ–ପରେ ଜୋର ଜବରଦସ୍ତି ବାସଘରେ ପୁରାଇଲେ । ମତ୍ତଗୁଞ୍ଜର ଫେଁ ଫାଁ କରୁଥାଏ । ତାର ସାଥୀ ଅଭାଗିନୀ ନାରୀ ସ୍ଥିରା ବାସରଘରର କେଉଁ କୋଣରେ ଡରରେ ପଡ଼ିଥାଏ ।

 

ସେଦିନ ରାତ୍ରୀ ଏହିପରି ଫେଁ ଫାଁରେ ଗଲା–ପ୍ରଭାତ ହେଲା, ମତ୍ତଗୁଞ୍ଜର ଏଥର ଛୁ । ସ୍ତ୍ରୀଟି ଘରେ ପଡ଼ିରହିଲା ଏକାକିନୀ ।

 

ଦୁଇବର୍ଷ ଗଲା–ତିନିବର୍ଷ ଗଲା–ମତ୍ତଗୁଞ୍ଜର ଆଉ ଘରକୁ ଫେରେ ନାହିଁ–କାଶୀ, ମାନ୍ଦ୍ରାଜ ଏହିପରି ଘୁରି ବୁଲେ–ବୁଲିବୁଲି ଓଡ଼ିଶାର ଗାଁମାନଙ୍କୁ ଯାଇ ସବୁ ଦେଖି ଆସେ ।

 

ମତ୍ତଗୁଞ୍ଜର ଓଡ଼ିଶା ଛାଡ଼ିଲା ଗୋଟିଏ ବୃତ୍ତିପାଇ ଇଞ୍ଜିନିୟରିଂ କଲେଜରେ ପଢ଼ିଲା–କଲିକତା ଶିବପୁରରେ । ସେଠାରେ ଦୁଇବର୍ଷ କଟାଇଲା–କିନ୍ତୁ ଶେଷରେ ଅର୍ଥାଭାବ ଯୋଗୁଁ ଇଞ୍ଜିନିୟରିଂ କଲେଜ ଛାଡ଼ି ପଳେଇ ଆସିଲା ।

 

ଦିନକର ଘଟଣା ତାକୁ ଅସ୍ତବ୍ୟସ୍ତ କରି ପକାଇଲା ।

 

ଇଞ୍ଜିନିୟରିଂ କଲେଜର ଜଳଖିଆ ପୂଝାରି ଗୋଟିଏ ଲୁହା ଘୋଡ଼ଣି ଭିତରେ ଯେ କେତୋଟି ଅଂଶ କିଣୁଥାଏ ସେତକ ସେ ରଖିଦେଇ ଯାଏ–ଛାତ୍ରମାନେ କଲେଜରୁ ଆସି ନିଜ ନିଜର ଗୋଟାଏ ଦୁଇଟା ଅଂଶ ନେଇ ଖାଆନ୍ତି ।

 

ମତ୍ତଗୁଞ୍ଜର ପାଖରେ ପଇସା ନାହିଁ । ସୁତରାଂ ତାହାର ଅଂଶ ନାହିଁ । ସେ ଇଞ୍ଜିନିୟରିଂ କଲେଜରୁ ଉପରଓଳି କାଠକାମ ଲୁହାକାମ କରିସାରି ଆସି କଳରୁ କେବଳ ଆଞ୍ଜୁଳା ଆଞ୍ଜୁଳା ପାଣି ପିଏ ।

 

ଶନିବାର ହେଲେ ଅନେକ ପିଲା କଲିକତା ପଳାନ୍ତି । ସେମାନଙ୍କ ଜଳଖିଆ ପଡ଼ି ରହିଥାଏ । ତାକୁ ଅନ୍ୟମାନେ ସେଦିନ ସୁବିଧା ନେଇ ଖାଇ ଦିଅନ୍ତି ।

 

ମତ୍ତଗୁଞ୍ଜର ଏହା ଦେଖୁଥାଏ କିନ୍ତୁ କେବେ ଛୁଏଁ ନାହିଁ । ଦିନେ ଭାରି ଭୋକ–ଏଣେ ଭୋକ ଦେଖି ଦେଖି ନିଜର ଦୃଢ଼ପଣ ମଧ୍ୟ ଟିକିଏ ଢିଲା ପଡ଼ିଛି–ସେଦିନ ସେ ଦେଖିଲା ଶନିବାର, ଅନେକ ଜଳଖିଆ ପୁରୀ ଆଉ ତରକାରୀ ଲୁହା ଥାଳିରେ ସେହିପରି ପଡ଼ି ରହିଛି–ସେ ଦୁଇ ତିନିଟା ଅଂଶ ଆଣି ଖାଇ ଦେଲା–ତା ପରେ ପାଣି ପିଇଲା–ପରେ ପରେ ଯାର ଅଂଶ ସେମାନେ ଆସିଲେ, ହଲ୍ୱା ଥାଳିରେ ତାଙ୍କର ଅଂଶ ନ ପାଇ ଗାଳି ଦେଲେ–ସେ ଗାଳି ଶୁଣି ଶୁଣି ମତ୍ତଗୁଞ୍ଜର ମନେ ମନେ ଭାବିଲା–କି କଲି ମୁହିଁ । ଆତ୍ମହତ୍ୟା କରିବା ପାଇଁ Botanical gardenକୁ ଗଲା–କିନ୍ତୁ ପାରିଲା ନାହିଁ–ସେଠୁ ସେଦିନ ରାତିରେ ବନ୍ଧୁ ପାଖରୁ ପଇସା ଧାର କରି ବାଲେଶ୍ୱରକୁ ଘରକୁ ପଳାଇଲା ।

 

ଫଳ ହେଲା ଇଞ୍ଜିନିୟରିଂ ପଢ଼ାବନ୍ଦ ।

ତା ପରେ ମତ୍ତଗୁଞ୍ଜର କଟକରେ ମାଷ୍ଟରି କଲା–ଚାରିବର୍ଷ ରହିଗଲା ।

ଘରେ ସ୍ଥିରା, ସ୍ଥିରାର ଆଉ ତାର ଦେଖା ନାହିଁ । କିନ୍ତୁ ଇଞ୍ଜିନିଆରି ପଢୁଥିଲାବେଳେ ମତ୍ତଗୁଞ୍ଜର ଦିନେ କଲିକତାରୁ ଫେରୁଛି–ବାଟରେ ପ୍ରଲୋଭନ, ବେଶ୍ୟାମାନେ ସଡ଼କ ପର୍ଯ୍ୟନ୍ତ ଆସି ଲୋକଙ୍କୁ ଆକର୍ଷଣ କରୁଛନ୍ତି–ଜହ୍ନ ରାତି–ମତ୍ତଗୁଞ୍ଜର ପ୍ରଲୋଭିତ ହେଲା–ପିଣ୍ଡାକୁ ଉଠିଲା ଘର ଭିତରକୁ ଗଲା–ଖଟ ଉପରେ ବସିଲା ।

ନୀବୀ ବନ୍ଧନ ଫିଟାଇବାକୁ ଯାଉଛି-ଏଣେ ଏକ କଦର୍ଯ୍ୟ ପୁରୁଷ ଆସି ଦେଖାଦେଲା–କହିଲା ଏହି ତୁମର ପାଠପଢ଼ା । କାନ ମୁଣ୍ଡ ଆଉଁସି ତତ୍‌କ୍ଷଣାତ୍‌ ମତ୍ତଗୁଞ୍ଜର ବେଶ୍ୟାଳୟ ଛାଡ଼ି ସିଧା ସରପଟ ଦ୍ରୁତଗତିରେ ଇଞ୍ଜିନିଆରି କଲେଜ ଆଡ଼କୁ ନାନା ଚିନ୍ତା କରି ଫେରିଲା ।

ଏହି ହେଲା ଯୌବନର ବିକଳତା । ଏଣେ ଦେଶକୁ ଫେରି ସଂଗ୍ରାମରେ ସ୍କୁଲ ମାଷ୍ଟର ହେଲାବେଳେ ମତ୍ତଗୁଞ୍ଜରର ମାତା ଜଗଝୁମ୍ପା ଥର ଥର ଚାରିଥର ଚେଷ୍ଟାକଲା ସ୍ଥିରାକୁ ତା ପାଖରେ ଛାଡ଼ିବ, କିନ୍ତୁ ପାରିନାହିଁ ।

ମତ୍ତଗୁଞ୍ଜର କଟକରେ ଇନ୍‌ଟାର ମିଡ଼ିଏଟ ପଢ଼ିଲାବେଳେ ସୌଦାମିନି ତାକୁ ବହୁ ପ୍ରଲୋଭନ ଦେଖାଇ ସ୍ୱାର୍ଥତ୍ୟାଗ କରି ଦିନେ ଝଟିକାମୟ ରାତ୍ରିରେ ପ୍ରଳୟରେ ପଳାଇଲା–ସେ ପ୍ରଳୟ ସେ ଝଞ୍ଜା ତାର ଭୁଲିବାର ନୁହେଁ ।

ସୌଦାମିନୀ ଭଦ୍ରଘରର ଝିଅ-ବୋହୁ ହୋଇଛି–ସ୍ୱାମୀ ସହିତ ତାର ସେପରି ମନ ମାନେ ନାହିଁ–ସେ ମୁସଲମାନ ଟୋକାଙ୍କ ସାଙ୍ଗରେ ଚପଳତା କରିଛି–ତଥାପି ସୌଦାମିନିର ଗୁଣ ଅଛି–ସେ କିଛି ଏକାବେଳକେ ହୀନା ସ୍ତ୍ରୀ ନୁହେଁ–ଦିନକର ଘଟନା । ସୌଦାମିନୀ ରାତିରେ କେଉଁ ମୁସଲମାନ ସାଙ୍ଗରେ ଘର ଛାଡ଼ି ପଳାଇଛି ।

ଯେ ପଳାଇଛି ଆଜି ପର୍ଯ୍ୟନ୍ତ ସୌଦାମିନୀର ଦେଖାନାହିଁ । କଲିକତାର ସୁରେନ୍ଦ୍ରନାଥ ବାନର୍ଜି ଷ୍ଟ୍ରାଟରେ ସେ ରହି ଜୀବନ କଟାଇଛି–ଆଜି ବଞ୍ଚିଛି କି ନାହିଁ–ତା ମଧ୍ୟ ଜଣାନାହିଁ ।

ମତ୍ତଗୁଞ୍ଜର ମାଷ୍ଟରୀ କଲା–ସେ ଜୀବନ ଦୋଳାରେ ପଡ଼ିଛି । ସ୍ଥିରା ଏବେ ତା ପାଖରେ-। ମତ୍ତଗୁଞ୍ଜର ବୁଦ୍ଧଦେବର ଜୀବନ ଆଲୋଚନା କରେ । ସ୍କୁଲ-ସ୍କୁଲରୁ ଟିଉସନ, ଟିଉସନରୁ ଘରକୁ ଫେରୁ ଫେରୁ ରାତି ୧୦ଟା–ତାପରେ ବୁଦ୍ଧଦେବ ଚିନ୍ତା-ସୁତରାଂ ସ୍ଥିରାର ଆଉ ତାର ଏକ ସଙ୍ଗରେ ଶୁଆ ବସାର ସୁଯୋଗ ନାହିଁ–ମତ୍ତଗୁଞ୍ଜର ମନ ସନ୍ୟାସ ଆଡ଼କୁ–ସ୍ଥିରା ସେପରି ଥାଏ–ଇତିମଧ୍ୟରେ ଚାରିବର୍ଷ ଚାଲିଗଲା–ସ୍ଥିରା ଗର୍ଭବତୀ–

ତା’ ପରେ ମତ୍ତଗୁଞ୍ଜରର ଚାରିବର୍ଷ ଆଉ ଦେଖାନାହିଁ ।

ସେ ଦେଶସେବା ବ୍ରତରେ ଆଜି ହିମାଳୟରେ–କାଲି ମୋଚି ସାହିରେ, ଗୁଜୁରାତରେ ବୁଲୁଛି–

ଦିନେ ହିମାଳୟରେ ବୁଲୁ ବୁଲୁ ଗୋଟିଏ ପାହାଡ଼ ଉପରେ ମତ୍ତକାଶିନୀ ଜାଙ୍ଗଳିକା ଯୁବତୀର ଦର୍ଶନ ପାଇଲା–ମତ୍ତ ଭ୍ରମର ପରି ସେ ଚଞ୍ଚଳ ହେଲା–କିନ୍ତୁ ପାଖକୁ ଯାଉଁ ଯାଉ–ମତ୍ତକାଶିନୀର ଆପଣାର ଲୋକ ପହଞ୍ଚିଗଲା–ମତ୍ତଗୁଞ୍ଜର ନିରାଶ ହୋଇ ଫରିଲା ।

ଚାରିଆଡ଼େ ପାହାଡ଼–ହିମାଳୟ ତାର ନାମ–ସେ ତ ପାହାଡ଼, ଗିରିର ରାଜା–ସେହିଠାରେ ତ ହିମାଳୟ ସୁତା ପାର୍ବତୀ–ଏହି ପାର୍ବତୀର ଦେଖାହେଲା ସେହି ମତ୍ତକାଶିନୀର–ମହାଦେବ ସମ ଏହି ମତ୍ତଗୁଞ୍ଜର ତପସ୍ୟାରେ ନିମଗ୍ନ ଆଉ ଚଞ୍ଚଳ ହୋଇ ଉଠିଥିଲା–

 

ଏଣେ ଦେଶରେ ରାଜନୀତିର ହାୱା ବଦଳିଗଲା । ମହାତ୍ମାଗାନ୍ଧି ଅସହଯୋଗ ଆନ୍ଦୋଳନ ଆରମ୍ଭ କଲେ । ଏଡ଼େବଡ଼ ଝଡ଼ ଝଞ୍ଜା ଆସିଲା–କିନ୍ତୁ ମତ୍ତଗୁଞ୍ଜର ଆଜି ସ୍ଥିର । ଠିକ ସ୍ଥିର ନୁହେଁ–ସେ ଚଞ୍ଚଳ ମାତ୍ର ତାର ଗୁରୁଜନମାନେ ତାକୁ ସେହି ଅସହଯୋଗ ଆନ୍ଦୋଳନରେ ଯୋଗ ଦେବାକୁ ଅନୁମତି ଦେଇ ନାହାନ୍ତି–ସେ ମନେ ମନେ ଅସନ୍ତୁଷ୍ଟ–ଦୁଃଖିତ କିନ୍ତୁ ଉପାୟ ନାହିଁ–ପ୍ରତିଜ୍ଞା କରିଛି–ବ୍ରତକରିଛି–ଆଉ ୧୦ଜଣ ଯେଉଁମାନେ ଅଛନ୍ତି ତାଙ୍କରି ସାଙ୍ଗରେ ସେ ଆଜୀବନ ଦେଶସେବା କରିବ । ସୁତରାଂ ଜେଲ ଯିବାରୁ ବଞ୍ଚିତ ହୋଇ ମତ୍ତଗୁଞ୍ଜର ଦେଶର ନାନା କାମରେ ବ୍ୟସ୍ତ ।

 

ସ୍କୁଲ କରିବା, ଡାକ୍ତରଖାନା ଖୋଲିବା–ରୋଗୀର ସେବା କରିବା, ଖବର କାଗଜ ଲେଖି ବାହାର କରିବା, ନାନା ପୁସ୍ତକ ପୁସ୍ତିକା ଲେଖିବା–ନଈବଢ଼ି-ଦୁର୍ଭିକ୍ଷ ଇତ୍ୟାଦିରେ କାର୍ଯ୍ୟ କରିବା–ଏହିଥିରେ ସେ ଆପଣାକୁ ଭସାଇ ଦେଇଛି–ବୁଡ଼ାଇ ଦେଇଛି ।

 

ମତ୍ତଗୁଞ୍ଜର ଏକାକୀ–ସ୍ଥିରା ଘରେ–ସ୍ଥିରାକୁ ସେ ଏବେ ଚାହେଁ–କିନ୍ତୁ ସ୍ଥିରା ଆସିପାରୁ ନାହିଁ–ଘରେ କି କି ଅସୁବିଧା ଅଛି ଏଣେ ଶରୀରର ଦାବୀକୁ ସେ ଜବଦ କରି ରଖିଛି–ମାତ୍ର ଦୁଇଟି ଭିକାରୁଣୀ ଆସି ଆଶ୍ରୟ ନେଲେ ତା ପାଖରେ ।

 

ଆସ୍ତେ ଆସ୍ତେ ସେମାନେ ତାକୁ ପ୍ରଲୁବ୍‌ଧ କରିବାକୁ ଚେଷ୍ଟା କଲେ । ଦିନେ ମତ୍ତଗୁଞ୍ଜର ଦିପହରେ ଶୋଇଛି–ବିଛଣାରୁ ଉଠି ଦେଖେତ ମଲିଫୁଲ ପଡ଼ିଛି–ବସନ୍ତ-ଯୌବନ-ସ୍ତ୍ରୀ-ଏବଂ ଚକ୍ରାନ୍ତ ।

 

ମତ୍ତଗୁଞ୍ଜର ଚଞ୍ଚଳ ହେଲା–ବାରେ ମାତ୍ର ଚଞ୍ଚଳ–ଏବଂ ସେଥିରେ ବିଶ୍ୱାମିତ୍ର ମେନକାର ସଂଯୋଗ ପରି ପତନ–ବିଶ୍ୱାମିତ୍ରର ଅପମାନ–ସେ ଦେଖିପାରେ ନାହିଁ–ଭାବିପାରେ ନାହିଁ–ଏ ଜୀବନ କ’ଣ ହେଲା–ଏ ଜୀବନ କୁଆଡ଼େ ଗଲା–ଭାସିଗଲା ତାର ଅନନ୍ତ ନରକର ପଥରେ–କିନ୍ତୁ ତାହାତ ନୁହେଁ–ସୌଦାମିନୀ ଯାଇଛି, ଭିକାରୁଣୀ ଆସିଛି–ପଥ ଓଗାଳିଛି ।

 

ଈଶ୍ୱର କେଉଁଠାରେ ? ଯା–ଯା ଯାଇଛି, ଯାଇଛି ମତ୍ତଗୁଞ୍ଜର ଜୀବନରେ କିନ୍ତୁ ମତ୍ତଗୁଞ୍ଜର ଏଣେ ସଭା ସମିତି–ଲାଇବ୍ରେରୀ ଖବରକାଗଜ–ବତ୍କୃତା ଦେଶସେବା ସବୁଥିରେ ଆପଣାକୁ ତନ୍ମୟ କରି ରଖିଛି ।

 

ଏହି ସଂସାରତ ନନ୍ଦନକାନନ । ଏଥିରେ ବିଷ ଥିଲେ ମଧ୍ୟ ଅମୃତ ଅଛି–ମହାଶୋକ ଦୁଃଖ ଥିଲେ ମଧ୍ୟ ଆନନ୍ଦ ହର୍ଷର ଏବଂ ଅନ୍ତର ସ୍ପର୍ଶର ଅନେକ ନିବିଡ଼ ମଧୁର କଥା ଅଛି–ସେଥିପାଇଁ ସଂସାର ଏତେ ସୁନ୍ଦର–ଏହି ବ୍ୟାଧିଗ୍ରସ୍ତ ଶରୀର-ମହାକଷ୍ଟ-ନାନା ରୋଗ ଯନ୍ତ୍ରଣା–ତାରି ଭିତରେ ଅମୃତର ସନ୍ତାନ ଅମୃତ ପାଏ ମଧ୍ୟ–କିନ୍ତୁ ସବୁ ସମୟରେ ନୁହେଁ–ଜହ୍ନରାତି ସବୁବେଳେ ହୁଏନାହିଁ–ଅନ୍ଧାର ଘେରିଥାଏ ତାକୁ–ମତ୍ତଗୁଞ୍ଜର ଜୀବନର ପ୍ରାକ୍‍କାଳରେ ସଙ୍ଗୀତ ଥିଏଟେର ଦିନେ ଦେଖିନାହିଁ–କିନ୍ତୁ ଏବେ ପରିବର୍ତ୍ତନ ଆସିଲା–ମତ୍ତଗୁଞ୍ଜର ଏବେ ଆଉ ଯୁବକ ନୁହେଁ–ଯୌବନ ପରି ପ୍ରୌଢ଼ତ୍ୱରେ ପଶୁଛି ।

 

ଏହି ସମୟରେ ଗୋଟାଏ ବାଳକର କଣ୍ଠରୁ ସଙ୍ଗୀତ ଉଠିଲା–‘‘ସଖି କାହିଁ ରଖିବି ଏ ନେତ୍ର,’’ ସେ ମୁଗ୍‌ଧ ହେଲା ।

 

ଦେଖୁଁ ଦେଖୁଁ ଆଉ ଏକ ବାଳକ କଣ୍ଠରୁ ଶୁଣିଲା ‘‘ଭଙ୍ଗା ମୋର ଡଙ୍ଗା ଖଣ୍ଡିକ ଯାଉଛି ଭାସି–’’ ମତ୍ତଗୁଞ୍ଜର ଚଞ୍ଚଳ ହେଲା–ବସନ୍ତରେ ନବ ପଲ୍ଲବର ସନ୍ଧାନ ପାଇଲା–ତାର ଜୀବନରେ ଅଥୟ ହେଲା ସେ ।

 

ଏଥର ନାରୀ ନୁହେଁ ବାଳକ ତାକୁ ଚଞ୍ଚଳ କରିଛି–ସେ ସଙ୍ଗୀତରେ ଆପଣାକୁ ବୁଡ଼ାଇ ଦେବାକୁ ଚାହେଁ–ସୁତରାଂ ମତ୍ତଗୁଞ୍ଜର ସଂଗୀତ ସମ୍ମିଳନୀ କଲା–ଆନନ୍ଦ ଲୁଟିଲା–ଅନ୍ୟ ଅସଂଖ୍ୟକୁ ସେ ଆନନ୍ଦ ଲୁଟାଇଲା–ବଢ଼ି ପାରିଲା ।

 

ଦେଖିଲା କେବଳ ଜଣକୁ–ଯାର ହାତ ଧରିଛି–ଯା ସାଙ୍ଗରେ ସେ ସଂସାର କରିବ–

ଏତେ ସ୍ଥିର–ସଂସାରରେ ଅତି ଅଳ୍ପ ଦେଖାଯାନ୍ତି ।

 

ଯୌବନର ପଥରେ, ପ୍ରୌଢ଼ତ୍ୱର ପଥରେ, ବାର୍ଦ୍ଧକ୍ୟର ପଥରେ, ଏପରି ଶିଶୁ କାଳର ସରଳ ଚାଞ୍ଚଲ୍ୟରେ ମଧ୍ୟ ସ୍ଥିର ସ୍ଥିରା । କର୍ତ୍ତବ୍ୟ ପରୟଣା–ପରିଶ୍ରମୀ–ସେବା ପରାୟଣା–ଅପର ହୃଦୟକୁ ଚିହ୍ନେ, ସମସ୍ତଙ୍କୁ ଖାଇବାକୁ ଦେବାକୁ ଚାହେଁ–ନିଜେ କିଛି ଖାଏ ନାହିଁ-ଖାଇପାରେ ନାହିଁ ମଧ୍ୟ-କଲିକ୍‌, ପେଟ କାମୁଡ଼ା ।

 

ସ୍ଥିରାର ଏକମାତ୍ର କନ୍ୟା–ସେ ମଧ୍ୟ ଅଭାଗିନୀ, ପରି ତାର ପ୍ରଥମ ସ୍ୱାମୀ ମଲା–ଦ୍ୱିତୀୟ ସ୍ୱାମୀ କଲା ।

 

ସନ୍ତାନ ସନ୍ତତି ଛ ଟି–

 

ଆଜି ସ୍ଥିରା ଆଉ ତାର କନ୍ୟା ଏହି ପିଲାପିଲିଙ୍କୁ ଘେନି ଆଉ ମତ୍ତଗୁଞ୍ଜରକୁ ଘେନି ଘର କରୁଛନ୍ତି ।

 

ମତ୍ତଗୁଞ୍ଜର ଦିନେ ମେମ ବିବାହ କରିବ ବୋଲି ଇଚ୍ଛା ପ୍ରକାଶ କରିଥିଲା ।

 

ସ୍ୱପ୍ନରେ ଯୌବନର ସେ ମେମର ଦେଖାହେଲା । ତାପରେ ତାର ମୃତ୍ୟୁ ସ୍ୱପ୍ନ ରାଜ୍ୟରେ–ସେହିଦିନୁ ସେ ପ୍ରେମର ଦେଖାନାହିଁ । ମତ୍ତଗୁଞ୍ଜର ଆମେରିକା ଯିବାର ସୁବିଧା ପାଇଲା, ଯାଇନାହିଁ । ସମଗ୍ର ପୃଥିବୀ ବୁଲିବାର ସୁବିଧା ପାଇଲା, କିନ୍ତୁ ସେ ସୁବିଧା ନେଲା ନାହିଁ, ଜାପାନ ଯିବାର ସୁବିଧା ଆସିଲା କିନ୍ତୁ ଗଲା ନାହିଁ ।
 

 

ମତ୍ତଗୁଞ୍ଜର ଜୀବନରେ ଏହି ସବୁ ହେଉଁ ହେଉଁ ରହିଗଲା, କାହିଁକି ରହିଗଲା କହି ହେଉନାହିଁ, ଭାଗ୍ୟ କରେଇ ଦେଲା ନାହିଁ, କିନ୍ତୁ ଭାଗ୍ୟୋଦୟ ହେଉଁ ହେଉଁ ଏପରି କାହିଁକି ହେଲା, ତାହା ମଧ୍ୟ ଠିକ୍‌ ବୁଝି ହେଉ ନାହିଁ ।

 

ମତ୍ତଗୁଞ୍ଜର ଏମ୍‌ ଏ ପାଶ୍‍କରି ସେ ଆହୁରି ପଢ଼ିଲା, ଆହୁରି ଏମ୍‌ ଏ ପାଶ୍‍କଲା, ଆହୁରି ପାଶ୍‍କଲା, ଏଟା ସେଟା କେତେ କଣ ପାଶ୍‍କଲା, କେତେ ବହି ଲେଖିଲା, କଲମ ତାର ଥମି ନାହିଁ, ବାର୍ଦ୍ଧକ୍ୟ ଆସି ଝାଙ୍କୁଛି, ତଥାପି ସେ ସେହି ମତ୍ତକୁଞ୍ଜର ପରି ଚାଲିଛି । ଥରେ ଥରେ ଧଇଁ ସଇଁ ହୋଇ ଯାଉଛି, କିନ୍ତୁ ତଥାପି ଜ୍ଞାନର ପିପାସା ତୁଟି ନାହିଁ, ଧର୍ମର ପିପାସା ତୁଟିନାହିଁ, ଭକ୍ତିର ପିପାସା ତୁଟି ନାହିଁ ।

 

ଏଣେ ନୂତନ ଜଗତ୍‌, ପୁଣି ଘୁରି ଘୁରି ଆସୁଛି, ମାତ୍ର ନୂତନ ଦେଖା ଯାଉଛି, ତାର ନାତି, ନାତୁଣୀର ବାହାଘର, ସେମାନଙ୍କର ଜୀବନ ଯୌବନ ଆରମ୍ଭ । ସେମାନଙ୍କର ଲୀଳା ମତ୍ତଗୁଞ୍ଜରକୁ ମୁଗ୍‌ଧ କରୁଛି ଟିକିଏ ଟିକିଏ, ଆନମନା କରୁଛି ଟିକିଏ ଟିକିଏ ।

 

ମତ୍ତଗୁଞ୍ଜରର ଜୀବନରେ crisis ଆସିଛି କିନ୍ତୁ ସେତ ବଡ଼ crisis ନୁହେଁ–ପାପର ଝଂଝା ନାହିଁ–ପୁଣ୍ୟର ଆଲୋକ ଭିତର ଦେଇ ସେ ଚାଲିଛି–ତେବେ ସମୟ ସମୟରେ...

 

ଥରେ ଥରେ ବଉଦ ଆସିଛି–ଝଡ଼ ଆସିଛି–ପ୍ରଳୟ ରାତି ଯାଇଛି–ଏତ ସାମାନ୍ୟ କଥା–ତେବେ ସ୍ଥିରା ସ୍ଥିରା–ଧ୍ରୁବତାରା ।

 

ସ୍ଥିରା ତାର ସ୍ୱାମୀ ମତ୍ତଗୁଞ୍ଜରକୁ ରକ୍ଷା କରିଛି ଥରେ ଯୌବନୀ ହସ୍ତରୁ ।

ଯୌବନୀ ଅକସ୍ମାତ୍‌ ଆସି ପହଞ୍ଚିଲା ସ୍ଥିରା ଘରେ-ମତ୍ତଗୁଞ୍ଜରକୁ ଖୋଜି– ।

 

ସେ ନାମ ଶୁଣିଥିଲା ମତ୍ତଗୁଞ୍ଜରର । ଯୌବନୀକୁ କୌଣସି ଦୁର୍ବୃତ୍ତ–ପାଠୁଆ ଦୁର୍ବୃତ୍ତ ଜୟପୁରରୁ ଆଣିଥିଲା । କଟକର ସେଲଟାରରେ ରଖାଇଛି କିନ୍ତୁ ଯୌବନୀ ସେଠାରେ ରହିବାକୁ ଅନିଚ୍ଛୁକ । ସୁତରାଂ ଦୁଇ ଦିନ ପରେ ସେ ସେଠାରୁ ବାହାରି ଆସି ମତ୍ତଗୁଞ୍ଜରର ଘରେ ହାଜର ।

 

ହଠାତ୍‌ ଯିବ କୁଆଡ଼େ–ତାକୁ ରଖାଯିବ କେଉଁଠି । ସୁତରାଂ ଯୌବନୀ ରହିଲା ସ୍ଥିରାର ଘରେ । ଦୁଇ ଚାରି ଦିନ ରହିଛି ମତ୍ତଗୁଞ୍ଜର ଯୌବନୀକୁ ସହାନୁଭୂତି କରିବାକୁ ଯାଇଛି । ରାତିରେ ସ୍ଥିରା ମତ୍ତଗୁଞ୍ଜରର ହାବଭାବ ଲକ୍ଷ କରୁଛି । ଦିନେ ଦୁଇ ଦିନ ଯାଇଛି ।

 

ଦିନେ ମତ୍ତଗୁଞ୍ଜର ସ୍ଥିରାକୁ ଛାଡ଼ି ଯୌବନୀ ଯେଉଁଠାରେ ଶୋଇଛି ସେଇଠି ଉପସ୍ଥିତ । ସ୍ଥିରା ଲକ୍ଷ୍ୟ କରିଛି କିନ୍ତୁ କିଛି କହୁ ନାହିଁ । ସେ ଛକି ଛକି ରହିଛି, ଦେଖିବ, ମତ୍ତଗୁଞ୍ଜର କଣ କରେ-। ଯେତେବେଳେ ଦେଖିଲା ଯେ ମତ୍ତଗୁଞ୍ଜର ଆସ୍ତେ ଆସ୍ତେ ଯୌବନୀ ପାଖରେ ହାଜର ଏବଂ କେତେକ୍ଷଣ ରହିଛି, ସେତେବଳେ ସ୍ଥିରା ଦଉଡ଼ି ଆସିଲା, ବୀରା ପରି ଚୀତ୍‌କାର କଲା, ଧିକ୍‌କାର କଲା ବଡ଼ ପାଟିରେ ମତ୍ତଗୁଞ୍ଜରକୁ ।

 

ଚୁପ୍‌ ଚୁପ୍‌ କିନ୍ତୁ କିଏ ଶୁଣେ ? ଯାହାହେଉ ସକାଳ ହେଲା, ଯୌବନୀକୁ ବିଦାୟ କରାଗଲା, ବାଲେଶ୍ୱରର ବିଧବାଶ୍ରମକୁ, ସେଠାରୁ ସେ ବିଦାୟ ହୋଇ ମୟୁରଭଞ୍ଜ ଚାଲିଗଲା । ଘରଦ୍ୱାର କରି ରହିଛି, ପିଲା ପିଲି ହୋଇଛି ।

 

ଏଣେ ଯେଉଁ ଦୁର୍ବୃତ୍ତ ତାକୁ ଜୟପୁରରୁ ଆଣି ସେଲଟାର ଛାଡ଼ି ଥିଲା, ତାର ଜୀବନ ଅତି କଦର୍ଯ୍ୟ, ତାର ୩ । ୩ଟା ପିଲା ଥିଲେ ମଧ୍ୟ, ସେ ସବୁବେଳେ ଭ୍ରସଳ । ସବୁବେଳେ ଦାରୁ ଓ ନାରୀର ମୋହରେ ଇତସ୍ତତଃ ଧାବିତ । ତାର ଜୀବନରେ ସ୍ଥିରତା ଆସିନାହିଁ । ସେ ଅନେକ କଦର୍ଯ୍ୟତା ଭିତରେ ଗତିକରି ଶେଷରେ କଂଗ୍ରେସ ଗଭର୍ଣ୍ଣମେଣ୍ଟରେ ସିଭିଲସପ୍ଳାଇ ଅଫିସର ହେଲା–ଆଉ ଅନେକ ଟଙ୍କା ଖାଇ ଧରା ପଡ଼ିବାରୁ ଜେଲରେ ସଢ଼ୁଛି– ।

 

ସ୍ଥିରା ଦିଲ୍ଲୀରେ ମତ୍ତଗୁଞ୍ଜର ସଙ୍ଗରେ–Constituent ଏସେମ୍ବ୍ଲି ଚାଲିଛି । ମତ୍ତଗୁଞ୍ଜର ସେଥିରେ ମେମ୍ୱର–ସେହିଠାରେ ଆଉ ଏକ ମେମ୍ୱର ବିଚରା ଭଲ ଲୋକ–କିନ୍ତୁ ସ୍ତ୍ରୀ ତାର ରୋଗିଣୀ–ସେ ସ୍ତ୍ରୀଠାରୁ ଦୂରରେ– ।

 

ଲୋକଟି ଭଲ କିନ୍ତୁ କରିବ କଣ ? ଅସ୍ଥିର ମନ–ଏହି ଶରୀର ତାକୁ ଅସ୍ଥିର କରି ପକାଏ । ସେ ଯେତେବେଳେ ଦେଖେ ମତ୍ତଗୁଞ୍ଜର ସ୍ଥିରା ସହିତରେ ରହିଛି ଏବଂ ସେ ଏକାକୀ–ସମୟ ସମୟରେ ସେ ଚଞ୍ଚଳ ହୁଏ ।

 

ସେ ଚଞ୍ଚଳତା କିନ୍ତୁ ବେଶିଦୂର ଯାଇ ନାହିଁ । ବିଚରା ପାନ ଖାଏ, ମତ୍ତଗୁଞ୍ଜର ଯେତେବେଳେ ପାନ ଖାଏ । ସ୍ଥିରା ବଢ଼େଇ ଦିଏ । ମତ୍ତଗୁଞ୍ଜର ଗୋଟିଏ ନିଏ । ସେ ବିଚରା ହତଭାଗା ଗୋଟିଏ ନିଏ ।

 

ଦୀନେ ପାନ ବଢ଼େଇ ଦେଇଛି ସ୍ଥିରା ତା ହାତରେ–ହତଭାଗା ସ୍ଥିରା ହାତକୁ ଧରି ପକାଇଛି ।

 

ବାସ୍‌ ଏତିକି–ଆଉ କିଛି ନା–ସ୍ଥିରା ତ ସ୍ଥିରା ଆଉ ତା ପରେ ତାକୁ ପାନ–ନା, ତା ସଙ୍ଗରେ ଆଉ କଥା !

 

ସେହି ବିଚରା ତ ବ୍ୟବସ୍ଥାପକ–ବିଦ୍ୱାନ୍‌-ଧାର୍ମିକ-କିନ୍ତୁ ହତଭାଗା, ସ୍ତ୍ରୀର ସ୍ୱାସ୍ଥ୍ୟ ନାହିଁ–କରେ କଣ ?

 

ଆଉ ଏକ ହତଭାଗା ଦିଲ୍ଲୀରେ ଜୁଟିଲା ମତ୍ତଗୁଞ୍ଜର ପାଖରେ, ତାର ପିଲାପିଲି ଅଛି । ସେ ଆମେରିକା ଜାପାନ ସବୁ ବୁଲିଛି, ଦେଖିଛି, ଚାକିରି କରିଛି । ବର୍ତ୍ତମାନ ଭାରତ ସରକାର ଦପ୍ତରରେ ସେ ଜଣେ ସୁପରିଟେଣ୍ଡଣ୍ଟ; ସେ ମଦ ବି ଟିକିଏ ଟିକିଏ ଖାଏ । ମତ୍ତଗୁଞ୍ଜର ଘରକୁ ଆସେ, ମତ୍ତଗୁଞ୍ଜକୁ ସାହାଯ୍ୟ କରେ, ଭଲ ଲୋକଟି, କିନ୍ତୁ ଆଉ କିଛି ନା, ସ୍ଥିରା ଯେତେବେଳେ ଜଳଖିଆ ଆଣି ଦିଏ ସେ ସ୍ଥିରା ଆଡ଼କୁ ଏପରି ଭାବରେ ଚାହେଁ ଯେ ସେଥିରେ ଲାଳସା ଅଛି ସ୍ଥିରା ବୁଝିପାରେ । ସ୍ଥିରା ମତ୍ତଗୁଞ୍ଜରକୁ ଏକଥା କହେ ।

 

କୁଷ୍ଠ

 

ମତ୍ତଗୁଞ୍ଜର ଦେଶ ସେବାରେ ଲାଗିଛି, ଦେହରେ ଖୁବ୍‌ ବଳ ବୟସ ଅଛି । ଗ୍ରାମ ସଂଗଠନ କାମରେ ସେ ଘୂରି ବୁଲେ ଏ ଗାଁ ସେ ଗାଁ–ଖରା ତରା ମାନେ ନାହିଁ–ହଠାତ୍‌ ଦିନେ ଦେଖାଦେଲା ତାର ଓପରେ ଓଠ ଉପରେ ଏକ ନାଲି ରେଖା–ଭଣ୍ଡାରି କ୍ଷୌର କରି ସାରିଲା ପରେ, ସେହି ନାଲି ରେଖାକୁ ଲକ୍ଷ୍ୟ କଲେ ତାର ବନ୍ଧୁମାନେ–ତା ପରେ ମତ୍ତଗୁଞ୍ଜର ନିଜେ ଦେଖିଲା–ବ୍ୟସ୍ତ ହେଲା–କଣ ଏ ? ହଠାତ୍‌ ଆଶଙ୍କା ହେଲା କୁଷ୍ଠ ବୋଲି । କାରଣ ନିମପତ୍ର ବାଟିକରି ସେ ରେଖାକୁ ଲିଭାଇଲା କିନ୍ତୁ ହେଲାନାହିଁ ।

 

ମତ୍ତଗୁଞ୍ଜର ବନ୍ଧୁ କଲିକତାରେ କୁଷ୍ଠ ରୋଗର ଡାକ୍ତର ।

 

ସେଠିକି ସେ ଧାଇଁଗଲା–ବନ୍ଧୁ ଦେଖିଲେ କହିଲେ–ହଁ-ଏ ସେଇୟା । ତେବେ ବନ୍ଧୁଟି କହିଲେ କାହିଁକି ଆପଣଙ୍କୁ ଏହା ହେଲା ଜାଣନ୍ତି ?

 

ଉତ୍ତର–ନା ।

ଆଚ୍ଛା, ଆପଣ କେବେ କୁଷ୍ଠ ରୋଗୀଙ୍କ କଥା ଭାବିଥିଲେ ?

ନା !

ତାଙ୍କର ସେବା କେବେ କରିଥିଲେ ?

ନା !

 

ସେବା ପାଇଁ ପ୍ରଭୁ ଭଗବାନ୍‌ ଆପଣଙ୍କୁ ଏହା ଦେଇଛନ୍ତି । ଏଣିକି ଆପଣ ସେମାନଙ୍କ କଥା ଭାବିବେ ଏବଂ ସେମାନଙ୍କର ସେବା କରିବେ ।

 

ମତ୍ତଗୁଞ୍ଜର ତାଙ୍କର ଡାକ୍ତର ବନ୍ଧୁଙ୍କ ସାଙ୍ଗରେ ୬ମାସ ବୁଲି ଭଲ ହୋଇଗଲା–ଏବଂ ସେହିଦିନୁଁ କୁଷ୍ଠରୋଗୀର ସେବାରେ ଲାଗିଛି–ଅଳ୍ପ ହେଉ, ବହୁତ ହେଉ ।

 

ମତ୍ତଗୁଞ୍ଜରକୁ ହେଲା ନିମୋନିଆ–ଜ୍ୱର–ତାପରେ କାଶ କଛୁ, ତାପରେ ଶ୍ୱାସ–ମତ୍ତଗୁଞ୍ଜର ବର୍ତ୍ତମାନ ଶ୍ୱାସରେ କଷ୍ଟ ପାଉଛି–ତଥାପି ସଂସାରର ପ୍ରୀତିପୁରରୁ ବିଦାୟ ନେଇ ନାହିଁ-

 

ଅନେକ କଥା ଶିଖିବାର ଅଛି, ଅନେକ କଥା ଦେଖିବାର ଅଛି, ଅନେକ କଥା ଉପଭୋଗ କରିବାର ଅଛି, ଅନେକ କଥା ଦାନ କରିବାର ଅଛି ।

 

ଏହିତ ଆନନ୍ଦ–ଦୁଃଖ ଭିତରେ, ବେଦନା ଭିତରେ ଏହି ଆନନ୍ଦହିଁ, ଏହି ଆକାଂକ୍ଷାହିଁ ସବୁ ସୁଖକୁ ବଞ୍ଚାଇ ରଖିଛି, ସାହାସ ଦେଉଛି, ଶକ୍ତି ଦେଉଛି, କାର୍ଯ୍ୟକର, ସେବାକର, ଭଲ ପାଅ ।

 

ନାରୀର ଓ ନରର ପରସ୍ପର ପ୍ରତି ଆକର୍ଷଣ ଅଦ୍‌ଭୁତ ।

 

ସେହି ଆକର୍ଷଣକୁ ସଂଯତ କରି ରଖି ପାରିଲେ ନୀଳ ଉଦ୍ୟାନରେ ଗୋଲାପ ଫୁଟିବ, ଚନ୍ଦନ ବାସିବ, ମତ୍ତ କୋକିଳ କୁ କୁ କରି ଜୀବନକୁ ଅଫୁରନ୍ତ କରିବ । ସଂସାର ମରୁଭୂମି ହେବନାହିଁ, ସଂସାର ନନ୍ଦନ କାନନ ଭଳି ଦେଖାଯିବ ।

 

ଏହି ସଂସାର ପଥରେ ଚାଲୁଁ ଚାଲୁଁ ଯେଉଁ ରେଖାଗାର, ଜୀବନରେ ପଡ଼ିଛି, ତାହାପାଇଁ ଏତେ ଦୁଃଖ ନାହିଁ, ଭାବନା ନାହିଁ, ସେତ ଚେତନା ଦେଇଛି, ଅନୁଭୂତି ଦେଇଛି, କିପରି ସଂସାର ପଥରେ ଚାଲିବାକୁ ହେବ ।

 

ନର ନାରୀର ଅଭଙ୍ଗ ପ୍ରୀତି, ନର ନାରୀର ପରସ୍ପର ପ୍ରତି ଶ୍ରଦ୍ଧା ଆଉ କୋମଳ ମଧୁର ଚାହାଣା–ନର ନାରୀର ଅପୂର୍ବ ମିଳନ, ଆନନ୍ଦ–ନର ନାରୀର ମୁଗ୍‌ଧ ସୌନ୍ଦର୍ଯ୍ୟ–ଏହାହିଁ ତ ସ୍ୱର୍ଗ । ଏହି ସ୍ୱର୍ଗକୁ ସ୍ୱର୍ଗକରି ରଖି ପାରିଲେ ଆନନ୍ଦ-ଗୌରବ । ଏହାକୁ ନରକରେ ପରିଣତ ନ କଲେ ହେଲା ମହା ଗୌରବ ।

 

ଝଡ଼ରାତି–ଯୌବନୀ ସାଥୀ ଆଉ କେହି ନାହିଁ–ବର୍ଷା ପବନ ପିଟୁଛି, ଆଖି ବୁଜି ନବଗୁଞ୍ଜର ଭଙ୍ଗା ଶରୀରରେ ଯୌବନୀର ହାତ ଧରି ଧରି ଚାଲିଛି–ଏହାତ ସ୍ୱର୍ଗ । ଏଠାରେ ନରକର ବିନ୍ଦୁ ନାହିଁ–ସ୍ୱର୍ଗର ମଦିରା ଅଛି ।

 

ମହାଭାବମୟ ମହାସୌନ୍ଦର୍ଯ୍ୟମୟ ।

 

ନାରୀର ସେବା, ନାରୀର ରନ୍ଧନ ଓ ଭୋଜନ କରାଇବା, ଏହା ଅତି ମଧୁର । ଏହାହିଁ ସ୍ୱର୍ଗ । ଏହାକୁ ଛାଡ଼ିବାକୁ କାହାରି ମନ ହେବ ନାହିଁ ।

 

ପାଞ୍ଚ

 

ନିତ୍ୟ ଏହି ସ୍ୱର୍ଗରାଜ୍ୟ ଏଠାରେ ସମସ୍ତେ ସୃଷ୍ଟି କରନ୍ତୁ, ଏହାହିଁ ସାର କଥା, ଏହାହିଁ ଶ୍ରେୟର କଥା ।

 

ମତ୍ତଗୁଞ୍ଜର ଯେବେ ଏକାକୀ ଆସାମରେ ଦେଶ ସେବା କରୁଛି, ସେତେବେଳେ ତାର ପ୍ରାଣ ସେହି ସଙ୍ଗୀତ-ସୁନ୍ଦର ବାଳକକୁ ଧ୍ୟାୟି ଧ୍ୟାୟି ଅଥୟ ହୋଇଛି ଆଉ ସେହି ବ୍ୟଥା ସଙ୍ଗୀତରେ ବାହାରିଛି । କବିତାରେ ବାହାରିଛି, ବେଦନା ଓ ସୁଖ ଅନୁଭୂତି ଏହାର ମର୍ମକଥା ।

 

ପ୍ରେମ ଏହିପରି ଅଫୁରନ୍ତ ଆନନ୍ଦ–ଅଫୁରନ୍ତ ବେଦନା ଦାନ କରେ । ତାହାରି ଭିତରେ ମତ୍ତଗୁଞ୍ଜର ଚାଲିଲା ଜୀବନରେ କେତେକାଳ ଧରି । ଆଜି ପୁଣି ଶାନ୍ତ ସ୍ଥିର ।

 

କୋକିଳ କୁଞ୍ଜରେ ଭ୍ରମର ଗୁଞ୍ଜରେ

 

ମତ୍ତଗୁଞ୍ଜର ଜୀବନରେ କିନ୍ତୁ ଧର୍ମ ଜୀବନ କରିବାକୁ ଚାହେଁ । ସେଥିପାଇଁ ସେ ହିନ୍ଦୁ ଧର୍ମର ଗଣେଶ, ଦୁର୍ଗା, କାର୍ତ୍ତିକ ପୂଜା ଇତ୍ୟାଦି ସାରି ଯେତେବେଳେ ବୃହତ୍ତର ଜଗତରେ ପ୍ରବେଶ କଲା, ଏବଂ ଜାତିଭେଦ ଇତ୍ୟାଦି ବିଭାଗ ଯେତେବେଳେ ତାକୁ ବ୍ୟସ୍ତ କଲା, ସେତେବେଳେ ସେ ପୁଣି ମୁସଲମାନ ଧର୍ମରେ ପ୍ରବେଶ କଲା, ଖ୍ରୀଷ୍ଟଧର୍ମରେ ପ୍ରବେଶ କଲା । ଦୟାନନ୍ଦ ସରସ୍ୱତୀଙ୍କ ଆର୍ଯ୍ୟ ଧର୍ମରେ ପ୍ରବେଶ କଲା ।

 

ଏତ ପୁଣି ସେହି ଜାତିଭେଦସ୍ୱରୂପ । ସୁତରାଂ ଆସ୍ତେ ଆସ୍ତେ ସବୁ ଛାଡ଼ି ଦେଲା ।

 

ଛାଡ଼ି ଦେଲା ବୋଲି ଯୀଶୁଙ୍କୁ ସେ ଭୁଲି ନାହିଁ–ହିନ୍ଦୁଧର୍ମର ନାନା ଦେବାଦେବୀକୁ ସେ ଭୁଲି ନାହିଁ, ଆର୍ଯ୍ୟ ଧର୍ମର ମନ୍ତ୍ରକୁ ସେ ଭୁଲି ନାହିଁ, ମହମ୍ମଦଙ୍କୁ ସେ ଭୁଲି ନାହିଁ । ସେ ତ ସମସ୍ତଙ୍କ ସହିତରେ ଆତ୍ମୀୟତା କରିଛି । ରାମକୃଷ୍ଣ ପରମହଂସଙ୍କ ପରି ସବୁ ଧର୍ମକୁ ଆଦର କରିଛି, କରୁଛି ।

 

ସେ ଇଂରାଜୀରେ Walden ପଢ଼ିଲା, ଥୋରୋଙ୍କୁ ଆଦର କଲା । Crown of the wild olive ପଢ଼ିଲା, Ruskinଙ୍କୁ ଆଦର କଲା । Heroes and Hero-worship ପଢ଼ିଲା, Carlyleଙ୍କୁ ଆଦର କଲା ।

 

ବାଇବେଲକୁ ଛାତି ଉପରେ ପକାଇ ସେ ଶୋଇଛି ଅନେକଥର, ସ୍ୱପ୍ନ ଦେଖିଛି ଅନେକ ଥର । କୋରାନ ପଢ଼ିଛି କୋରାନ କ୍ଳବ ଆରମ୍ଭ କରିଛି, ସେ ପ୍ରଥମ ଏହି ଓଡ଼ିଶାରେ, ମୁସଲମାନଙ୍କ ସଙ୍ଗରେ ଆତ୍ମୀୟତା କରିଛି ଖୁବ୍‌ ।

 

ଜୀବନରେ ସଂଗ୍ରାମ ଆସିଛି, ହିନ୍ଦୁ ଧର୍ମ ଛାଡ଼ି ମୁସଲମାନ ହେବ, କେତେବେଳେ ଅବା ବ୍ରାହ୍ମ–କେତେବେଳେ ଖ୍ରୀଷ୍ଟିଆନ, କେତେବେଳେ ଆଉ କଣ–ଏହି ହେଲା ମତ୍ତଗୁଞ୍ଜର ।

 

ଏ ମତ୍ତଗୁଞ୍ଜର ମତ୍ତଗୁଞ୍ଜର ନୁହେଁ । ତଥାପି ମନେହୁଏ ମତ୍ତଗୁଞ୍ଜରର ସବୁ ଭାବ ଯେପରି ମତ୍ତଗୁଞ୍ଜର ଭିତରେ ପଶିଛି, ଭ୍ରମରର ଗୁଞ୍ଜରଣ ମତ୍ତଗୁଞ୍ଜର ଭିତରେ ପଶିଛି, ସେଥିପାଇଁ ସେ କବି । କୁଞ୍ଜର ମତ୍ତତା ତା ଭିତରେ ପଶିଛି ସେଥିପାଇଁ ସେ ମତ୍ତ । ସୁତରାଂ ତାର ନାମ ହେଉଛି ମତ୍ତକୁଞ୍ଜର । ସେ କୋକିଳ ପରି ଗୁଞ୍ଜରେ, ସେ ମତ୍ତକୁଞ୍ଜର ପରି ଜୀବନ ପଥରେ ଗତି କରେ । ସେଥିପାଇଁ ସଂକ୍ଷେପତଃ ସେ ମତ୍ତକୁଞ୍ଜର । ସେହି ମତ୍ତକୁଞ୍ଜରକୁ ବାନ୍ଧି ରଖିଛି, ସ୍ଥିରା । ଧନ୍ୟ ସେ ସ୍ଥିରା । ସେ ମାନବୀ ନୁହେଁ–ସେ ଦେବୀ ।

 

ମାନବୀର ଚୂଡ଼ାନ୍ତ ସେ ଦେଖାଇ ଦେଲା ଏ ଜୀବନରେ । ଲେଖାପଢ଼ା ନାହିଁ । ବିଦ୍ୟାବୁଦ୍ଧି ନାହିଁ । କିନ୍ତୁ ସାଧାରଣ ସ୍ତ୍ରୀ ହେଲେ ମଧ୍ୟ ସେ ମୁଗ୍‌ଧା, ସୁନ୍ଦର । ସେ ପଦ୍ମିନୀ, ସୁଗନ୍ଧା । ତାର ବ୍ୟବହାର ସମସ୍ତଙ୍କୁ ମୁଗ୍‌ଧ କରିଛି । ସେ ତ୍ୟାଗୀ । ପାର୍ବତୀ ତପସ୍ୟା ପରି ତପସ୍ୟା ତାର ।

 

ଶରୀରକୁ କ୍ଷୀଣ କରିଛି ସବୁବେଳେ । ତ୍ୟାଗରେହିଁ ସୌନ୍ଦର୍ଯ୍ୟ । ସେହି ସୌନ୍ଦର୍ଯ୍ୟରେ ହିଁ ସେ ଫୁଟି ରହିଛି । ସ୍ଥିରା ମତ୍ତଗୁଞ୍ଜରର ଜୀବନ ପଥରେ ଫୁଲ ଫୁଟାଇଲା ।

 

ସେ ଦିନକର ଘଟନା । ମତ୍ତକୁଞ୍ଜର ଇଞ୍ଜିନିୟର କଲେଜ ଛାଡ଼ି ପଳାଇ ଆସିଛି ଘରକୁ-। ଯେଉଁ ଅପମାନରେ ପଳାଇ ଆସିଛି, ସେ ବ୍ୟଥା ତାର ଅନ୍ତରରେ ଆଜି ଏ ପର୍ଯ୍ୟନ୍ତ ରହିଛି । ନଖାଇ ପାରି ସେ ଅପରର ଜଳଖିଆ ଚୋରି କରି ଖାଇଲା, ଏହି ଅପମାନରେ ସେ ଶିବପୁର ବୋଟାନିକ୍ୟାଲ ଗାର୍ଡନର ବରଗଛରେ ଫାସି ଦେଇ ମରିବା ପାଇଁ ବସିଥିଲା । ସେଠୁ ପଳାଇ ଆସି ଘରେ ଯେତେବେଳେ ପହଞ୍ଚିଲା, ସେ ଦିନକର ଘଟଣା । ମତ୍ତକୁଂଞ୍ଜର ସକାଳୁ ମା’କୁ ମାଗିଲା, ମା ଦିଟା ପଖାଳ ଦେଇଯା । ମା ଯାଉଥିଲା ଗାଧୋଇ । ସେ କହିଲା ମୁଁ ଗାଧୋଇ ଆସେ ଦେବି । ମତ୍ତକୁଞ୍ଜର କହିଲା, ନା, ମୋତେ ଦେଇ ଯା । ଏତିକିରେ ତାର ମା କହିଲା–ରୋଜଗାର କରି ଆଣି ଥୋଇଛୁ । ଏତିକିରେ ମତ୍ତକୁଞ୍ଜର ଘର ଛାଡ଼ି ବାହାରକୁ ବାହାରି ପଡ଼ିଲା । ଦିଗ ଦିଗନ୍ତ ଚାରିଆଡ଼େ ଦିଶୁଛି । ସେ ଚାଲିଲା ରାଜଦାଣ୍ଡରେ, ସିଧା ଜଗନ୍ନାଥ ସଡ଼କରେ । ବୈଶାଖ ମାସର ଖରା, ହାତରେ ପଇସା ନାହିଁ, କରେ କଣ ? ଚାଲିଲା, ଚାଲିଲା, ୪୨ ମାଇଲ ଚାଲିଲା, ପରେ ଭଦ୍ରଖ ପହଞ୍ଚିଲା । ରାତିରେ ଗୋଟିଏ ବନ୍ଧୁ ପାଖରୁ ଖାଇଲା । ତହିଁଆର ଦିନ ପୁଣି ଚାଲିଲା । ଆଉ ୪୨ ମାଇଲ । ଆସିଲା ମଧୁପୁର । ରାତି ୧୦ଟାରେ ଗୋଟିଏ ମଠରେ ଦିଟା ଭାତ ପ୍ରସାଦ ଖାଇଲା । ତୃତୀୟ ଦିନ ପୁଣି ମଧୁପୁରରୁ କଟକ ।

 

କଟକରେ ମହାନଦୀ କୂଳରେ ବାସ । ହାତରେ କିଛି ପଇସା ନାହିଁ । ୨ ଦିନ ଉପବାସ, କିଛି ଖାଇବାକୁ ମିଳିଲା ନାହିଁ । କେବଳ ମହାନଦୀ ପାଣି ପିଆ ।

 

ଇତି ମଧ୍ୟରେ ମତଗୁଞ୍ଜର ଚାକିରି ଖୋଜୁଛି । ଇଣ୍ଟର ମିଡ଼ିଏଟ ପାଶ୍‍ କରିଛି । ଯେଉଁ ହାଇସ୍କୁଲକୁ ଯାଉଛି ସେଇଠି ଆଉ ମାଷ୍ଟରି କାମ ଖାଲି ନାହିଁ ।

 

ହଉଁ, ହଉଁ, ଶେଷରେ ବିନା ପଇସାରେ ମିଶନ ସ୍କୁଲରେ ସେ ମାଷ୍ଟରି ଆରମ୍ଭ କଲା । କିଛିଦିନ ପରେ ସେଠି ମାଷ୍ଟରି ଚାକିରିଟି ମିଳିଲା । ଏଣେ ଟ୍ୟୁସନ । ଦେଖୁଁ ଦେଖୁଁ ଅନେକ ଟ୍ୟୁସନ ମିଳିଲା । ଅନେକ ଗରିବ ଛାତ୍ର ଜୁଟିଲେ । ଅନେକଙ୍କୁ ସାହାଯ୍ୟ କଲା । କେତୋଟି ବୁଦ୍ଧିମାନ୍‌ ଗରିବ ଛାତ୍ରଙ୍କୁ ପାଖରେ ରଖି ପାଠ ପଢ଼ାଇଲା । ଏହିପରି ୪ ବର୍ଷ ବିତିଗଲା । ଏହି ଚାରିବର୍ଷ ଭିତରେ ପାଠ ପଢ଼ାଇବା ସଙ୍ଗେ ସଙ୍ଗେ ନିଜେ ନିଜେ ପାଠ ପଢ଼ିଲା । ନିଜର ଯୋଗ୍ୟତା ବଢ଼େଇଲା । ଶେଷରେ ମିଶନ ସ୍କୁଲରୁ ବିଦାୟ ନେଲା, ହେଡ଼ମାଷ୍ଟର ସାଙ୍ଗରେ କଜିଆ କରି । ହେଡ଼ମାଷ୍ଟର ଘୁସ୍‌ ଖାଇଲା । ମତ୍ତଗୁଞ୍ଜର ତାର ପ୍ରତିବାଦ କଲା । ତା ପରେ ସେ ମିଶନସ୍କୁଲ ଛାଡ଼ି ଚାଲି ଆସିଲା । କଣ କରିବ ? ଦେଶ ସେବା ପାଇଁ ସେ ଭାରତ ସେବକ ସମିତିକୁ ଦରଖାସ୍ତ କଲା-। କିନ୍ତୁ ବି.ଏ. ପାଶ୍‍ ନୁହେଁ ବୋଲି ତାକୁ ନେଲେ ନାହିଁ । ସେ ବି.ଏ. ପାଶ୍‍ କଲା । ତା ପରେ ପୁଣି ଦରଖାସ୍ତ କଲା ।

 

ଚାଲିଛି ପୁନାକୁ । ବାଟରେ ଭାବୁଛି ଯଦି ଭାରତ ସେବକ ସମିତିରେ ତାକୁ ନ ନିଅନ୍ତି ତାହା ହେଲେ ସେ କ’ଣ କରିବ ? ତିଳକଙ୍କ ପାଖକୁ ଯିବ । ସେଠି ଯୋଗ୍ୟ ବିବେଚିତ ନ ହେଲେ, ମାନ୍ଦ୍ରାଜ ଯିବ । ମାନ୍ଦ୍ରାଜରେ ମିସେସ୍‌ ଆନିବେସାନ୍ତଙ୍କ ପାଖକୁ ଯିବ । ସେଠି ଯୋଗ୍ୟ ବିବେଚିତ ନ ହେଲେ, ହରିଦ୍ୱାର ଯିବ । ସେଠାରେ ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କ ଗୁରୁକୁଳରେ ରହିବ–ଶିକ୍ଷକତା କରିବ । ସେଠି ଯୋଗ୍ୟ ବିବେଚିତ ନ ହେଲେ ହରିଦ୍ୱାରରେ ଗଙ୍ଗାରେ ଝାସ ଦେଇ ମରିବ ।

 

ଏଥି ମଧ୍ୟରେ ମିଶନ ସ୍କୁଲରେ ଶିକ୍ଷକତା କରୁଁ କରୁଁ ସେ ଅନେକ ଛାତ୍ରଙ୍କୁ ଦେଶର ବଡ଼ ବଡ଼ ମନୁଷ୍ୟମାନଙ୍କର ଜୀବନୀ ଶୁଣାଇଛି । ସେ ଅରବିନ୍ଦଙ୍କୁ ଅନ୍ତର ଭିତରେ ଦେବତା କରିଛି । ତେଣୁ ତାର ସନ୍ଧାନ ସି ଆଇ ଡ଼ି ପାଇ ମତ୍ତକୁଞ୍ଜର ପଛେ ପଛେ ଗୋଡ଼ାଇଛି । ସେହି ସମୟରେ ବାଲେଶ୍ୱରରେ ଯତନୀ ଗୁଳି ମାଡ଼ରେ ମରିଛି–ବିଦ୍ରୋହୀ ଯତୀନ । ରାଇବଣିଆ ଦୁର୍ଗରୁ ବାହାରି ବୁଢ଼ା ବଳଙ୍ଗ ନଦୀଠାରେ ପୋଲିସ ସଙ୍ଗରେ ତାର ଝଟାପଟା–ଗୁଳି ଚାଳନା, ନଦୀରେ ସନ୍ତରଣ ଓ ପତନ ।

 

ଠିକ୍‍ ସେହି ସମୟରେ ଦିନ ଦିପହର ବେଳେ କଟକ ସହରର କେତେ ଲୋକଙ୍କୁ ପୋଲିସ ଧରି ନେଇ ଯାଇଛି । ଆଉ ଜଣେ ସନ୍ଧାନୀ ମତ୍ତକୁଞ୍ଜର ଘରେ ଆସି ଉପସ୍ଥିତ । କିଛି ଖାଇନାହିଁ, ପୁରୀରୁ କଲିକତା ଯାଉଥିଲା, ଟ୍ରେନରେ ସବୁ ଚୋରି ହୋଇଗଲା, ଏହି ଦୁହାରେ ମତ୍ତକୁଞ୍ଜରର ସହାନୁଭୂତି ପାଇ ତାରି ଘରେ ଆଶ୍ରୟ ନେଇଛି ।

 

ଏଣେ ମତ୍ତକୁଞ୍ଜର ଶୋଇଛି, ତା ବାକ୍‌ସରୁ ଅରବିନ୍ଦଙ୍କ ସମ୍ପାଦିତ ‘‘ବନ୍ଦେ ମାତରଂ’’ କାଗଜ, ଆଉ ଆଉ କେତେଖଣ୍ଡ ରାଜନୀତି ସଂପର୍କୀୟ ବହି ନେଇ କୁଆଡ଼େ ବାହାରି ଯାଇଛି । ସନ୍ଧ୍ୟାବେଳକୁ ଫେରୁଛି । ଏଣେ ମତ୍ତକୁଞ୍ଜରର ଛାତ୍ରମାନେ ଖବର ଦେଇଛନ୍ତି, ଯେ କଟକ ସହରରେ ଆଜି କେତେକଙ୍କୁ ଧରାପଗଡ଼ କରି ନେଇ ଯାଇଛି । ମତ୍ତକୁଞ୍ଜରକୁ ପରାମର୍ଶ ଦେଇଛନ୍ତି, ସେ କଟକ ଛାଡ଼ି ଚାଲିଯାନ୍ତୁ । ଏହିପରି କଥା ହେଉଁ ହେଉଁ ସେହି ଲୋକଟି ଆସି ପହଞ୍ଚିଲା । ତାକୁ ପଚାରିବାରୁ ସେ କୁଆଡ଼େ ଯାଇଥିଲା ବୋଲି ପଚାରିବାରୁ–ସେ ରାଗିଗଲା, ଏବଂ କହିଲା, ଆପଣମାନେ ମୋତେ କହୁଛନ୍ତି ସି ଆଉ ଡ଼ି ମୁଁ, ଆଉ ସି ଆଇ ଡି ମୋତେ ଖୋଜୁଛି ଆଉ ଭାବୁଛି ମୁଁ ବିଦ୍ରୋହୀ ।

 

ହଠାତ୍‌ ଉତ୍ତର ପ୍ରତ୍ୟୁତ୍ତର ହେଉଁ ହେଉଁ ସେ ରିଭଲ୍‌ଭର ଦେଖାଇଲା–ମାରିଦେବ ବୋଲି । ଛାତ୍ରମାନେ ଏଥିରେ ଟିକିଏ ଉତ୍ୟକ୍ତ ହୋଇ ଉଠିଲେ ।

 

ମତ୍ତକୁଞ୍ଜର କୌଣସି ଉପାୟରେ ତାକୁ ସ୍ଥିର କଲା ଏବଂ ୧୦ ଟଙ୍କା ଦେଇ ବିଦାୟ ଦେଲା ତାର କଲିକତା ଯିବାପାଇଁ ।

 

ତା ପରେ ମତ୍ତକୁଞ୍ଜର ବାଲେଶ୍ୱର ଓହ୍ଲାଇଲା । ସେଠି ପୋଲିସ ଖାଲି ଖୋଜୁଛି ସବୁ ଦେଶପ୍ରେମୀକୁ–ଧରିବ, ବାନ୍ଧି ହାଜତରେ ପୂରେଇବ ।

 

ଏହି ଅବସ୍ଥାରେ ଜଣେ ପୋଲିସ ଇନସ୍‌ପେକଟର ମତ୍ତକୁଞ୍ଜରର ପରିଚିତ ବନ୍ଧୁ–ତାକୁ କହିଲା ଏ ସ୍ଥାନ ଛାଡ଼ି ପଳାଅ ସଙ୍ଗେ ସଙ୍ଗେ ।

 

ମତ୍ତକୁଞ୍ଜର ଗାଡ଼ିରେ ନାଗପୁର ଚାଲିଲା । ସି ଆଇ ଡ଼ି ତା ସାଙ୍ଗେ ସାଙ୍ଗେ । ନାଗପୁରରେ ସେ ଭାରତ ସେବକ ସମିତି ଘରକୁ ଗଲା । ଦେହର ଯେତିକି ଲୁଗାପଟା ସେତିକି–ଆଉ କିଛି ନାହିଁ ।

 

ରାତିରେ ଶୋଇଲାବେଳେ ସେଠାକାର ମେମ୍ୱର ପଚାରିଲେ, ବିଛଣା ନାହିଁ ? ମତ୍ତକୁଞ୍ଜର କହିଲା, ମୋ ଦେହରେ ହିଁ ଯାହାଅଛି ତାହାହିଁ ବିଛଣା । ତାହାହିଁ ମୋର ଲୁଗାପଟା ।

 

ନାଗପୁରରୁ ମତ୍ତକୁଞ୍ଜର ଜବଲପୁର ଗଲା । ସେଠି ବି ସି ଆଇ ଡ଼ି, ସେଠି ସେ ରହିଲା ଯେଉଁଠି, ତାଙ୍କ ଘର ଜଗିଲେ ସି ଆଇ ଡ଼ି । ସେ ବ୍ୟସ୍ତ ହେଲେ । ପଚାରିଲେ, କଣ କିଛି କରିଛନ୍ତି କି ? ମତ୍ତକୁଞ୍ଜର ଉତ୍ତର ଦେଲା, ନାହିଁ । ତା ପରେ ବନ୍ଧୁଟି ପରାମର୍ଶ ଦେଲେ ଜୁତା ପିନ୍ଧିବା ପାଇଁ–ଦାଢ଼ି କାଟି ପକାଇବା ପାଇଁ, କାରଣ ରୁକ୍ଷ ବେଶ, ଅନାବୃତ ପାଦ, ଏହିସବୁ ସି ଆଇ ଡ଼ିକୁ ଯେପରି ଅଜ୍ଞାତରେ କହୁଛି, ସେ ହୁଏତ ଜଣେ ଦେଶସେବକ, ବିଦ୍ରୋହୀ ।

 

ଜବଲପୁରରୁ ମତ୍ତଗୁଞ୍ଜର ଚାଲିଲା–ପୁନାକୁ । ସେଠି ନିତି ସିଆଇଡି ମତ୍ତଗୁଞ୍ଜର ପଛେ ପଛେ । ସେ ଯେଉଁଠିକି ଯାଏ–ବଜାର, ଲେଜିସ୍ଳେଟିଭ ଏସେମ୍ୱ୍ଲି, ଆଉ ଆଉ ଯେଉଁଠି, ସବୁଠି ଏହି ସିଆଇଡି ।

 

ତା ପରେ ପୁନାରୁ ବୋମ୍ୱେ–ବୋମ୍ୱେରୁ ହୋସାଙ୍ଗାବାଦ୍‌ ହୋସାଙ୍ଗାବାଦ୍‍ରୁ ଏହ୍ଲାବାଦ–ସବୁଠି ସି ଆଇ.ଡ଼ି ପଛେ ପଛେ ।

 

୧୯୧୬ ସାଲରେ ହୋମରୁଲ ଆନ୍ଦୋଳନ ଚାଲିଲା । ମହାତ୍ମା ଗାନ୍ଧୀ, ମଣ୍ଟେଗୁ (Secretary of state of India)ଙ୍କ ଭାରତ ଆଗମନ ଉପଲକ୍ଷେ ଭାରତବାସୀଙ୍କ ଦସ୍ତଖତରେ ଗୋଟିଏ ଦରଖାସ୍ତ ଦେବାର ଠିକ୍‌ କଲେ–ଆମକୁ ସ୍ୱରାଜ ଦରକାର ।

 

ଏଇଥିରେ ମତ୍ତଗୁଞ୍ଜର ଓଡ଼ିଶା ଆସିଲେ । ଓଡ଼ିଶାରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ କହିଲେ, ଏ ତ ରାଜନୀତି ମାମଲା–ମଧୁବାବୁଙ୍କୁ ପଚାର । ବ୍ରଜସୁନ୍ଦର ଦାଶ କହିଲେ; ଆମର Home ନାହିଁ, Home Rule କଣ ହେବ ?

 

ଶେଷରେ ସୁଭାଷ ବୋଷଙ୍କ ବାପାଙ୍କୁ ପଚାରିଲେ–ସେ କହିଲେ ଆଗେ ମଧୁବାବୁଙ୍କୁ କୁହ–ତା ପରେ ଆମେ ସବୁ । ମଧୁବାବୁଙ୍କୁ ପଚାରିବାରୁ ସେ କହିଲେ ନା–ଦରଖାସ୍ତରେ ଦସ୍ତଖତ କରିବି ନାହିଁ, ତେଣୁ କିଛି ହେଲାନାହିଁ ବୋଲି ଦସ୍ତଖତ କଲେ ନାହିଁ । ବ୍ରହ୍ମପୁରରେ ଶଶିଭୂଷଣ ରଥ-। ସେ ମଧ୍ୟ ଦସ୍ତଖତ କଲେ ନାହିଁ । ସେଠାରୁ ହନୁମନ୍ତ ରାଓଙ୍କୁ ନେଇ ଖଲିକୋଟ ଚାଲିଲେ, ସେଠି ରଙ୍ଗନାଥ ମହାପାତ୍ରଙ୍କ ସାହାଯ୍ୟରେ କିଛି ଦସ୍ତଖତ ମିଳିଲା । ତା ପରେ ପାରଳାଖେମୁଣ୍ଡି ।

 

ପାରଳାଖିମିଣ୍ଡିରେ ମତ୍ତଗୁଞ୍ଜର ଆଉ ହନୁମନ୍ତ ରାଓ ପାରଳା ମହାରାଜାଙ୍କ ସଙ୍ଗରେ ସାକ୍ଷାତ୍‍ କଲେ । ପୋଲିସ ସୁପରିଣ୍ଟେଣ୍ଡେଣ୍ଡ ନିତ୍ୟାନନ୍ଦ ବାବୁ ମତ୍ତଗୁଞ୍ଜରକୁ ଡାକିଲେ । ମତ୍ତଗୁଞ୍ଜର କହିଲେ ଆମେ ଦୁଇଜଣ ଯେତେବେଳେ ଏକ ସାଙ୍ଗରେ ମହାରାଜାଙ୍କୁ ଦେଖିବାକୁ ଚାହୁଁ, ସେତେବେଳେ ମୁଁ ଏକାକୀ ଯିବି କିପରି ? ଏଇଥିରେ ହେଲା ମହାରାଜାଙ୍କ ରାଗ । ମହାରାଜାଙ୍କ ଚାଉଲ୍‍ଟ୍ରିରେ ଏମାନେଥିଲେ । ରାଜବାଟୀରୁ ଏମାନେ ଦେଖନ୍ତି ତ ଚାଉଲ୍‌ଟ୍ରିରୁ ତାଙ୍କୁ ବାହାର କରିବାର ବନ୍ଦୋବସ୍ତ ଚାଲିଛି । ତେଣୁ ସେମାନେ ଅପନ୍ନା ପରିଚ୍ଛାର ଆଶ୍ରୟ ନେଲେ । ଅପନ୍ନା ପରିଚ୍ଛା ସାହାଯ୍ୟରେ କେତେଗୁଡ଼ିଏ ଦସ୍ତଖତ ପାରଳାଖିମିଡ଼ିରୁ ପାଇଲେ । ମାତ୍ର ବ୍ରହ୍ମପୁରଠାରୁ ଏମାନଙ୍କ ସଙ୍ଗେ ହିଁ ସଶସ୍ତ୍ର ପୋଲିସ ବରାବର ଚାଲିଥାଏ । ଏହି ହେଲା ଅବସ୍ଥା ।

 

ମତ୍ତଗୁଞ୍ଜର ବଡ଼ ମଣିଷ ହେବାକୁ ଇଚ୍ଛାକରେ । ସୁତରାଂ ଦାଦା ଭାଇ ନୌରଜୀଙ୍କର ମୃତ୍ୟୁ ଯେତେବେଳେ ହେଲା, ବୋମ୍ୱାଇ ସହରରେ, ସେ ସେତେବେଳେ ସେଠି ଥିଲା । ସେଦିନ ଅସଂଖ୍ୟ ଲୋକ, ଦାଦା ଭାଇ ନୌରଜୀଙ୍କ ଶବ ସହିତ ବମ୍ବେ ସହରରେ ବାହାରିଥିଲେ । ମତ୍ତଗୁଞ୍ଜର ମଧ୍ୟ ସେ ପ୍ରୋସେସନରେ ଯୋଗ ଦେଇଥିଲା । ତାର ଭାଗ୍ୟ ଯେ ସେ ତିଳକଙ୍କ ପଛରେ ଥାଏ । ପ୍ରୋସେସନ ଯେତେବେଳେ ଚାଲିଥାଏ, ମତ୍ତଗୁଞ୍ଜର ତିଳକଙ୍କ ଜାମାକୁ ପଛରୁ ଟିକିଏ ଟିକିଏ ଛୁଇଁ ଦେଇଥିଲା । ଆଶା, ଏହି ଛୁଇଁବାଦ୍ୱାରା ସେ ତିଳକଙ୍କ ପରି ବଡ଼ ମଣିଷ ଜୀବନରେ ହୋଇ ପାରିବ ।

 

ମତ୍ତଗୁଞ୍ଜର ପିଲାଟି ଦିନେ ବାଇରଣ ପଢ଼ିଥିଲା ଟିକିଏ ଟିକିଏ । ସେଥିରେ ଗୋଟିଏ କଥା ଥିଲା, ଯାହା ତାହାର ପ୍ରାଣକୁ ବଡ଼ ସ୍ପର୍ଶ କରିଥିଲା ।

 

Freedom's battle once begun

Tho’ bleeding from sire to son

Tho’ oft lost, is ever won,

 

ଯେତେବେଳେ ସେ ବଡ଼ ହେଲା ଏବଂ କଲେଜରେ ବାଇରଣ ପଢ଼ିଲା, ସେତେବେଳେ ସେ ବାଇରଣର ଛବି ରଖି ପୂଜା କରୁଥିଲା । ରୋଜ ଗାଧୋଇ ଆସି ସକାଳୁ ବାଇରଣର ଛବି ବାହାର କରି ଦେଖେ ଏବଂ ପ୍ରାର୍ଥନା କରେ । ହେ ପ୍ରଭୁ ମୋତେ ବାଇରଣ ଭଳି କବି କର । ପରେ ଯେତେବେଳେ ସେ ଜାଣିଲା ଯେ ବାଇରଣ ଚରିତ୍ରହୀନ ଥିଲା, ସେତେବେଳେ ମଧ୍ୟ ସେ ପ୍ରାର୍ଥନା କଲା, ହେ ପ୍ରଭୁ, ମୋର ଚରିତ୍ର ପଛେ ବାଇରଣ ଭଳି ଖରାପ ହେଉ, ତଥାପି ମୋତେ ବାଇରଣ ଭଳି କବି କର ।

 

ତା ପରେ ସେ ରସ୍କିନ ପଢ଼ିଲା ଏବଂ ମୁଗ୍‌ଧ ହେଲା ଏବଂ ବିଲାତ ଯାଇ ରସ୍କିନର ଚେଲା ହେବ, ଏହିପରି ଆକାଂକ୍ଷା କଲା ।

 

ପିଲାଟି ଦିନେ ତ ସେ ଶଙ୍କରାଚାର୍ଯ୍ୟ ହେବା ପାଇଁ ବରାବର ଇଚ୍ଛା କରିଥିଲା ।

 

ଆକାଂକ୍ଷାର ଏହି ଚରମ ପିପାସା ମତ୍ତଗୁଞ୍ଜରକୁ ଜ୍ଞାନମାର୍ଗରେ ଧର୍ମ ମାର୍ଗରେ ଠେଲିଛି, ପେଲିଛି–ସେ ଚାଲିଛି ସେହି ପଥରେ । ସେଥିପାଇଁ ନାନା ବାଧାବିଘ୍ନ ସତ୍ତ୍ୱେ ସେ ବି.ଏ ପାଶ୍‍ କରି ସୋସାଇଟିରେ ପଶିଲା । ସେଠାରେ ଜଣେ ସଭ୍ୟ–ଦିନକର କଥା ଗର୍ବିତ ହୋଇ କହିଥିଲା ସେହିଦିନ, "After all, an M.A. is an M.A." ଏହି କଥାଟି କହିଥିଲା ସେହିଦିନ, ଯେଉଁଦିନ ପଣ୍ଡିତ ମଦନମୋହନ ମାଲବୀୟ, ପଣ୍ଡିତ ମୋତିଲାଲ ନେହେରୁ, ପଣ୍ଡିତ ହୃଦୟନାଥ କୁଞ୍ଜରୁ ସିଓ୍ୟାଇ ଚିନ୍ତାମଣି, ବ୍ୟେଙ୍କଟେଶ ନାରାୟଣ ତିବାରୀ ଆଉ ମତ୍ତଗୁଞ୍ଜର ଏକାଠି ବସିଥିଲେ ଏବଂ ଗୋଟିଏ ପ୍ରସ୍ତାବ ଲେଖା ହେଉଥିଲା । ସେହି ପ୍ରସ୍ତାବଟି ମଦନମୋହନ ମାଲବୀୟ ପ୍ରଥମେ ଡାକିଲେ, ତା ପରେ ଆଲୋଚନା କରୁ କରୁ ସିଓ୍ୟାଇ ଚିନ୍ତାମଣି ଟିକିଏ ପରିବର୍ତ୍ତନ କଲେ । ମୋତିଲାଲ ନେହେରୁ ଟିକିଏ ପରିବର୍ତ୍ତନ କଲେ, ପଣ୍ଡିତ ହୃଦୟନାଥ କୁଞ୍ଜରୁ ଟିକିଏ ପରିବର୍ତ୍ତନ କଲେ, ତଥାପି ପ୍ରସ୍ତାବଟି ଠିକ୍‌ ବାଟରେ ପଡ଼ୁ ନ ଥାଏ ।

 

ବ୍ୟେଙ୍କଟେଶ ନାରାୟଣ ତିବାରୀ ସେଥିରେ ଟିକିଏ ପରିବର୍ତ୍ତନ ଶେଷକୁ କଲେ–ତାହା ସମସ୍ତଙ୍କ ମନକୁ ପାଇଲା । ସେହି ପ୍ରସ୍ତାବ ଲେଖାଗଲା । ସେ ଦିନ ତିବାରୀ ମତ୍ତଗୁଞ୍ଜରକୁ କହିଲେ ଦେଖିଲ–"After all an M.A. is an M.A" ଏତେ ଲୋକ ଥିଲେ କେହି ପ୍ରସ୍ତାବଟି ଠିକ୍‌ ଲେଖି ପାରିଲେ ନାହିଁ ।

 

ତାର କାରଣ ସେମାନେ କେହି ଏମ୍‌. ଏ. ନୁହନ୍ତି । ଆଉ ସେ ତିବାରୀ ଏମ୍‌. ଏ. ହେବା ଯୋଗୁଁ ତାଙ୍କ ପ୍ରସ୍ତାବ ସଂଶୋଧନଦ୍ୱାରା ଠିକ୍‌ ବାଟକୁ ଆସିଲା ।

 

ଏହି ଅହଙ୍କାର ମତ୍ତଗୁଞ୍ଜରକୁ ଖାଇଗଲା । ସେ ଭାବିଲା ଏତେ ଅହଙ୍କାର ।

 

ମତ୍ତଗୁଞ୍ଜର କଟକ ଆସିଛି । କଟକରେ ସେତେବେଳେ ଗୋଟିଏ ଇଂରାଜୀ ଖବର କାଗଜ ନାହିଁ । ସୁତରାଂ ସେ ସାଙ୍ଗେ ସାଙ୍ଗେ ଗୋଟିଏ ଇଂରାଜୀ ଖବର କାଗଜ ବାହାର କଲା । ନାମ ତାର ଥିଲା Star of Utkal ଏହି ସମୟରେ ଦିନେ ସେ ବୁଲୁଛି କିଛି ଭଲଲାଗୁ ନାହିଁ ।

 

ଭାବୁଛି ଏ କଣ ! କିଛି ହେଲା ନାହିଁ । ଖାଲି ଦେଶ ସେବା କରୁଁ କରୁଁ ସେ ମୂର୍ଖ ହୋଇଗଲା । ଏହି ସମୟରେ ଆଚମ୍ୱିତରେ ତାର ଗୋଟିଏ ପୁରୁଣା ଛାତ୍ର ତା ସମ୍ମୁଖ ଦେଇ ବାଇସିକଲରେ ଯାଉଥିଲା, ତାକୁ ପଚାରିଲା–ସୁଶୀଳ ତୁମେ ଆଜି କାଲି କଣ କରୁଛ ? ସେ କହିଲା ସାର୍‌, ଇଂରାଜୀରେ ଏମ୍‍. ଏ. ପରୀକ୍ଷା ଦେଉଛି । ପରୀକ୍ଷା କେବେ ? ଆଉ ଆଠ ଦଶ ଦିନ ଅଛି ।

 

ମୁଁ ପରୀକ୍ଷା ଦେଲେ ହେବ ? ଟଙ୍କା, ଫିସ୍‌ ଦାଖଲ କରିଛନ୍ତି ? ଆଚ୍ଛା ଦେଖନ୍ତୁ କଲିକତା ବିଶ୍ୱ ବିଦ୍ୟାଳୟ ହୁଏତ ଟଙ୍କା ନେଇପାରେ ଏବଂ ପରୀକ୍ଷାରେ ବସିବା ପାଇଁ ଏବେ ବି ଅନୁମତି ଦେଇପାରେ । ସଙ୍ଗେ ସଙ୍ଗେ ସେ କଲିକତା ଗଲା ଏବଂ ଏମ୍‌. ଏ. ପରୀକ୍ଷା ଦେଲା । Indian Vernaculars ରେ । ଏପରି ଗୋଟିଏ ଏମ୍‌. ଏ. ପରୀକ୍ଷା ଅଛି ବୋଲି ସେ ଜାଣି ନ ଥିଲା ଆଗରୁ–ତଥାପି ପରୀକ୍ଷା ଦେଲା–ପାଶ୍‍ କଲା–ଏମ୍‌.ଏ. ହେଲା ।

 

ଭାବିଲା ଏଥର ତିବାରୀର ଅହଂକାର ତୁଟିଲା ।

 

ଏହା ପର ପର ସେ ତିନୋଟି ଏମ୍‌.ଏ.ରେ ପାଶ୍‍ କଲା । ସେ Indian Vernaculars ପରେ Economicsରେ–ତା ପରେ ଇଂରାଜୀରେ, ତା ପରେ Philosophy ପରୀକ୍ଷା ଦେଇଥିଲା–ଆଶାଥିଲା ଖୁବ୍‌ ଭଲ ପାଶ୍‍ ହେବ କିନ୍ତୁ ଦୈବାତ୍‌ ଫେଲ ହୋଇଗଲା । ବିଧାତାର ଇଙ୍ଗିତରେ ଏ ସବୁ ହେଉଛି ବୋଲି ମତ୍ତଗୁଞ୍ଜରର ଖୁବ୍‍ ବିଶ୍ୱାସ।

 

 

ଏଣେ Star of Utkal ସାପ୍ତାହିକ ଇଂରାଜୀ ପତ୍ର ବାହାର କରୁ କରୁ, ଓଡ଼ିଆରେ ତା ଆଗରୁ ‘ସହକାର’ ଗୋଟିଏ ବନ୍ଧୁ ସାହାଯ୍ୟରେ ସେ ବାହାର କରୁଥିଲା । ତାକୁ ହାତକୁ ନେଲା ଏବଂ ସାହିତ୍ୟ ପତ୍ରିକାରେ ପରିଣତ କଲା ।

 

ସଙ୍ଗେ ସଙ୍ଗେ ଇଂରାଜୀ ମାସିକ ମଧ୍ୟ ବାହାର କଲା, ନାମ ରଖିଲା ବୈତରଣୀ । ତାହା ୧୨ ବର୍ଷ ଚାଲିଲା । ତା ପରେ ବନ୍ଦ ହୋଇଗଲା । ତା ପରେ ପୁଣି Orissa Review ଚାଲିଲା-

 

ଏହାଛଡ଼ା ମତ୍ତଗୁଞ୍ଜର ଅସଂଖ୍ୟ ବହି ଲେଖିଲା, ଗୋଟିକ ପରେ ଗୋଟିଏ । ଜୀବନ ଏବଂ ଜୀବନୀ, ପ୍ରତିବିମ୍ୱ, ବେଜାୟ ମଜା, ନାରୀ କବି ମାଧବୀ ଇତ୍ୟାଦି ବହି ମିଶନ ସ୍କୁଲରେ ଶିକ୍ଷକତାବେଳେ ଛାପା ହୋଇଥିଲା–ସେ ୧୯୧୩-୧୪-୧୫-୧୬ର କଥା ।

 

ଏବେ ୧୯୨୨ ପରେ ବାହାରିଲା କବିତା ପୁସ୍ତକ–ଗଦ୍ୟ ପୁସ୍ତକ–ମହାତ୍ମା ଗାନ୍ଧିଙ୍କ ଜୀବନୀ, ଗୋଖେଲ, ଶାସ୍ତ୍ରୀ, ବେଶ୍ୟା, ଇତ୍ୟାଦି । ଆଗପଛ ହୋଇ ଅନେକ ବହି ଆହୁରି ଲେଖା ହେଲା । ଶକୁନ୍ତଳା ଏକାଙ୍କ ନାଟକ, ସାନ୍ତ୍ୱନା ପ୍ରଭୃତି ବହି ମଧ୍ୟ ଲେଖା ହେଲା । ପରେ ତ ଅନେକ ବହି, Hill Tribes of Jeypore, କାଦମ୍ୱରୀ ଶତଦଳ, ନାରୀର ଅବମାନନା, ଦଣ୍ଡନାଟ, ଧୂଳି, ଇତ୍ୟାଦି, ଇତ୍ୟାଦି ।

 

ମତ୍ତଗୁଞ୍ଜର ଆସ୍ତେ ଆସ୍ତେ ଏହି ସବୁପାଇଁ ଗୋଟିଏ ପ୍ରେସ୍‍ କଲା । ଦେଖୁ ଦେଖୁ ପ୍ରକାଣ୍ଡ ଲାଇବ୍ରେରୀ ସୃଷ୍ଟି ହେଲା–୨୦ ହଜାର ବହି ।

 

ସେ ସବୁ ପରେ ପରେ ବଣ୍ଟା ହୋଇଗଲା–ପ୍ରେସ୍‍ ଉଠିଗଲା ।

 

ମତ୍ତଗୁଞ୍ଜରର ଏହି କର୍ମମୟ ଜୀବନ ଭିତରେ କେତେ କଥା ହେଲା–ସବୁ ଦିନ ନିଖି ନିଖି ବର୍ଣ୍ଣନା କରିବା ଅସମ୍ଭବ ।

 

ଏହି ସମୟରେ ମତ୍ତଗୁଞ୍ଜର ଘରେ ସାବ ନାମରେ ଏକ ଚାକରାଣୀ ଥିଲା । ସେ ଖୁବ୍‌ ପରିଶ୍ରମୀ–ସେ ମତ୍ତଗୁଞ୍ଜରର ଆଦର୍ଶ ଥିଲା, ମତ୍ତଗୁଞ୍ଜରର ସେହି ଧ୍ରୁବତାରା ସମ ସ୍ଥିର–ସ୍ଥିରା ।

 

ସେହି ସାବ ବିଧବା, ବହୁତ ଦିନ ବିଧବା ରହିଲା–ତା ପରେ ଜଣକୁ ଧରି ଘର କରି ରହିଥିଲା, ତା’ ପରେ ମରିଗଲା ।

 

ଆଶ୍ଚର୍ଯ୍ୟ ଏହି ସେକ୍‌ସ–ମନୁଷ୍ୟକୁ କେତେବେଳେ କିପରି କଚାଡ଼ି ଦିଏ । ସେଥିପାଇଁ ନେପୋଲିଅନ ଜଣେ ତାଙ୍କର Marshalଙ୍କୁ ଯେତେବେଳେ, ପଚାରିଲେ ଆଚ୍ଛା କହିଲ ଭଲା, ଜଣେ ଲୋକର ୭୦ ବର୍ଷ ହୋଇଛି–ତାର ପିଲା ପିଲି ଅଛି–ଆଉ ତାର ବିବାହ କରିବା ଉଚିତ କି-?

 

ସେଥିରେ ଉତ୍ତର ଦେଇଥିଲା, ସମୟ ସମୟରେ ଦରକାର ହୋଇପାରେ ।

ଆଚ୍ଛା ୭୫ ବର୍ଷ ହୋଇଥିଲେ ?

ଗୋଟିଏ ଗୋଟିଏ case ରେ ଦରକାର ପଡ଼େ ।

ଆଚ୍ଛା ୮୦ ବର୍ଷରେ–ଉତ୍ତର, ସବୁବେଳେ ଆବଶ୍ୟକତା ସ୍ତ୍ରୀ । ତା ପରେ ?

 

ତା ପରେ ଛାଡ଼ିଦେଇ ପାରେ । ଏହି ହେଲା sexର ପ୍ରଭାବ ଏହାକୁ ମାରିବା ସହଜ ନୁହେ ।

 

ମଦନ, ମଦନ–ରତିପତି, ରତିପତି । ଶିବକୁ ଭୁଲାଉ ଥିଲା, ଶେଷରେ ଶିବ ମଧ୍ୟ ଭୁଲିଲେ ପାର୍ବତୀ ସହିତ ମିଳନ ହେଲା ।

 

ନଅ

 

ମତ୍ତଗୁଞ୍ଜର ଯେତେବେଳେ ଛୋଟ ପିଲା ସେତେବେଳେ ସେ ତ ଚାହୁଁ ଥିଲା ମେମ ବିବାହ କରିବ । ଯୌବନରେ ସ୍ୱପ୍ନରେ ମେମ ରମଣୀ ପାଇଲା । କି ଅଦ୍‌ଭୁତ ବାସନା ମତ୍ତଗୁଞ୍ଜରର, ଆଉ କି ଅଦ୍‌ଭୁତ ଆଗମନ ସେହି ମେମ ରମଣୀର, ଆଉ କି ଅଦ୍‌ଭୁତ ମରଣ ନିମିଷକେ ।

 

ବହୁବର୍ଷ ଏହିପରି ଗଲା, ତା ପରେ ମତ୍ତଗୁଞ୍ଜର ତାର ଚାରି ବର୍ଷର କନ୍ୟାକୁ ପ୍ରଥମ ୪ବର୍ଷ ପରେ ଦେଖିଲା ।

 

ମତ୍ତଗୁଞ୍ଜର ଏ ଦୁହିଙ୍କୁ ନେଇ ଏଲାହାବାଦ୍‌ ଚାଲିଲା । କିନ୍ତୁ ଭାରତ ସେବକ ସମିତିର ନିୟମ ଅନୁଯାୟୀ ସେତେବେଳେ ପ୍ରଥମ ୫ବର୍ଷ କେହି ସ୍ତ୍ରୀ ସହିତ ରହିପାରୁ ନ ଥିଲେ । ଏହାହି ଥିଲା ନିୟମ, ଗୋଖେଲ ଏତେ କଠୋର ନିୟମ କରିଥିଲେ । ଏହିକଥା ପଣ୍ଡିତ କୁଞ୍ଜ୍ରୁ କହିଲେ । ସୁତରାଂ ତହିଁଆର ଦିନ Crosthawaite girl schoolରେ ଉଭୟ କନ୍ୟା ଓ ମାତା ଭର୍ତ୍ତି ହେଲେ । ମତ୍ତଗୁଞ୍ଜର ପୁଣି ଏକାକୀ । ଏହାପରେ ମତ୍ତଗୁଞ୍ଜର ହିମାଳୟରେ ଦୁର୍ଭିକ୍ଷ କାମ ପାଇଁ ଚାଲିଗଲା । ସ୍ଥିରା ସେହିପରି ଏକାକିନୀ କନ୍ୟା ସହ ।

 

ଏକବର୍ଷ ପରେ ପୁଣି ମତ୍ତଗୁଞ୍ଜର ସ୍ଥିରାକୁ ଧରି ମହାତ୍ମାଗାନ୍ଧିଙ୍କ ପତ୍ନୀ କସ୍ତୁରବା ଗାନ୍ଧୀଙ୍କ ପାଖରେ ମୋତିହାରୀରେ ଛାଡ଼ି ଆସିଲା । ସେତେବେଳେ ସେଠାରେ ନୀଳକର ସାହେବ ମାନଙ୍କ ଦାଦନ ଘେନି ଆନ୍ଦୋଳନ ଚାଲିଥିଲା । ମତ୍ତଗୁଞ୍ଜର ଜାମଶେଦପୁରରେ ଜନମଙ୍ଗଳ କାମରେ ଆସି ହାଜର । ଏଣେ ମୋତିହାରୀର କାର୍ଯ୍ୟ ଶେଷ ହେବାରୁ କସ୍ତୁରବା ଗାନ୍ଧୀ ସ୍ଥିରାକୁ ଏଲାହାବାଦରେ ଛାଡ଼ିଦେଇ ଗଲେ ଭାରତ ସେବକ ସମିତି ଘରେ ।

 

ଅଭାଗିନୀ ସ୍ଥିରାର ଜୀବନକୁ ମଧୁମୟ କରିବା ପାଇଁ ମତ୍ତଗୁଞ୍ଜର ଜନନୀର ବଡ଼ ଚେଷ୍ଟା-। ସୁତରାଂ ଚେଷ୍ଟାକରି ତାକୁ କାଳିମାଟି ଅଣାଇଲା ଏବଂ ସ୍ଥିରା ଓ ମତ୍ତଗୁଞ୍ଜର ଏକାଠି ରହିଲେ । ମାତ୍ର ସେ ଦୁଇ ମାସ । ଦୁଇ ମାସ ପରେ ବଙ୍ଗଦେଶରେ ଭୟଙ୍କର ବାତ୍ୟା ହେଲା–ସେଥିରେ ପୂର୍ବବଙ୍ଗର ଭୀଷଣ କ୍ଷତି ହେଲା । ମତ୍ତଗୁଞ୍ଜର ପୂର୍ବ ବଙ୍ଗକୁ ଧାବମାନ । ସ୍ଥିରା କାଳିମାଟିରେ ପଡ଼ି ରହିଲା ଏକାକିନୀ ।

 

ବର୍ତ୍ତମାନ ଏହି ମତ୍ତଗୁଞ୍ଜରର ବହୁରୂପ ଦିଆଗଲା । ସେ ଆସାମ, ବଙ୍ଗ, ହିମାଳୟ ପ୍ରଭୃତି ନାନା ସ୍ଥାନରେ ଦୁର୍ଭିକ୍ଷ, ବଢ଼ି, ବାତ୍ୟା କାମରେ ବ୍ୟସ୍ତ । ଆଉ ସ୍ଥିରା ଏକାକିନୀ ଘରେ ପଡ଼ି ରହେ ଗୃହ ଜଞ୍ଜାଳ ଘେନି ।

 

ବାସ୍ତବିକ ସ୍ଥିରା ସ୍ଥିରା । ବହୁରୂପ ପ୍ରଥମେ ମଧୁପ–ତା ପରେ ମତ୍ତଗୁଞ୍ଜର–ତା ପରେ ଗୃହସ୍ଥ । ନାନା କର୍ମ ଭିତର ଦେଇ, ନାନା ଦେଶ ଭ୍ରମଣ କରି ସେ ବାସ୍ତବିକ ବହୁରୂପ ହୋଇଛି । ଲେଖକ, କବି, ଦାର୍ଶନିକ, ଗୃହସ୍ଥ (ଆନସକ୍ତ ଗୃହସ୍ଥ,) ସାଂବାଦିକ, ଦେଶ ସେବକ, ରାଜନୀତିଜ୍ଞ–ସତେତ ବହୁରୂପ । ଏହି ବହୁରୂପର ଜୀବନରେ–ସୌଦାମିନୀ, ବେଶ୍ୟା, ଭିଖାରୁଣୀ ଏସବୁ ଦେଖା ଦେଇଛନ୍ତି–ବିଦ୍ୟୁତ ପରି ଉଭେଇ ଯାଇଛନ୍ତି ।

 

ଦଶ

 

ସୌଦାମିନୀ ଚାଲି ଯାଇଛି । ତାର ସ୍ୱାମୀ କାଳୀପଦ ଆଉ ବିବାହ କରି ନାହିଁ । ପିଲାନାହିଁ, ପିଲିନାହିଁ, ଏକାକୀ ଜୀବନ–ସେଥିରେ ଚାକିରି, ଓଭର ସିଆରି । ବାର୍ଦ୍ଧକ୍ୟରେ ଆସି ଉପନୀତ । କାଳୀପଦ ମନକଥା କାଳୀପଦହିଁ ଜାଣେ । ଆଉ ସୌଦାମିନୀ ବଞ୍ଚିଛି କି ମରିଛି କିଏ କହିପାରେ । ହୁଏତ ହଠାତ୍‌ ଦିନେ ସେ ସୌଦାମନୀ ପରି କାଳୀପଦ ଓ ମତ୍ତଗୁଞ୍ଜର ଆଉ ଆଉ ତାର ପୂର୍ବ ପରିଚିତ ଆତ୍ମୀୟଙ୍କ ନିକଟରେ ପହଞ୍ଚିପାରେ ।

ଭିଖାରୁଣୀ ଭିତରୁ ଜଣେ ମରିଛି–ଆଉ ଜଣେ କୁଆଡ଼େ ଯାଇଛି କି ମରିଛି କହି ହେବ ନାହିଁ । ଯେ ମରିଛି ତାର କେତେ ଆଶାଥିଲା–କେତେ ନିରାଶା ଜୀବନରେ ସେ ପାଇଛି–ସ୍ୱାମୀ ବା ପୁରୁଷର ସୁହାଗ ସେ ଜାଣିଛି, ଅନେକ ସମୟରେ ହତାଶ ହୋଇଛି ସେ । କିନ୍ତୁ ତା ବୋଲି ସେ ଦାସୀର ଅଧମ ନୁହେ । ଘର ଚଳାଇବାରେ ସେ ଧୁରନ୍ଧର ଥିଲା, ବିଶ୍ୱସ୍ତ ଥିଲା, ଦିଗୁଣା ଥିଲା, ଏହା କମ କଥା ନୁହେଁ ସେ ଆଜି ମରଣ ସେପାରିକୁ ଚାଲି ଯାଇଛି ।

ମତ୍ତଗୁଞ୍ଜର ଯେବେ ଯେବେ ବିପଦରେ ପଡ଼ିଛି–ତା ପରେ ପରେ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି, ଯେପରିକି ସେ ଶଙ୍କରାଚାର୍ଯ୍ୟ ଆଦର୍ଶରୁ ନିଜକୁ ତଳକୁ ଖସାଇ ଦେଇଛି । ଅନେକ ବୃଶ୍ଚିକଦଂଶନ ସେ ଜୀବନରେ ପାଇଛି । ତଥାପି ଚାଲିଛି ସେ ଏହି ଜୀବନ ଧରି । ଏହି ଯାତ୍ରାପଥ କେବେ ଶେଷ ହେବ କିଏ କହିବ ? ହୁଏତ ଏ ଜନ୍ମପାଇଁ ଶୀଘ୍ର ଶେଷ ହେବ କିନ୍ତୁ ଆଉ ଆଉ ଜନ୍ମତ ଅଛି । ଆତ୍ମାତ ଅମର । ଶରୀର ପରିଗ୍ରହ କରି ଏହି ଆତ୍ମାକୁ ତ ବାରଂବାର ଗତି କରିବାକୁ ହେବ–କ୍ଷୁର ଧାରରେ ଚାଲିବାକୁ ହେବ ।

ସ୍ଥିରାର କି ଅନାବିଳ ପରିଶ୍ରମ । ସେ ସବୁବେଳେ ଖଟେ–ସମସ୍ତଙ୍କର ସେବାକରେ । ବାପଘରୁ ଯେଉଁଦିନୁଁ ଆସିଛି–ଆଠ ବର୍ଷରେ ସେ ବାହାହୋଇଥିଲା–ସେଦିନୁଁ ସେ ସ୍ୱାମୀ ଘରେ ଖଟି ଆସିଛି । କେତେ ପରିଶ୍ରମୀ କିନ୍ତୁ କିଛି ଭାବେ ନାହିଁ । ସବୁବେଳେ ଖଟୁଥାଏ । ସମସ୍ତଙ୍କର ସେବାକରେ । ଶାଶୁ ଶ୍ୱଶୁର ସମସ୍ତଙ୍କର ସେବା କରେ, ନାତୁଣୀର ସେବା କରେ, ଗୋରୁଗାଈର ସେବା କରେ, ଗଛପତ୍ର ଲଗାଏ ।

ତାର ସେବା କରେ–ଭୋକୀଶୋଷୀ ଆସିଲେ ଅନ୍ନଜଳ ଦେଇ ତାର ସେବା କରେ ।

ସବୁବେଳେ ସେ ସେବା ପରାୟଣା କିନ୍ତୁ ନିଜ ପେଟକୁ କିଛି ଖାଏ ନାହିଁ । ଖାଲି ସେତିକି ନୁହେଁ, ନିଜକୁ ସବୁବେଳେ ଶୁଖେଇ ଶୁଖେଇ ତାର ନିଜର ସ୍ୱାସ୍ଥ୍ୟକୁ ଖରାପ କରିଛି । ଆଜି କିଛି ତାକୁ ରୁଚେ ନାହିଁ । ତାର କଲିକ୍‌ ପେଟକାମୁଡ଼ା ରୋଗ, ପୁଣି ମେଲେରିଆ ହୁଏ–କଷ୍ଟ ପାଏ ।

ସେଥିରେ ସେ କାମ କରୁଥାଏ । ନାତି ନାତୁଣୀର, ସ୍ୱାମୀର, ଗୁରୁଜନର, ସେ ବନ୍ଧୁ ବାନ୍ଧବର ସେବା କରୁଥାଏ । ଏପରି ଆପଣାକୁ ଭୁଲି ଜଗତରେ ବଞ୍ଚିବା ମଣିଷ ଖୁବ୍‌ କମ ଦେଖାଯାନ୍ତି । ସେହିମାନଙ୍କ ଭିତରୁ ସ୍ଥିରା ଜଣେ । ଯୀଶୁଖ୍ରୀଷ୍ଟ ବୁଦ୍ଧ ଭଳିଆ ଲୋକ । ତାର ପାପ ନାହିଁ, ବିଳାସ ନାହିଁ । କେବଳ ସେବା, ପୁଣ୍ୟ ଚିନ୍ତା–ଠାକୁର ପୂଜା–ପିତାମାତାଙ୍କୁ ସ୍ମରଣ କରିବା ।

ଏହି ହେଲା ସ୍ଥିରାର ଜୀବନ । ତାର ଶତ ଦୁଃଖ ସେ ମୁହ ଫିଟାଇ କାହାକୁ କହି ନାହିଁ । ସେ ଅନ୍ତରର ଦୁଃଖକୁ ଚାପି ରଖି ଆଉ ସମସ୍ତଙ୍କର ସେବା କରିଛି । ସ୍ୱର୍ଗର ପରୀ ଚେହେରା ତାର, କିନ୍ତୁ ତାକୁ ଅନାହାରରେ ରଖି ରଖି ସେ ଶୁଖି ଯାଇଛି । ସ୍ଥିରା ବାହା ହୋଇ ଆସିଲାଦିନଠାରୁ ସ୍ୱାମୀ କୁଳରେ ସୁଖ ସମୃଦ୍ଧି, ଗୋରୁଗାଈ ଘରବାଡ଼ି, ବଗିଚା, ସବୁ ବଢ଼ିଛି ।

ସ୍ଥିରା ଲକ୍ଷ୍ମୀ । ସେ ଯେତେଦିନ ଅଛି ଲକ୍ଷ୍ମୀ ଅଛି । ଲକ୍ଷ୍ମୀ ସେ ଯେଉଁଦିନ ଚାଲିଯିବ କଣ ହେବ କେଜାଣି । କିନ୍ତୁ ତାର ଆଭାସ ଇଙ୍ଗିତ ଭାବିଲାବେଳକୁ ଭୟ ହୁଏ । ସବୁ କଣ ଉଭେଇ ଯିବ-?

ଘରଦ୍ୱାର ଭାଙ୍ଗି ଯିବ, ପୋଖରୀ ଶୁଖି ଯିବ, ମାଛ ରହିବ ନାହିଁ । ଗୋରୁଗାଈ କଣ ସବୁ ଚାଲିଯିବେ । ଗୁହାଳ ଖାଲି ପଡ଼ିବ ।

ବାଡ଼ି ବଗିଚା କଣ ସବୁ ଶୁଖିଯିବ ?

ଏହି ଚିନ୍ତା ମନକୁ ଘାରେ । କିନ୍ତୁ ସ୍ଥିରା ପ୍ରଭୁ ଅନ୍ତର୍ଯ୍ୟାମୀ ପାଖରେ ନାତିନାତୁଣୀ ସ୍ୱାମୀ କନ୍ୟା ସମସ୍ତଙ୍କର ମଙ୍ଗଳ ମନାସୁ ଥାଏ । ସବୁବେଳେ–ତା ଅନ୍ତେ ମଧ୍ୟ କିପରି ଏମାନେ ଭଲରେ ରହିବ ସେ ମନେ ମନେ ଭାବୁଥାଏ, ପ୍ରାର୍ଥନା କରୁଥାଏ ଇଶ୍ୱରଙ୍କୁ ।

ସ୍ଥିରା ଗୁରୁଜନମାନଙ୍କୁ ବରାବର ମାନି ଆସିଅଛି । କାହାକୁ ଅମାନ୍ୟ କେବେହେଲେ କରି ନାହିଁ ।

ଅନ୍ୟର ଦୁର୍ବଳତା ଦେଖିଛି–ସହିଛି– ।

ସ୍ୱାମୀକୁ ସତତ ସତ୍ୟ ପଥରେ, ଧର୍ମ ପଥରେ, ଧର୍ମ ପାଖରେ ରଖିବା ପାଇଁ ମନେ ମନେ ପ୍ରାର୍ଥନା କରିଛି–ଜଗିଛି ।

ଶତ ବିପଦ୍‌ବେଳେ ସେ ସ୍ୱାମୀ ପାଖରେ ଜଗି ରହିଛି । କି ଭୟଙ୍କର ମେଲେରିଆ–କି ଭୟଙ୍କର ଟାଇଫଏଡ଼–କି ଭୟଙ୍କର କୁଷ୍ଠ–କି ଭୟଙ୍କର ଦମା ଶ୍ୱାସ ।

ସବୁବେଳେ ସେ ଅନ୍ତରଙ୍ଗ ହୋଇ ରହିଛି । ଏପରି ନାରୀ ଜଗତର ସୁଖଦାତ୍ରୀ, ସୌଭାଗ୍ୟବତୀ ।

କିନ୍ତୁ ତାର ସୌଭାଗ୍ୟ କାହିଁ ? ସେ ଯେ ଭଲ ପିନ୍ଧେ ନାହିଁ । ଭଲ ଖାଏ ନାହିଁ–ଭଲ ଚିଜ ନିଜ ପାଇଁ କିଛି ଚାହେ ନାହିଁ ।

ଅଦ୍‍ଭୁତ ଏ ସ୍ଥିରା । ବୀରର ବୀରତ୍ୱ ଏହାଠାରେ ପରାଜୟ ସ୍ୱୀକାର କରେ । ଏଠାରେ ଆସ୍ଫାଳନ ନାହିଁ–ଗର୍ବ ନାହିଁ, ଅହଙ୍କାର ନାହିଁ ।

ଏଠାରେ ଅଛି କେବଳ ସେବା–ସେବା–।

ଖଟୁଣି–ଚିରକାଳ ଖଟୁଣି । ଜୀବନଟା ଖଟୁଣି ପର ପାଇଁ, ଏ କଥା ସେ ନିଜର ସ୍ୱଭାବସିଦ୍ଧ କରି ନେଇଛି ।

ଦୁଃଖ କେତେ ଯେପରି, ସୁଖ ବେଳ ମଧ୍ୟ ସେହିପରି–କେବେହେଲେ ସେ ବିରକ୍ତ ହୋଇନାହିଁ, ଗର୍ବ ଅହଙ୍କାର ଦେଖାଇ ନାହିଁ, ସେ ଚନ୍ଦ୍ରପରି କିରଣ ଢାଳିଛି–ସେ ସୂର୍ଯ୍ୟପରି ଆଲୋକ ଦେଇଛି, ସେ ନନ୍ଦିନୀପରି ଦୁଗ୍‌ଧ ଦାନ କରିଛି । ସେ ସୈରୀନ୍ଦ୍ରୀ ପରି ସେବା କରିଛି । ସ୍ୱାମୀ ତାର ଏକମାତ୍ର ସମ୍ପତ୍ତି । ସ୍ୱାମୀ ପାଖରେ ଥିଲେ ତାର ଆଉ କିଛି ଦରକାର ନାହିଁ । ସେ ଘର ଛାଡ଼ି ଆଉ କୁଆଡ଼େ ଯିବାକୁ ଚାହେଁ ନାହିଁ । ସେ ସ୍ୱାମୀକୁ ବରାବର ପାଖରେ ଦେଖିବ ଏତିକି ତାର ଆକାଂକ୍ଷା–ଏତିକି ତାର ଆଗ୍ରହ । ସେ ସ୍ୱାମୀକୁ ଭଲ ଖୁଆଇବ–ପିନ୍ଧାଇବ–ଏତିକି ତାର ଲାଳସା ।

ସ୍ଥିରା, ସ୍ଥିରା । ବାଡ଼ି ବଗିଚା କରି ଫଳ ଶାଗ ସମସ୍ତଙ୍କୁ ଆଣିଦେବ, ପୋଖରୀରୁ ମାଛ ଯୋଗାଡ଼ କରିବ–ସ୍ଥିରା କେବଳ ଏହାହିଁ ଚାହେଁ । ସ୍ଥିରା କେବଳ ଅସ୍ଥିରା ହୁଏ ଯେତେବେଳେ ସେ ଦେଖେ ଭଣ୍ଡାରଘର ପୂର୍ଣ୍ଣ ନାହିଁ–ଖାଦ୍ୟ ଦ୍ରବ୍ୟ ସଞ୍ଚିତ ନାହିଁ । ସ୍ଥିରା ଅସ୍ଥିର ହୁଏ ଯଦି ସେ ଦେଖେ ପାପର ପ୍ରଲୋଭନର କୌଣସି ଜିନିଷ ସ୍ୱାମୀର ଚତୁଃସୀମା ମାଡ଼େ–ନୋହିଲେ ସ୍ଥିରା ସ୍ଥିରା–ସେବା ପରାୟଣା, ପରିଶ୍ରମୀ ସଦା କର୍ମତତ୍‌ପର ।

ସେହି ସ୍ଥିରାହିଁ ମତ୍ତଗୁଞ୍ଜରକୁ ଶେଷରେ ଘରଦ୍ୱାର ବାନ୍ଧିବାରେ ପ୍ରବର୍ତ୍ତାଇ ପାରିଛି–ନୋହିଲେ ମତ୍ତଗୁଞ୍ଜର କେବେ ଘର ବାନ୍ଧି ନ ଥାନ୍ତା–ଘର ବନ୍ଧାରେ ତାର ମନ କେବେ ନ ଥିଲା । ସ୍ଥିରା ପାଇଁ କେବଳ ମତ୍ତଗୁଞ୍ଜର ଘର ବାନ୍ଧିଛି । ସ୍ଥିରାକୁ ଦେଖିଲେ ଅନେକ ସମୟରେ ବଡ଼ ଦୁଃଖ ହୁଏ । ସେ ଆପଣା ପାଇଁ କିଛି କରେ ନାହିଁ । ନିଜର ତନୁମନ ଦେଇ ସେ କେବଳ ଅପରର ସେବାକଲା ସବୁବେଳେ-ଆଶ୍ଚର୍ଯ୍ୟ ଏ ନାରୀ ସ୍ଥିରା । ମତ୍ତଗୁଞ୍ଜର ଏହାରି ପାଦରେ ଗୁଞ୍ଜରି ଗୁଞ୍ଜରି ଜୀବନ କଟାଉଛି । ଶେଷ ଜୀବନ ତାରି ପାଖରେ, ତାରି କୋଳରେ ଯାଉ ଏହି ଆକାଙ୍‍କ୍ଷା ମତ୍ତଗୁଞ୍ଜରର । ଆଉ କିଛି ଆକାଙ୍‍କ୍ଷା ନାହିଁ । ସବୁ ହୋଇଛି–ସେ ନାନାଶାସ୍ତ୍ର ଅଧ୍ୟୟନ କରିଛି–ନାନାଶାସ୍ତ୍ର ଲେଖିଛି । ସେ ନାନା ଧର୍ମର ଆଲୋଚନା କରିଛି ।

ଶେଷରେ ସେ ଏତିକି ଜାଣିଛି ଯେ ଏପରି ସୁଭଗା ନାରୀ ଯାର ତାର ଜୀବନରେ ସ୍ୱର୍ଗ ସବୁବେଳେ–ନରକର ପୂତିଗନ୍ଧ ସେଠାରେ ପ୍ରବେଶ କରିପାରେ ନାହିଁ–ସ୍ଥିରା ସ୍ଥିରା, ଆଲୋକ ପରି ଜୀବନ ଅତିବାହିତ କରିଛି–ତାର ଜୀବନରୁ ଆଲୋକ କେବେ ଲିଭିଯାଇ ନାହଁ ।

ସବୁବେଳେ ସେ ଏକମୁଖୀ–କର୍ତ୍ତବ୍ୟ ସୁଖୀ–ତାର ପ୍ରଭୁପାଦ ବା ଆଉ ତାର ଅନ୍ତରର ଅନ୍ତର ବିଶ୍ୱାସ ସେହି ଅନାଦି ପ୍ରଭୁ ପରମେଶ୍ୱର ।

ସ୍ଥିରା ଯୋଗୁଁ ଘରେ ପାପ ପ୍ରବେଶ କରିବା ସହଜ ନୁହେଁ । ନିଜର ତ ପାପ ନାହିଁ–କିନ୍ତୁ ଗୃହ ଭିତରେ କାହାରି ଅନ୍ତରରେ ପାପର ପ୍ରବେଶ ଟିକିଏ ଦେଖିଲେ ସେ ଅଥୟ ହୋଇପଡ଼େ । ସେ ତାକୁ ନିଷ୍କାସିତ କରିବା ପାଇଁ ସର୍ବଦା ଚେଷ୍ଟା କରେ ।

ସ୍ଥିରା ବଡ଼ ସ୍ଥିର–ଶାନ୍ତ କିନ୍ତୁ ପାପ ଦେଖିଲେ ସେ କୁଦାସିଂହୀ ପରି ଝାମ୍ପି ପଡ଼ିବ, ପାପକୁ ସମୂଳେ ନଷ୍ଟ କରିବା ପାଇଁ–କାହାରି ଦେବନାହିଁ ଖଟି ଖଟି ଶୋଇପଡ଼େ–ସେତେବେଳେ ଯଦି ଲୁଚି ହୃଦୟରେ ତାହା ଜ୍ଞାତସାରରେ ସେ ପାପକୁ ପ୍ରବେଶ କରିବାକୁ ଲୁଚି କେହି ପାପ କରେ ତାହାହେଲେ ସେ ନାଚାର–କଣ କରିବ ? କେତେ ଆଉ ଜଗିବ ? କେତେ ଆଉ ଚାହିଁବ ?

ଧନ୍ୟା ଏହି ସ୍ଥିରା । ଗୃହର ଜ୍ୟୋତି ସେ । ସଂସାରର ମୂର୍ତ୍ତିମତୀ ମଙ୍ଗଳା ସେ । ତା ପରି ସ୍ତ୍ରୀ ଯୋଗୁଁ ପୃଥିବୀ ପାପ ଭାଗରୁ ଟିକିଏ ଉଶ୍ୱାସ ପାଏ ।

ତା ୩୦-୩-୧୯୫୨

 

ଏଗାର

 

ପୁରୀ ଜିଲ୍ଲାରେ ଭୟଙ୍କର ଦୁର୍ଭିକ୍ଷ । ସେ ୧୯୧୯-୨୫ ସାଲର କଥା । ଡଭାର ଗ୍ରାମରେ ମତ୍ତଗୁଞ୍ଜର ଉପସ୍ଥିତ । ସମସ୍ତ ଚାଟା ଖାଁ ଖାଁ କରୁଛି । ଜନପ୍ରାଣୀ କେହି ନାହିଁ । କେବଳ କେତେଗୁଡ଼ିଏ ପ୍ରେତ ଭଳିଆ ଲୋକ ଏଆଡ଼େ ସେଆଡ଼େ ଦେଖା ଯାଉଛନ୍ତି, ଧାନ ବିଲରେ ପୋଖରୀ କୂଳରେ ।

ଶାଗ, ଗେଣ୍ଡା, ଦିଟା ସଂଗ୍ରହ କରୁଅଛି । କିନ୍ତୁ ତା ବି ବଳି ନାହିଁ । ଚାଲିବାର ଶକ୍ତି ନାହିଁ, ବସିବାର ଶକ୍ତି ନାହିଁ, ଚାହିଁବାର ଶକ୍ତି ନାହିଁ ।

ଏଣେ ଗାଁରେ କେତେଗୁଡ଼ିଏ କଙ୍କଳସାର ଛୁଆଗୁଡ଼ିଏ ଏଆଡ଼େ ସେଆଡ଼େ ବୁଲୁଛନ୍ତି–କିଛି ପାଇଲେ ଖୁଣ୍ଟି ଖାଇବେ ।

ଗାଁରେ କୁଆ, ଶାଗୁଆ ମଧ୍ୟ ଦେଖା ଯାଉନାହାନ୍ତି । କାହିଁକି ରହିବେ-ସେ ଗାଁରେ ତ ଖାଇବାର କିଛି ନାହିଁ ।

ଘର ସବୁ ଭାଙ୍ଗିଗଲାଣି, ଚାଳ ଛପର ଉଡ଼ିଗଲାଣି, କିଛି ନାହିଁ–ଏଆଡ଼େ ସେଆଡ଼େ ଜଳଜଳିଆ ହୋଇ ଦିଶୁଛି–କାନ୍ଥ କେତେକ ଭାଙ୍ଗି ଗଲାଣି–ଆଉ କେତେକ ରହିଛି ।

ତାହାରି ଭିତରେ ପଶି–କଣ ଦେଖିବ–ଜନଶୂନ୍ୟ, ଘରେ ଆଉକିଛି ଆସବାବପତ୍ର ନାହିଁ-

ଘର ଭିତରକୁ ପଶିଯାଅ ଦେଖିବ ଏଆଡ଼େ ସେଆଡ଼େ ସ୍ତ୍ରୀ ଗୋଟିଏ ଗୋଟିଏ ଲୁଚି ଯାଇଛନ୍ତି–ଲଜ୍ଜା ନିବାରଣ କରିବାପାଇଁ ସେମାନଙ୍କର ଦେହରେ କିଛି ନାହିଁ–ଛିଣ୍ଡା କପଟା ତା ମଧ୍ୟ କାହାରି କାହାରି ନାହିଁ–ଛିଣ୍ଡା ଅଖା–ତା ମଧ୍ୟ କାହାରି କାହାରି ନାହିଁ ।

କି ଭୀଷଣ । କି ନିଦାରୁଣ ଦୃଶ୍ୟ ଏ ।

କେବଳ ଗୋଟିଏ ଚୁଲି ଉପରେ ଗୋଟିଏ ହାଣ୍ଡି ।

ସେଠି କଣ ଅଛି ? କଣ ହୁଏ ? ଏହି ଶାଗ ଗେଣ୍ଡା ଯା ମିଳୁଛି ତାକୁ ସିଜେଇଛନ୍ତି–ଟିକିଏ ଲୁଣ ପକାଇ ଖାଇବେ, ଲୁଣ ମଧ୍ୟ ସହଜରେ ମିଳୁ ନାହିଁ । ହାତରେ ପଇସା କାହିଁ ?

ମତ୍ତଗୁଞ୍ଜର ସେଠି ଚାଉଳ ବାଣ୍ଟିବା ପାଇଁ ଗଲା ଓ ସାଗୁଣା ପରି ଲୋକ କୋରିଗଲେ, ଚାଉଳ ଯା ଦିଆହେଲା ଅତି କଷ୍ଟରେ–ଲୋକେ ତାକୁ ସଙ୍ଗେ ସଙ୍ଗେ ଖାଇବାକୁ ଆରମ୍ଭ କଲେ । ରାନ୍ଧିବା ପର୍ଯ୍ୟନ୍ତ ଅପେକ୍ଷା କରି ହେଉନାହିଁ ।

ମତ୍ତଗୁଞ୍ଜର ଏହି ଅବସ୍ଥା ଦେଖି କାନ୍ଦି ପକାଇଲା, ପରେ ନଈବଢ଼ି ଯିବାରୁ ଆଖିପାରି ବାହାରି ଯିବାରୁ–ମତ୍ତଗୁଞ୍ଜର ପିଲାମାନଙ୍କୁ ନେବା ଗୋଟିଏ ଭଙ୍ଗାଘରେ ବସି ଅତି କଷ୍ଟରେ କିଛି ଚାଉଳ ଫୁଟାଇଲା ।

ସେହି କଙ୍କାଳସାର ଜୀର୍ଣ୍ଣଶୀର୍ଣ୍ଣ ପିଲାଙ୍କ ସାଙ୍ଗରେ ବସି ଖାଇଲା । ଏକ ସାଙ୍ଗରେ ସମସ୍ତେ ଖାଇଲେ କେତେଗୁଡ଼ିଏ ପତ୍ର ଏକାଠି ବିଛାଇ ଦିଆ ହୋଇଥିଲା । ସେଥିରେ ସମସ୍ତେ ଖାଇଲେ ମତ୍ତଗୁଞ୍ଜର ନିଜ ହାତରେ କେତେଗୁଡ଼ିଏ ପିଲାଙ୍କ ପାଟିରେ ଖୁଆଇ ଦେଉଥାଏ । କେହି କେହି ପିଲା ତାକୁ ଚାହିଁ ସ୍ନେହରେ ତାକୁ ମଧ୍ୟ ଗୁଣ୍ଡାଏ ଗୁଣ୍ଡାଏ ପାଟିରେ ଖୁଆଇ ଦେଲେ । ମତ୍ତଗୁଞ୍ଜର ଭାବାବିଷ୍ଟ–ତାର ଆଖିରେ ମେଘ ଘେରିଗଲା–ସେ ପୁଣି ଭୋ ଭୋ କରି କାନ୍ଦି ଉଠିଲା ଓଃ । ଏ କି ଭୀଷଣ ଦୃଶ୍ୟ ! ଅନାହାର ! ଦାରୁଣ ଭୋକ ! ତା ପରେ କଣ୍ଟା ପଞ୍ଜରା-ଜୀବନ ନାହିଁ ଯେପରି–ଥୁଡ଼ିକି ଥୁଡ଼ିକି ହୋଉଛି ଅଥଚ ଏଣେ ସରକାର ଦୁର୍ଭିକ୍ଷ ବୋଲି ସ୍ୱୀକାର କରୁନାହଁ କହୁଛି ଖାଦ୍ୟର ଟିକିଏ ଅନଟନ ହୋଇଛି । ମାତ୍ର, ଧନ୍ୟ ସରକାର ସରକାରୀ କର୍ମଚାରୀ ଯେଉଁମାନେ ଏହା ଦେଖୁଛନ୍ତି ବୁଝୁଛନ୍ତି ସେମାନେ ମଧ୍ୟ କାଗଜ ପତ୍ରରେ ଏହିୟା ଲେଖୁଛନ୍ତି–ମନେ ମନେ ଯାହା କହନ୍ତୁ ପଛକେ । ଏହିପରି ଭୟାନକ ଦୃଶ୍ୟ ୧୯୪୨ ସାଲରେ ବାଲେଶ୍ୱର–ଉତ୍ତର ବାଲେଶ୍ୱର, ଆଉ ଗଞ୍ଜାମର କେତେକ ଅଞ୍ଚଳରେ ହୋଇଥିଲା ।

ଜଳେଶ୍ୱର ପାଖରେ କେତେ ହାଡ଼ କୁଡ଼ ହୋଇଗଲା-ତାରି ଭିତରୁ ମତ୍ତଗୁଞ୍ଜର ଗୋଟିଏ ପିଲାର କରୁଣ କଣ୍ଠଧ୍ୱନି ସଙ୍ଗୀତ ଶୁଣିଲା–ଆହା ! କି ପ୍ରାଣସ୍ପର୍ଶୀ !

ସେହି ପିଲାକୁ ସେ ଉଦ୍ଧାର କଲା । ତାକୁ କୁମଜ୍ୟା ସାହାଯ୍ୟ କେନ୍ଦ୍ରରେ ନେଇ ପାଠ ପଢ଼େଇଲା । ତା ପରେ ସେ ଆଜି ହାଇସ୍କୁଲରେ ପାଠ ପଢ଼ିଛି । ଧନ୍ୟ ଏହି–

ମତ୍ତଗୁଞ୍ଜର ହିମାଳୟରେ ଏହିପରି ଦୃଶ୍ୟ ଦେଖିଛି ୧୯୧୮ ସାଲରେ । ସେଠାରେ ଚାଉଳ ଆଉ ଗହମ ବଣ୍ଟନ କରିଛି–

ସେହିପରି ଅବସ୍ଥା ୧୯୧୯ରେ ପୂର୍ବବଙ୍ଗର ଝଟିକାରେ ଘଟିତ ହୋଇଥିଲା, ସେଠାରେ ମଧ୍ୟ ସେ ଏହି ଲୋକଙ୍କର ସେବା କରିଛି । ଘର ଭିତରେ ପଶିଯାଇ ଦେଖିବ ସ୍ତ୍ରୀ ଲୋକମାନେ ଛିଣ୍ଡା କପଟା ପିନ୍ଧିଛନ୍ତି–କେହି କେହି ଛିଣ୍ଡା ଅଖା ଘୋଡ଼େଇ ହୋଇଛନ୍ତି ।

ଏହି କି ଜୀବନ ?

ଭଗବାନ୍‌ ! ଏପରି କଷ୍ଟରେ ଜୀବନ କାହିଁକି ଦେଲ ?

ମନୁଷ୍ୟ ମନୁଷ୍ୟ ଭିତରେ ଏଡ଼େ ପାର୍ଥକ୍ୟ କାହିଁକି ରଖିଲ ? ସବୁ କଣ ଏମାନଙ୍କର କର୍ମଫଳ ? ନା ଆଉକିଛି କଥା ଅଛି ? ଭାଇ–ଏହାର ବିଚାର କର । ଏହି ଦୁର୍ଭିକ୍ଷରେ ଏହି ଦାରୁଣ ଦୁର୍ବିପାକ କେତେକ ଲୋକ ଅସହାୟ ସ୍ତ୍ରୀ ଲୋକଙ୍କୁ ନେଇ ପ୍ରକୃତିର ଚରିତାର୍ଥତା ସାଧନା କରିଛନ୍ତି-। ଏହି ଅନାହାର ଭିତରେ କେତେ ମଲାଛୁଆ ଯେ ଜନ୍ମଛି ତାର ଇୟତ୍ତା ନାହିଁ ।

ଏହି ଦୁର୍ଭିକ୍ଷରେ କେତେ ଯେ ବେଶ୍ୟା ହୋଇ ଯାଇଛନ୍ତି ତାର କଳନା କରିବ କିଏ ? ବର୍ଣ୍ଣଶଙ୍କର ଯଥେଷ୍ଟ ହୋଇଛି–ଧର୍ମହାନି ଯଥେଷ୍ଟ ହୋଇଛି–ମୁତ୍ୟୁ ଯଥେଷ୍ଟ ହୋଇଛି । ପାଠକ ! ଏପରି ଦୁର୍ଭିକ୍ଷ ଯେପରି ନ ଘଟେ ତାର ପନ୍ଥା ଖୋଜିବାକୁ ହେବ ।

ଆଜି ସୁଦ୍ଧା ଭିକାରି ଭିକମାଗେ, ତାର ଆତ୍ମସମ୍ମାନ ନାହିଁ–ଇଚ୍ଛା ନାହିଁ । ସରମ ନାହିଁ–ସେ ଅନେକ ସମୟରେ ଲୋକଙ୍କୁ ଉତ୍ୟକ୍ତ କରି ପଇସା ଚାଉଳ ଆଦାୟ କରେ । ଏହାକୁ ବନ୍ଦ କରିବ କିପରି ? ମତ୍ତଗୁଞ୍ଜର ଏକା ପାରିବ କି ? ଦୁର୍ଭିକ୍ଷରେ ଚାଉଳ ବାଣ୍ଟି ଏହା ନିବାରଣ କରିବ କେତେ ?

ମୌଳିକ ଉପାୟ ଖୋଜିବାକୁ ହେବ ପାଠକ ! ମୌଳିକ, ଉପାୟ ଖୋଜି ପାଠ ପଢ଼ୁଛ, ଜ୍ଞାନ ଅର୍ଜନ କରୁଛି ପରା ।

ମଉଜ ମଜଲିସ ପାଇଁ ପାଠପଢ଼ା ନୁହେଁ । ସେବା-ଲୋକସେବା ପାଇଁ–ସମୂହର କଲ୍ୟାଣ ପାଇଁ ପାଠପଢ଼ା । ଏହି ଦୁର୍ଭିକ୍ଷ ସମୟରେ କେତେ ପିଲାଙ୍କୁ ସଂଗ୍ରହ କରି ଅନାଥ ଆଶ୍ରମ ସବୁ ଖୋଲା ହେଲା, ସେ ପିଲାମାନଙ୍କ ଭିତରୁ କେତେ ମରିଗଲେ–ଆଉ କେତେ ବଞ୍ଚି ରହିଲେ ସେମାନେ ପାଠପଢ଼ି ଜ୍ଞାନାର୍ଜନ କରି ଯଥା କଥା ଜୀବନ ଯାପନ ପାଇଁ ପ୍ରସ୍ତୁତ ହେଉଛନ୍ତି–କେହି କେହି ହେଲେଣି । କିନ୍ତୁ ମୌଳିକ ଉପାୟ ଆଣିବାକୁ ହେବ ।

ମତ୍ତଗୁଞ୍ଜର ଖୋଜେ ଆଉ ତୁମ ସାଙ୍ଗରେ ଅନ୍ୟମାନେ ମଧ୍ୟ ଆସନ୍ତୁ ।

 

ବାଆର

 

ମତ୍ତଗୁଞ୍ଜର ଏହିପରି ଦେଶ ବିଦେଶରେ ସେବାକରି ଚିତ୍ତରବିଶାଳତା ପ୍ରାପ୍ତ କରିଛି କିନ୍ତୁ ସଙ୍ଗେ ସଙ୍ଗେ ସେ ବିରହୀ । ସ୍ଥିରାକୁ ଘରେ ରଖି ସେ ଅଧିକାଂଶ ସମୟରେ ଏକାକୀ ରହିଛି–ବୁଲିଛି, ଆଉ ଚିନ୍ତା କରିଛି ସ୍ଥିରାର କଥା । ସ୍ଥିରା ମଧ୍ୟ ମତ୍ତଗୁଞ୍ଜରର କଥା ସବୁବେଳେ ଭାବେ ।

 

ଯାହାହେଉ ସ୍ଥିରାକୁ ଘେନି ମତ୍ତଗୁଞ୍ଜର ଯେ ଦେଶ ବିଦେଶ ବୁଲିନାହିଁ ତାହାମଧ୍ୟ ନୁହେଁ-। ଦିଲ୍ଳୀ, ବିହାର, ରାମେଶ୍ୱର, କୋରାପୁଟ ଜିଲ୍ଲା, ମଥୁରା, ବୃନ୍ଦାବନ, ହରିଦ୍ୱାର, କଲିକତା ଇତ୍ୟାଦି ସ୍ଥାନତ ମତ୍ତଗୁଞ୍ଜର ସ୍ଥିରାକୁ ଦେଖାଇଛି, ବିହାରରେ ମୋତିହାରୀରେ କସ୍ତୁରବା ସାଙ୍ଗରେ ତ କାମ କରିଛି–ଏଲାହାବାଦରେ କୁମ୍ଭ ମେଳାରେ ତ ତାକୁ ନେଇ ରହିଛି । କୋରାପୁଟ ଜିଲ୍ଲାରେ ରାୟଗଡ଼ାରେ ଠକ୍‌କର ଆଶ୍ରମରେ ତ ତାକୁ ନେଇ କେତେ ସମୟ ରହିଛି– । ଜାମଶେଦପୁରରେ ତ କିଛି ସମୟ ରହିଛି–ପୁରୀ ଦୁର୍ଭିକ୍ଷବେଳେ ମଧ୍ୟ ସ୍ଥିରାକୁ ସାଙ୍ଗରେ ଘେନି ତ ସେ ରହିଛି । ଅତଏବ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସ୍ନେହର ସୂତ୍ର କେବେ ହେଲେ ତୁଟି ଯାଇନାହିଁ । ବରଂ ବିରହର ଆଧିକ୍ୟ ଯୋଗୁଁ ସ୍ନେହର ସ୍ରୋତ ବା ପ୍ରବାହ ପ୍ରବଳ ହୋଇ ଦେଖା ଦେଇଛି ।

 

ସ୍ଥିରା ସାଧାରଣ ସ୍ତ୍ରୀ ଲୋକ ଭଳି ଦେଖାଯାଏ ସତ୍ୟ, କିନ୍ତୁ ତାର ଧୈର୍ଯ୍ୟ, ତାର ପରିଶ୍ରମ, ତାର ନିଷ୍କାମତା, ଏ ସବୁ ଭାବିଲେ ସ୍ଥିରାକୁ ଦେବୀର ସ୍ଥାନରେ ବସାଇବାକୁ ଇଚ୍ଛା ହୁଏ । ସ୍ଥିରା ବାସ୍ତବିକ ଆଦର୍ଶ ସ୍ଥାନୀୟ ଅଥଚ ମୂର୍ଖ, ପାଠଶାଠ ତାର କିଛି ନାହିଁ । ଏକାବେଳକେ ସରଳା ଅବଳା ସେ ।

 

ମହାଦୁଃଖ ଭିତରେ ସବୁ ରହିଛି । କିଛି କେବେ କରିନାହିଁ, ତାର ବିଳାସ ନାହିଁ, ତାର ନିଜର କିଛି ଇଚ୍ଛା ନାହିଁ-କେବଳ ସ୍ୱାମୀର, କନ୍ୟାର, ଶାଶୁଶ୍ୱଶୁର ଇତ୍ୟାଦିଙ୍କର ସେବା କିପରି କରିବ ସେମାନେ କିପରି ସୁଖୀ ହେବେ ଏହି ଚିନ୍ତା, ଏହି ଭାବନା । ଏଥିପାଇଁ ସବୁ ତାର ପରିଶ୍ରମ-

 

ଘରେ ବର୍ଷାରେ ପାଣି ଗଳୁଛି, ଖଟ ତଳେ ଆଶ୍ରୟ ନେଇ ଶୋଇଛି । ଘରେ ଡକେଇତ ପଶିଛି, ସେ ଭକୁଆ ହୋଇ ବସିଛି । ସେ କୌଣସି ସ୍ଥାନ ଚିହ୍ନେ ନାହିଁ । କାହାରି ସାଙ୍ଗରେ ବସେନାହିଁ । ହାତ ଫୁରସି କରେ ନାହିଁ । ପର ଚର୍ଚା କରେ ନାହିଁ । ସବୁ କିନ୍ତୁ ସହେ ଅଦ୍‌ଭୁତ ଭାବରେ–ସହିଛି, ଭାବୁଛି । ଏତେ ଘରଦ୍ୱାର, ଏତେ ବନ୍ଧୁବାନ୍ଧବ । କିନ୍ତୁ ସେ ସେଥିରେ ଲିପ୍ତ ନୁହେଁ, ସେବାକରେ, ପରିଶ୍ରମ କରେ କିନ୍ତୁ ସେ ଆସକ୍ତ ନୁହେଁ କେଉଁଥିରେ ।

 

ସେ ଜାଣେ କେବଳ ଗୋଟିଏ କଥା–ସେବା ଓ ସେଥିପାଇଁ ପରିଶ୍ରମ ।

 

ସ୍ଥିରା ମତ୍ତଗୁଞ୍ଜରକୁ ସ୍ଥିର କରିଛି । କରି ପାରିଛି–ଏହାହିଁ ତାର ବିଶେଷ ଜୟ । କିନ୍ତୁ ସେ ଜୟରେ ସେ ଉଲ୍ଳସିତା ନୁହେଁ । ସେ ଜୟ ତାର ଏକମାତ୍ର କର୍ତ୍ତବ୍ୟ ବୋଲି ସେ ଭାବିଚି । ସ୍ଥିରା ଚାହେଁ ମତ୍ତଗୁଞ୍ଜରର ସୁନାମ, ସୁଯଶ ହେଉ–ମତ୍ତଗୁଞ୍ଜର ନାମରେ କଳଙ୍କ ନ ରଟୁ–ସେ ଯେପରି ଅପକାର୍ଯ୍ୟ କିଛି ନ କରେ-ଶୁଭ୍ର ଯଶହିଁ ତାର ଜୀବନକୁ ପ୍ରତିଭାତ କରୁ–ସଦା କରୁ, ଏହାହିଁ ତାର ଏକମାତ୍ର ବାସନା, କାମନା, ପ୍ରାର୍ଥନା ଇଶ୍ୱରଙ୍କଠାରେ, ଦେବା ଦେବୀଙ୍କଠାରେ । ସ୍ଥିରା ମତ୍ତଗୁଞ୍ଜରର ଜୀବନରେ ଧ୍ରୁବ ତାରା । ସ୍ଥିରା ସ୍ଥିରା-ଧନ୍ୟ । ସେ, ଆଉ ଧନ୍ୟ କରିଛି ସେ–ଯାହାକୁ ସେ ପାଇଛି ଆପଣାର ପତି କରି ।

 

ତେଅର

 

ସ୍ଥିରା ଓ ମତ୍ତଗୁଞ୍ଜରର ଜୀବନ କାଳ ମଧ୍ୟରେ ବାଳିକାମାନେ ପାଠପଢ଼ା ଶିଖିଛନ୍ତି, ସେମିଜ କମିଜ ପିନ୍ଧିଛନ୍ତି -ବେଣି ମଧ୍ୟ କାଟିଛନ୍ତି । ଜୁତା ପିନ୍ଧିଛନ୍ତି–ପାଉଡ଼ର ମାଖିଛନ୍ତି–ଅବିବାହିତା ଅବସ୍ଥାରେ ମଧ୍ୟ ଗର୍ଭବତୀ ହେଇଛନ୍ତି, ସ୍ଥିରା ଏ ସବୁ ଦେଖିଛି–ସହିଛି–ତଥାପି ଏହିମାନଙ୍କର ସେବା କରିବାରେ କୁଣ୍ଠା ପ୍ରକାଶ କରିନାହିଁ । ଏହାହିଁ ତାର ବିଶେଷ ମହତ୍ତ୍ୱ ।

 

ତାର ଦରଜ ଖୁବ୍‍ ବେଶୀ । ଏହାହିଁ ମନୁଷ୍ୟତ୍ୱ । ଏହି ମନୁଷ୍ୟତ୍ୱ ଘେନି ଆଜି ସ୍ଥିରା ତାର ଜୀବନ ଅତିବାହିତ କରିଛି, ଏବଂ କରୁଛି । ଅଦ୍‌ଭୁତ ସେ ନାରୀ । ସେ ନାରୀକୁ ଯେତେ ଚିନ୍ତା କରାଯାଏ ମନୁଷ୍ୟ ସେତେ ପବିତ୍ର ହୁଏ ଆଉ ଆକାଙ୍‌କ୍ଷାହୀନ ହୁଏ, ବାସନାହୀନ ହୁଏ ।

 

ନରଜନ୍ମର ସାର୍ଥକତା ଏହିଠାରେ । ବୁଦ୍ଧଙ୍କ ବୁଦ୍ଧତ୍ୱ ଏହିଠାରେ, ଯୀଶୁଙ୍କର ତ୍ୟାଗ ଏହିଠାରେ । ସ୍ଥିରା । ନମସ୍କାର–ତୁମକୁ ବାସ୍ତବିକ ହୃଦୟରେ ଅଭିବାଦନ ଜଣାଇବା ପାଇଁ ଶତବାର ଇଚ୍ଛା ହୁଏ । କିନ୍ତୁ ତୁମେ ତ ସେ ସବୁ ଚାହଁନା-ସେ କଥା ମଧ୍ୟ ବୁଝନା ।

 

ତୁମ ସଂବନ୍ଧରେ ପ୍ରଶଂସା କରି କେହି କିଛି ଲେଖିଲେ ମଧ୍ୟ ତୁମେ ବୁଝି ପାରନା । ଅନେକ ପ୍ରଶଂସା ତୁମକୁ ଫୁଲାଇ ପାରେ ନାହିଁ ମୁକ୍ତ ବାୟୁ ସମ ତୁମର ଜୀବନ–ଏକାବେଳେକେ ଛଳନାହୀନ ।

 

ଚଉଦ

 

ମତ୍ତଗୁଞ୍ଜର ଏହି ଧରାଧାମକୁ ଆସିଲା, ୬୦ ବର୍ଷରୁ ଅଧିକ ରହିଲା, ଅନେକ ଲୋକଙ୍କ ସଙ୍ଗରେ ମିଶିଲା । କେତେ ପାଠପଢ଼ିଲା, ବତ୍କୃତା ଦେଲା, କେତେ ବହି ଲେଖିଲା, କେତେ ଲୋକଙ୍କୁ ଭଲ ପାଇଲା, କେତେ ଲୋକ ହୁଏତ ତାର ଶତ୍ରୁ ହେଲେ, କେତେ ମିତ୍ର ହେଲେ, । କିନ୍ତୁ ହେଲା କଣ ? ଏହି ଧରାଧାମ ସେହିପରି ରହିଲା–

 

ନା, ତା ନୁହେଁ, ଏହି ଧରାଧାମ ସେହିପରି ରହିଲେ ମଧ୍ୟ ଆଉ ଏକ ଅର୍ଥରେ ଏହି ଧରାଧାମର ଅନେକ ପରିବର୍ତ୍ତନ ହେଲା । ଆଉ ସେହି ପରିବର୍ତ୍ତନ ଭିତରେ ମତ୍ତଗୁଞ୍ଜର ଭାର ନେଲା ।

 

ସେ ଆପଣାର ଚରିତ୍ରଦ୍ୱାରା ଅନ୍ୟ ଚରିତ୍ର ସୁଶୋଭନ କଲା, ସେ କାହାକୁ ବୁଦ୍ଧିଦେଲା, କାହାକୁ ସୁଖଦେଲା ।

 

ତାର ଜୀବନ ପଥରେ କେତେ ପ୍ରଲୋଭନ ଦେଖାଦେଲା । ସେ କେତେ ଏଡ଼େଇଲା । ଆଉ କେତେକରେ ହୁଏତ କାଳିମା ଲାଗିଲା ।

 

କିନ୍ତୁ ସଜୀବ ମନୁଷ୍ୟ ଚିନ୍ତାକଲା । ସେ କେଉଁଆଡ଼େ ଯାଇଛି । ସେ ଭାରତବର୍ଷରେ ଜନ୍ମିଥିଲା । ଭାରତବର୍ଷର ଅନେକ ପରିବର୍ତ୍ତନ ଦେଖିଲା–ଦେଶମାତୃକାର ସ୍ପର୍ଶ ତାଠାରୁ ଢେରବେଶି ଓ ଉଚ୍ଚରେ, ତାର ମଧ୍ୟ ସନ୍ଧାନ ପାଇଲା–ତାକୁ ମଧ୍ୟ ସ୍ପର୍ଶ କଲା–ମାନବକୁ ଭାଇ କଲା, ଜାତିଭେଦ ଭୁଲିଲା ।

 

ଯେଉଁ ଜାତିଭେଦ ଘେନି ଆଜି ମଧ୍ୟ ଅନେକ ମିଥ୍ୟା ଧାରଣା ରହିଛି, ସେ ସବୁ ସେ ସ୍ପଷ୍ଟ ବୁଝିପାରିଲା ଏବଂ ତାକୁ ପରିଶୋଧ କଲା–

 

ଏହା ଛଡ଼ା ଆଉ ମାନବକୁ ଅଧିକ କଣ ଦିଆଯାଇଛି ?

ସେ ଅନେକ ରୋଗରେ ପଡ଼ିଲା, ଅନେକ ରୋଗରୁ ମୁକ୍ତ ହେଲା, ଅନେକ ରୋଗରେ ଅନେକ କଷ୍ଟ ପାଇଲା, କିନ୍ତୁ ବୁଝିପାରିଲା ନାହିଁ କାହିଁକି ରୋଗରେ ପଡ଼ିଲା, କାହିଁକି ଏତେ ଦୁଃଖ ପାଇଲା, ଏତେ କଷ୍ଟ ଅନୁଭବ କଲା–ଏ ସବୁ କଣ ପୂର୍ବ ଜନ୍ମର ପୁଣି ଏ ଜନ୍ମର ପାପର ପ୍ରାୟଶ୍ଚିତ୍ତ-?

 

କିଛି ବୁଝିପାରିଲା ନାହିଁ ! ଓଃ ! କେତେ ଲୋକ କେତେ କଷ୍ଟ ପାଉଛନ୍ତି ! କାହିଁକି ?

 

ଜନ୍ମପରେ ଏହି ସଂସାରେ ପୁଣି–ଏତେ ଆନନ୍ଦ ପାଇ ପୁଣି ମରଣ ଭିତରକୁ ମାନବ ଚାଲି ଯାଉଛି କାହିଁକି, ଏହା ଠିକ୍‌ କରି ବୁଝିପାରିଲା ନାହଁ । ଅବଶ୍ୟ ଯୁକ୍ତିରେ ସେଟା ବୁଝିଲା ଯେ ଯାହାର ଜନ୍ମ ଅଛି, ତାର ମୃତ୍ୟ ଅଛି, କାରଣ ଜନ୍ମ ମାନେହିଁ ବିନାଶଶୀଳତା–ଏହାହିଁ ତାହାର ଭାଷାନ୍ତର–ଏହାହିଁ ତାର ପ୍ରକୃତ ଅର୍ଥ । ଥିଲି ନାହିଁ ଆସିଲି–ଆସିଲି ଯଦି ଯିବି ନିଶ୍ଚେ–ଏହିଯେ ଅଭ୍ୟୁଦୟ ଏବଂ ଏହି ଯେ ବିଲୟ–ଏହା ବଡ଼ ବିଚିତ୍ର–ବଡ଼ ରହସ୍ୟରେ ଘେରା । ଏହାର ପର୍ଦାଛିନ୍ନ କରି ଭାବୁକ ଦାର୍ଶନିକ ଏପାର ସେପାର ହୁଏତ ସବୁ ଦେଖୁଛନ୍ତି–ଋଷି ମନ୍ତ୍ରଦ୍ରଷ୍ଟା ହେଲାପରି ସବୁ ବୁଝିପାରୁଛି କିନ୍ତୁ ସାଧାରଣ ମନୁଷ୍ୟ ଅନ୍ଧ ଭାବରେ ଅଥବା କ୍ଷୀଣଲୋକ ଭିତରେ ରହି ସେହି କ୍ଷୀଣ ଜୀବନ ଯାପନ କରୁଛି । କିନ୍ତୁ ସେହି କ୍ଷୀଣ ଜୀବନ ମଧ୍ୟ ସୁନ୍ଦର ଯଦି ଠିକ ବାଟରେ ଚାଲିଥାଏ । ଏଥିପାଇଁ ଅହରହ ପ୍ରାର୍ଥନା–ହେ ପ୍ରଭୁ ! ଠିକ ବାଟରେ ଏହି ମାନବକୁ ଘେନିଯାଅ । ତୁମେହିଁ ଏକମାତ୍ର ପଥ ପ୍ରଦର୍ଶକ–ତୁମେହିଁ ଏକମାତ୍ର ଆଶ୍ୱସଦାତା, ତୁମେହି ଏକମାତ୍ର ଚିରଆଶ୍ରୟ–

 

ଜନ୍ମମୃତ୍ୟୁ ଭିତର ଦେଇ ମାନବ ଶାଶ୍ୱତ । ସେହି ଶାଶ୍ୱତାର ମାଲିକ ସେହି ଭଗବାନ୍‌–ଆଉ ଆମେସବୁ ଜୀବ ଜଗତରେ ଯେତେ ଯାହାକିଛି ସବୁ ତାଙ୍କର ଅଂଶ, ଏପରିକି ଜଡ଼ ବୋଲି ଯାହାକୁ କହୁଛୁଁ ତହିଁ ମଧ୍ୟରେ ମଧ୍ୟ ଜୀବ ରହିଛି, ଜୀବନ ରହିଛି–ସେ ସବୁ ମଧ୍ୟ ତାଙ୍କର–ପରମେଶ୍ୱରଙ୍କର ଅଂଶ ଅତଏବ ଆମେସବୁ ଶାଶ୍ୱତ ।

 

ଏହି ଶାଶ୍ୱତ ଜୀବନ ଘେନି ଆମର ଯେଉଁ ଛାୟାଲୋକର ଖେଳା ତାହା ବିଚିତ୍ର ସୁନ୍ଦର, ଅଦ୍‌ଭୁତ । ଏହି ଖେଳାହିଁ ମତ୍ତଗୁଞ୍ଜର ଖେଳିଲା–ଏହା ଖେଳିବାକୁ ହେବ–ଏହି ଖେଳହିଁ ଆନନ୍ଦ–ଏହି ଖେଳହିଁ ପୁଣି ଦୁଃଖ ଦାୟକ–ପାପ ଦୁଃଖ ଦିଏ, ପୁଣ୍ୟ ଆନନ୍ଦ ସଞ୍ଚାର କରେ ।

 

ଅତଏବ ମାନବଙ୍କୁ ଶ୍ରେୟର ପଥରେ ଚାଲିବାକୁ ହେବ, ଆଶ୍ରେୟର ପଥକୁ ଏଡ଼ିବାକୁ ହେବ–ତାହାହେଲେ ଚିର ଆନନ୍ଦ, ଚିର ସୌନ୍ଦର୍ଯ୍ୟ ସେ ପାଇପାରିବ । ସେହି ଲକ୍ଷ୍ୟକୁହିଁ ମାନବ ଗତି କରୁଛି ଏହି ଶରୀରର ଲାଳସା ଭିତର ଦେଇ, ଦୁଃଖ ଦେଇ, ଦୁଃଖ ପାଇ–ଏହି ମନର ବିଚିତ୍ର ଖେଳ ଖେଳି ଆତ୍ମାର ଗତି ପଥ ଚାଲିଛି । ବଢ଼ି ଯାଉଛି । ଆଉ ଯେପରି କି ଥରେ ଥରେ ମନ ହେଉଛି ସେ ନିକଟ ହେଉଛି ସେହି ଲକ୍ଷ୍ୟ ବସ୍ତୁର–ସେହି ଶାଶ୍ୱତ–ଚିର ଜୀବନ ଲାଭର ଆନନ୍ଦ ଓ ଜ୍ଞାନ ଲାଭପାଇଁ ।

 

ସବୁ ଦୁଃଖ, ବେଦନା ତାକୁ ସେହି ପଥଦେଇ ନେଇଯାଉଛି, ମୋଟ ଉପରେ ମାନବାତ୍ମା ଅଗ୍ରସର ହେଉଛି–ସାମୟିକ ଅନ୍ଧକାର, ସାମୟିକ ପାପ ପ୍ରଲୋଭନ, ତାର ଚଞ୍ଚଳତା ଆନୟନ କଲେ ମଧ୍ୟ, ତାକୁ ବିପଥଗାମୀ କଲେ ମଧ୍ୟ–ଅଗ୍ନି ଶିଖାର ଊର୍ଦ୍ଧ୍ୱଗତି ପରି ସେ ସବୁବେଳେ ଉଠିବାକୁ ଚାହୁଁଛି, ଉଠୁଚି । ମତ୍ତକୁଞ୍ଜର ସେହି ସିଡ଼ି ଦେଇ ଆଜି ପର୍ଯ୍ୟନ୍ତ ବାଟ ଚାଲି ଆସିଛି ।

 

ସୁନ୍ଦର ରହସ୍ୟମୟ ଏହି ଜୀବନ–ସୁନ୍ଦର ରହସ୍ୟମୟ ଏହି ଖେଳ–ଛାୟାଲୋକ ପରି ଜୀବନ ମରଣ ଚାଲିଛି । ଜୀବନ ଅଛି ବୋଲି ମରଣ ଅଛି–ପଦାର୍ଥ ଅଛି ବୋଲି ତାର ଛାୟା ଅଛି–ପଦାର୍ଥ ନ ଥିଲେ ଛାୟା ରହିବ ନାହିଁ ।

 

ଜୀବନ ନ ଥିଲେ ମରଣ ରହିବ ନାହିଁ ।

 

ଅତଏବ ମରଣ ଅମୃତର ସୋପାନ–ସତେ ଅମୃତର ସୋପାନ । ଏହା କବିର କଳ୍ପନା ମାତ୍ର ନୁହେଁ ।

 

ଏହି କବିର ଚକ୍ଷୁର ସତ୍ୟ କିନ୍ତୁ ଜୀବନ ଜୀବନ । ମରଣ ସେହି ଜୀବନର ଛାୟା ପାତ । କେହି ଅବସ୍ତୁ ନୁହେଁ । ଏ ଅଛି ବୋଲି ସେ ଅଛି । ଏ ନ ଥିଲେ ସେ ରହିବ ନାହିଁ ।

 

ଆଉ ମୁଁ ଅଛି ବୋଲି ବିଶ୍ୱସ୍ରଷ୍ଟା ଅଛନ୍ତି । ବିଚିତ୍ର, ଧନ୍ୟ, ସୁନ୍ଦର–ଏହି ସଂସାର । ମତ୍ତଗୁଞ୍ଜର ତା ଭିତରେ ନାଟକର ଗୋଟିଏ ଅଭିନେତା । ଏ ନାଟକରେ ସମସ୍ତ ମାନବ ଓ ଜୀବଜଗତ ଭାଗ ନେଇ ଅଛି । ପାପପୁଣ୍ୟ, ସୁଖଦୁଃଖ, ବେଦନା ଆନନ୍ଦ, ଏହାହିଁ ସେମାନଙ୍କର part–

 

ପନ୍ଦର

 

ପ୍ରାକୃତିକ ରହସ୍ୟ ନିହିତ, ଏହି ନର ଓ ନାରୀ । ଏହି ନର ଓ ନାରୀ ଘେନି ସଂସାର । ଏହି ନର ଓ ନାରୀ ଘେନି ସମସ୍ତ ଜୀବ ଜଗତ । ଏହି ନର ନାରୀ ଘେନି ମାନବର ସମସ୍ତ କାବ୍ୟ, କବିତା, ନାଟକ, ଇତିହାସ ରଚନା । ଏହି ନର ଓ ନାରୀ ଘେନି ସବୁ ଦେବାଦେବୀ ସୃଷ୍ଟି ।

 

ଏହି ନର ନାରୀ ଘେନି ସବୁ ପାପ ଓ ପୁଣ୍ୟ ।

ଏହି ନର ଓ ନାରୀ ଘେନି ସମସ୍ତ ଆନନ୍ଦ ପୁଣି ସମସ୍ତ ବିକ୍ଷୋଭ ।

 

ଏହି ନର ଓ ନାରୀ ଘେନି ଘରଦ୍ୱାର–ଛୁଆପିଲା–ଏହି ନର ଓ ନାରୀ ଘେନି ସୃଷ୍ଟିର ପ୍ରବାହ ରକ୍ଷ । ପରସ୍ପର ରକ୍ଷା ।

 

ନୋହିଲେ ସବୁ ଏକାବେଳକେ ଲୋପ ପାଇଯାନ୍ତା । ବୃକ୍ଷ ଭିତରେ ମଞ୍ଜିର ସନ୍ଧାନ ମିଳେ । ସେହି ମଞ୍ଜିହିଁ ବୃକ୍ଷକୁ ରକ୍ଷା କରେ । ସେହି ମଞ୍ଜିହିଁ ତାର ସନ୍ତାନ । ସେହିପରି ମାନବ ଚାଲିଯାଏ ପିତା ଭାବରେ–ଆମେ ପୁଣି ପୁତ୍ର ଭାବରେ–ସନ୍ତାନ ସନ୍ତତି, ଏହାହିଁ ତ ସୃଷ୍ଟିର ସୁନ୍ଦର ଖେଳ ।

 

ନର ଓ ନାରୀ ଉଭୟ ନ ହେଲେ ଏ ଖେଳ ହେବ କିପରି ? ଅତଏବ ନର ନାରୀ ରହସ୍ୟ ହି ଅସଲ ସୃଷ୍ଟି ରହସ୍ୟ । ଏହି ରହସ୍ୟ ମୂଳରେ ଆମେସବୁ ଏହି ସଂସାରକୁ ଆସିଛୁଁ ପୁଣି କୁଆଡ଼େ ଚାଲି ଯାଉଛୁଁ ।

 

ଏହି ରହସ୍ୟହିଁ sex । ଏହି sexକୁ ମାରିବା ଅଧର୍ମ । ଏହି sex ସୁ-ବ୍ୟବହାରହିଁ ଆମର କାମ୍ୟ । ଏହି sex ବା ଯୌନ କ୍ଷୁଧାର ପରିତୃପ୍ତି ପାଇଁ ଆମେ ସାହିତ୍ୟ, ନାଟକ, ନୃତ୍ୟ, ଇତ୍ୟାଦିର ରଚନା କରିଛୁଁ ।

 

ଏସବୁ ସ୍ୱାଭାବିକ । ଏହି ସ୍ୱାଭାବିକତା ଭିତରେ ଆବିଳତା ପଶେଇବାର ଉଚିତ ନୁହେଁ ।

 

ଏହି ସ୍ୱାଭାବିକତାକୁ କିପରି ସୌନ୍ଦର୍ଯ୍ୟପୂର୍ଣ୍ଣ କରିବାକୁ ହେବ ସେଥିପାଇଁ ସମାଜବାଦୀମାନେ, ଦାର୍ଶନିକମାନେ, ବ୍ୟବସ୍ଥାପକମାନେ ଚେଷ୍ଟା କରୁଛନ୍ତି ।

 

ଏହି sexକୁ ଅନାବିଳ ରଖିବାକୁ ହେବ । ଏହି sexକୁ ଆବିଳତାରେ ପକାଇଲେ ମାନବ କଳୁଷିତ ହେବ । ସବୁ ନାଟକ ଉପନ୍ୟାସରେ–ଏହି ଗୋଟିଏ କଥା–ଏହି ଗୋଟିଏ ନୀତିବାକ୍ୟ । ସମସ୍ତ ନାଟକ ସମସ୍ତ ଉପନ୍ୟାସ ରଚନା କରି ଲେଖକ ଏହାହିଁ ଦେଖାଇବାକୁ ଚାହେଁ-। ସୁନ୍ଦର ଅନାବିଳ sex ଜୀବନ । ଏହାହିଁ ମନୁଷ୍ୟକୁ ମହତ୍ତ୍ୱ ପ୍ରଦାନ କରେ । ଏହାହି ମନୁଷ୍ୟକୁ ଦେବତାର ଆସନକୁ ଦେଇ ଯାଏ । ଏହାହିଁ ଏକମାତ୍ର ଲକ୍ଷ୍ୟ ସମଗ୍ର ମାନବ ଜାତିର । ଏହାହି ଏକମାତ୍ର ସୌନ୍ଦର୍ଯ୍ୟ ।

 

ଏହାକୁ ଧ୍ରୁବ କରି ଜୀବନ ଧାରଣ କରିବାକୁ ହେବ । ଏହାକୁ ମୂଳ କରି ଜୀବନ ପଥରେ ଚାଲିବାକୁ ହେବ । ମଧୁର ହେବ ଅଥଚ ସୁନ୍ଦର ହେବ, ମଧୁର ହେବ ଅଥଚ ପୁଣ୍ୟମୟ ହେବ, ମଧୁର ହେବ ଅଥଚ ନିନ୍ଦନୀୟ ହେବ ନାହିଁ ।

 

ଏହାହିଁ ଏକମାତ୍ର ଲକ୍ଷ୍ୟ ।

 

ଏହି ଜୀବ ଜଗତର ଚିନ୍ତାଶୀଳ ବ୍ୟକ୍ତିର, ସାଧୁ ସୁନ୍ଦର ଜୀବନ ଯାପନ ଏକମାତ୍ର ଧ୍ୟେୟ, ଏକମାତ୍ର ଲକ୍ଷ୍ୟ ହେବା ଉଚିତ ସମସ୍ତଙ୍କର ।

 

ଅରୂପକୁ ରୂପବାନ କରିବାକୁ ହେବ, ଅସୁନ୍ଦରକୁ ସୁନ୍ଦର କରିବାକୁ ହେବ, ତିକ୍ତକୁ ମଧୁର କରିବାକୁ ହେବ, ଦୁଃସ୍ଥକୁ ସୁସ୍ଥ କରିବାକୁ ହେବ, ରୋଗୀକୁ ରୋଗହୀନ କରିବାକୁ ହେବ, ପାପୀକୁ ପୁଣ୍ୟବାନ୍‌ କରିବାକୁ ହେବ, ଅମିତ୍ରକୁ ମିତ୍ର କରିବାକୁ ହେବ–

 

ଏହାହିଁ ମାନବର ଏକମାତ୍ର ଶ୍ରେୟ । ସ୍ଥିରା, ମତ୍ତକୁଞ୍ଜର ସୌଦାମିନୀ, ଭିଖାରୁଣୀ, ଆଉ ଆଉ ଏହି ଉପନ୍ୟାସ ଅଙ୍ଗୀଭୂତ ଯେତେ ଜୀବ ସେ ସମସ୍ତଙ୍କର ସେହି ଲକ୍ଷ୍ୟ–କେହି ହୁଏତ ଏହା ଭଲ କରି ବୁଝିଛି–କେହି ହୁଏତ ଠିକ୍‍ କରି ବୁଝି ପାରିନାହିଁ–କିନ୍ତୁ ଠୋକର ଖାଇ ଖାଇ ସମସ୍ତେ ବୁଝିଛନ୍ତି ଯେ ଶ୍ରେୟ, ପ୍ରେୟ ନୁହେଁ–ଶ୍ରେୟହିଁ ଆମର ଏକମାତ୍ର ସତ୍ୟ ବସ୍ତୁ।

 

ଧର୍ମ ଅଧର୍ମ ନୁହେଁ–ଧର୍ମହିଁ ଏକମାତ୍ର ପୋତ ଯାହାକି ଆମକୁ ଏହି ସଂସାର ବାରିଧିରୁ ପାରି କରିପାରିବ ।

 

କଲ୍ୟାଣ ଅକଲ୍ୟାଣ ନୁହେଁ, ଦୟା ନିର୍ଦୟତା ନୁହେଁ, ସହାନୁଭୂତି ଶତ୍ରୁତା ନୁହେଁ, ଏକହିଁ ମାନବର ଲକ୍ଷ୍ୟ, ସତ୍ୟବସ୍ତୁ ।

 

ଅତଏବ ଏହି ଉପନ୍ୟାସର ପାଠକମାନେ ସେହି ପଥକୁ ଗତି କର–ଅନ୍ୟପଥ ନାହିଁ, ମୁକ୍ତିର ଅନ୍ୟ ବାଟନାହିଁ–ନାନ୍ୟଃ ପନ୍ଥାଃ ବିଦ୍ୟତେ ଅୟନାୟ ।

 

ଆଉସବୁ ବନ୍ଧନ । ଅତଏବ ବନ୍ଧନ ଏଡ଼ିଦିଅ–ମୁକ୍ତି କାମନା କର–

ଆଲୋକରେ ବାସକର, ଅନ୍ଧକାରରେ ପୁତି-ଗନ୍ଧମୟ ଜୀବନ ଯାପନ କରନା–

 

ଜ୍ଞାନରେ ବିଚରଣ କର, ଅଜ୍ଞାନ ଦୂରକର । ତାହାହେଲେ ମହାମଙ୍ଗଳ ପଥରେ ପ୍ରବେଶ କରିପାରିବ ।

 

ପ୍ରତ୍ୟେକ ଲୋକର, ବ୍ୟକ୍ତିର ବ୍ୟକ୍ତିତ୍ୱ ଅଛି । ସେହି ବ୍ୟକ୍ତିତ୍ୱ ଉପରେ କେତେ କେତେ ବେଳେ ଆଘାତ ହେଲେ, ସମୟ ସମୟରେ ସହି ହୁଏ ନାହିଁ । ସେତେବେଳେ ଆସେ ବିରୋଧ, ହୁଏ ପ୍ରତିବାଦ ।

 

ବହୁରୂପ ଜୀବନରେ ଅନେକଥର ଏହି ବ୍ୟକ୍ତିତ୍ୱର ବିକାଶ, ଏହି ବ୍ୟକ୍ତିତ୍ୱର ଅପମାନ ହେଉଛି ଭାବି ମହାପ୍ରତିବାଦ କରିଛି, ସମୟ ସମୟଭେ କ୍ରୁଦ୍ଧ, ମହାକ୍ରୁଦ୍ଧ ହୋଇଛି ।

 

ମିଶନ ସ୍କୁଲରେ ମାଷ୍ଟରି କଲାବେଳେ ଏହିପରି ହେଡ଼୍‌ମାଷ୍ଟର ସଙ୍ଗରେ ବିରୋଧ ହେଲା-

 

ଦୁଇ ଜଣଙ୍କର ଆଦର୍ଶ ଭିତରେ କଳହ । ଜଣେ ଭୋଗୀ, ଘୁଷ୍‍ଖୋର, ଆଉଜଣେ ଏଆଡ଼ୁ ସେଆଡ଼ୁ ଦି’ପଇସା ଅଧିକ କରିବାକୁ ଘୃଣା କରେ । ଏଠାରେ ବିରୋଧ–ଆଉକିଛି ନୁହେଁ ।

 

ଏହି ବିରୋଧ ଫଳରେ ଦୁଇଜଣଙ୍କୁ ତଫାତ୍‌ ହେବାକୁ ହେଲା ।

 

ଏହି ମିଶନ ସ୍କୁଲରେ ବହୁରୂପ ବହୁ ଲୋକଙ୍କ ସହିତରେ ମିଶିଥିଲା, ଅନେକଙ୍କୁ ଆପଣାର କରିଥିଲା ।

 

ଗୋଟିଏ ଛାତ୍ର ଆତ୍ମହତ୍ୟା କଲା, ନମ୍ବର ନ ପାଇବାଯୋଗୁଁ ।

 

ବହୁରୂପ ପାଖରେ ୩ ଗୋଟିଏ ଖାତା ଥାଏ । ତିନିଟିରେ ସେ ପିଲାଟି ଅତି କମ୍‍ ନମ୍ବର ରଖିଥାଏ ।

 

ସେ ପିଲାଟିର ବ୍ୟବହାର ଭଲ, କିନ୍ତୁ ବୁଦ୍ଧି ସରସ ନ ଥିଲା । ଶେଷରେ ଅତି ଜିଦ୍‍ କରିବାକୁ ଗୋଟିଏ ୨ଟା ବିଷୟରେ ସମସ୍ତଙ୍କୁ ୫ ନମ୍ବର କରି ଅଧିକା grace mark ଦେଇ ତାକୁ ପାଶ୍‌ କରେଇଲା । ଆଉ ସେ ଅନ୍ୟାନ୍ୟ ବିଷୟରେ ଫେଲ ହୋଇଥିଲା ଆଉ grace mark ଯୋଗୁଁ କେବଳ ପାସ ନମ୍ବର ୨ଟା ବିଷୟରେ ବହୁରୂପଠାରୁ ହାସଲ କରିଥିଲା । କିନ୍ତୁ ହେବ କଣ ? ପିଲାଟା କିଲାସ ଉଠି ପାରିଲା ନାହିଁ–ବାପ ତାର ତାକୁ ପଟିଲା–ତା ବ୍ୟକ୍ତିତ୍ୱ ଉପରେ ଭୀଷଣ ଆଘାତ ହେଲା । ସେ ଅଫିମ ଖାଇ ପ୍ରାଣତ୍ୟାଗ କଲା ।

 

ଅତଏବ ଏହି ବ୍ୟକ୍ତିତ୍ୱ ଉପରେ ଯେପରି ଅଧିକ ଚୋଟ ନ ବସେ ସେଥିପ୍ରତି ସମସ୍ତଙ୍କର ସବୁବେଳେ ଜାଗ୍ରତ ହେବାକୁ ହେବ ।

 

ଏହି ବ୍ୟକ୍ତିତ୍ୱର କଟାକଟି ନେଇ ସଂସାରରେ ଯେତେ ଗୋଳମାଳ, କଜିଆ । ଅତଏବ ଏହି ବ୍ୟକ୍ତିତ୍ୱ ଯେପରି ପ୍ରତ୍ୟେକର ବଜାୟ ରହେ ସେଥିପ୍ରତି ସମସ୍ତଙ୍କର ଶ୍ରଦ୍ଧା ରହିବା ଦରକାର । ଏହିଠାରେ ମତଭେଦ ହେଲେ ମଧ୍ୟ–ରହିଲେ ମଧ୍ୟ–ପରସ୍ପର ପ୍ରତି ଶ୍ରଦ୍ଧାର କଥା ଆସେ । ଏହି ଶ୍ରଦ୍ଧା ସମସ୍ତଙ୍କ ମନରେ ସର୍ବଦା ରହିବା ଦରକାର ।

 

ମିଶନ ସ୍କୁଲରେ ଶିକ୍ଷକତା କରୁଥିଲାବେଳେ ବହୁରୂପ ପିଲାଙ୍କଠାରୁ ବାଲ୍ୟ ଜୀବନୀ ବୁଝିଛି । ବଡ଼ ଦୁଃଖର ବିଷୟ ଏହି ଯେ ଅନେକ ଶିକ୍ଷକ ଛାତ୍ରଙ୍କ ଚରିତ୍ରକୁ ସୁଶୋଭନ ନ କରି ନଷ୍ଟ କରିଥାନ୍ତି । ସେମାନେ ଚରିତ୍ରହୀନ । ବସ୍ତୁତଃ ସେମାନେ ଚରିତ୍ର ଜିନିଷଟାକୁ କେବେହେଲେ ଭାବି ନାହାନ୍ତି–ଗଢ଼ି ପାରିନାହାନ୍ତି, ଶିକ୍ଷାର ଦ୍ୱାର ମଧ୍ୟରେ ଏହିଯେ କଦର୍ଯ୍ୟତା ଏହାକୁ ଦୂର କରିବାକୁ ହେବ, ଶିକ୍ଷକଙ୍କର ଚରିତ୍ର ସୁଶୋଭନ ରଖିବାକୁ ହେବ, ଏଥିପାଇଁ କର୍ତ୍ତୃପକ୍ଷମାନଙ୍କର ବିଶେଷ ସତର୍କ ରହିବା ଦରକାର । କିନ୍ତୁ ଦୁଃଖର ବିଷୟ ଏହି ଯେ ଅନେକ ସମୟରେ କର୍ତ୍ତୃପକ୍ଷମାନେ ଆହୁରି ଚରିତ୍ରହୀନ ଦେଖାଯାନ୍ତି । ଏହିପରି, ଶିକ୍ଷା ତଳକୁ ଆସିଯାଏ । ଗୋଟିଏ ଗୋଟିଏ ଛାତ୍ର ଏହିପରି ଆଦର୍ଶହୀନ କର୍ତ୍ତୃପକ୍ଷ ଓ ଶିକ୍ଷକମାନଙ୍କ ଯୋଗୁଁ ତଳକୁ ଖସି ଯାଇଛନ୍ତି ।

 

ମତ୍ତଗୁଞ୍ଜର କିନ୍ତୁ ଏହି ଚରିତ୍ର ଦିଗରେ ଆପଣାକୁ ସବୁବେଳେ ଜଗି ରଖିଥିଲା ।

 

ସେ ଛାତ୍ରମାନଙ୍କୁ ଅନ୍ତରରେ ଦେବତାସ୍ୱରୂପ ଜ୍ଞାନ କରୁଥିଲା । ଆଉ ଭ୍ରାତା, ସଖାସ୍ୱରୂପରେ ସେମାନଙ୍କ ସହିତରେ ବିଚରଣ କରୁଥିଲା । ଖେଳକୌତୁକ ସବୁଥିରେ ମତ୍ତଗୁଞ୍ଜର ସେମାନଙ୍କ ସହିତରେ ପିଲା ଭଳିଆ ମିଶି ଯାଉଥିଲା । ପହଁରିବା, ଦଉଡ଼ିବା, ବାଟ ଚାଲିବା, ଖାଇବା ସବୁଥିରେ ମତ୍ତଗୁଞ୍ଜର ପିଲାଙ୍କ ସାଥୀ–

 

ମତ୍ତଗୁଞ୍ଜର ଭିତରେ ପିଲାଦିନର ଶଙ୍କରାର୍ଯ୍ୟଙ୍କ ମୋହମୁଦ୍‌ଗର କାମ ଦେଖାଇଥିଲା । ତା ଛଡ଼ା ଦେଶ ପ୍ରୀତିର ଆଉ ଗୋଟିଏ ଭାବ ।

 

ଏହି ବହୁରୂପ ମତ୍ତଗୁଞ୍ଜରର ପ୍ରଧାନ ଅବଲମ୍ବନ । ଏଇଥିପାଇଁ ମତ୍ତଗୁଞ୍ଜର ପରବର୍ତ୍ତୀ ଜୀବନରେ ସେବାପରାୟଣା ହୋଇଥିଲା । ଦେଶର ସେବାରେ, ଦେଶର ସେବାରେ, ଆର୍ତ୍ତ ପତିତର ସେବାରେ ସେ ଆପଣକୁ ନିୟୋଜିତ କରୁଥିଲା ।

 

ମତ୍ତଗୁଞ୍ଜରର ଧର୍ମଭାବ ଆଉ ଦେଶପ୍ରୀତି ମତ୍ତଗୁଞ୍ଜରକୁ ସର୍ବଦା ତତ୍‌ପର କରି ରଖିଥିଲା, ସର୍ବଦା ସେ ନାମରୂପ ଥିଲା ।

 

ମତ୍ତଗୁଞ୍ଜରର ଜୀବନରେ ଯେଉଁ ଯେଉଁଠାରେ କଳା ବଉଦ ଘେରିଥିଲା ତାହା ଆକସ୍ମିତ, ସାମୟିକ–ତାହା ତାହାର ଚିତ୍ତକୁ କେବେହେଲେ ଚିରକାଳ ପାଇଁ କବଳିତ କରି ନ ଥିଲା-

 

ମତ୍ତଗୁଞ୍ଜର ସେଥିପାଇଁ ଜାତୀୟ ଜୀବନରେ ନିଶା ଦେଶବାର ଘୋର ବିରୋଧୀ–ବିଳାସିତାର ଘୋର ବିରୋଧୀ ।

 

ସେଥିପାଇଁ ସେ–ଚାହେଁ ସରକାର ମଦ କାରବାର ନ କରୁ, ମଦ ଦୋକାନ ନ ବସାଉ ।

 

ସେଥିପାଇଁ ସେ ଚାହେଁ ସରକାର ବେଶ୍ୟା ବୋଲି ଗୋଟିଏ ଜାତିକୁ ବେଶ୍ୟା ବ୍ୟବସାୟ କରିବାପାଇଁ ରେଜେଷ୍ଟରି ନ କରୁ ।

 

ଜାତୀୟ ଜୀବନ ସୁନ୍ଦର କରାଯାଉ । ବାହାରର ଇମାଲତ, ବାହାରର ବଡ଼ ବଡ଼ ଅଟ୍ଟାଳିକା–ଆଉ ତା ଭିତରେ ବିଳାସ, ବେଶ୍ୟା, ନିଶା–ଏହା ଜାତିକୁ ଉପରକୁ ଉଠାଇବ ନାହିଁ ରସାତଳକୁ ଘେନିଯିବ ।

 

ଆଉ ଦରଦୀର ଜୀବନ ମତ୍ତଗୁଞ୍ଜରର । ସମସ୍ତଙ୍କ ପ୍ରତି କରୁଣା, ଦୟା, ସହାନୁଭୂତି ।

 

କିନ୍ତୁ ଏହିଠାରେ ବିପଦ ମଧ୍ୟ ରହିଛି । ମତ୍ତଗୁଞ୍ଜରର ସେହି ଭିଖାରୁତା ତାର ପୁଷ୍ପ କ୍ଷେପଣ–ତା ପ୍ରତି ସହାନୁଭୂତି ଶୀଳ ମତ୍ତଗୁଞ୍ଜରକୁ ଚଞ୍ଚଳ କରିଥିଲା ।

 

ସେହି ସୌଦାମିନୀର ବାରି ବରଷା ଭିତରେ ହା ହୁତାଶ ତାକୁ ଘେନି ଯାଇଥିଲା କକ୍ଷଚ୍ୟୁତ କରି ମୁହୂର୍ତ୍ତକ ପାଇଁ–

 

ଅତଏବ ସହାନୁଭୂତି, ଅତି ସହାନୁଭୂତିରେ ଯେପରି ପରିଣତ ନ ହୁଏ । ଅତି ସହାନୁଭୂତି ଦୁର୍ବଳତାର ଚିହ୍ନ । ନିଜକୁ ସବୁବେଳେ ଜଗି ରଖିବ–ସବୁବେଳେ କ୍ଷୁରଧାରରେ ଚାଲିବ–ତାହାହେଲେ ନିଜର ଆତ୍ମାକୁ ସକଳ ବିପଦରୁ ରକ୍ଷା କରିପାରିବ ।

 

ଯାହାହେଉ ଏହିପରି ନିଜ ମଧ୍ୟରେ ସଂଗ୍ରାମ କରି କରି ଲୋକ ବୁଦ୍ଧତ୍ୱ ପ୍ରାପ୍ତ ହୁଏ ।

 

ଅନ୍ୟଉପାୟ ଆଉ କଣ ଅଛି ? ଶିଶୁ ଯେପରି ମନ୍ଦ କଥା ଶୁଣି ଶିଖେ, ତାର ଅର୍ଥ ଜାଣି ନ ଥାଏ, ପରେ ଜାଣେ ଏବଂ ପରେ ତାର ପ୍ରଭାବ ତ ମନ ଭିତରେ ପଡ଼େ । ସେହିପରି ପ୍ରତ୍ୟେକ ମନୁଷ୍ୟ ଅବସ୍ଥା ଓ ପାରିପାର୍ଶ୍ୱକୀର ପ୍ରଭାବରେ ପଡ଼ି ଭଲ ବା ମନ୍ଦ ହୁଏ । ସେଥିପାଇଁ ସବୁବେଳେ ସତ୍‌ସଙ୍ଗ ଆଡ଼କୁ ମନ ଦେବାକୁ ହେବ । ସତ୍‌ସଙ୍ଗ ଖୋଜିବାକୁ ହେବ । ତାହାହେଲେ ନୀଚତା, ଅଧମତାରୁ ଆପଣାକୁ ଉପରକୁ ଉଠାଇ ପାରିବ । କଠିନ ସତ୍ୟ କିନ୍ତୁ କଠିନକୁ ହାସଲ କଲେ ମନୁଷ୍ୟତ୍ୱ ବିକଶିତ ହେବ । ମନୁଷ୍ୟତ୍ୱ ବିକଶିତ ହେଲେ ମନୁଷ୍ୟ ଦିନେ ବୁଦ୍ଧତ୍ୱ ପ୍ରାପ୍ତ ହେବ ।

 

ମତ୍ତଗୁଞ୍ଜର ଜୀବନରେ ବଡ଼ ବଡ଼ ଲୋକଙ୍କ ଜୀବନୀ ଆଲୋଚନା କରେ । ସେ ଅନେକ ଜୀବନୀ ଆଲୋଚନାଦ୍ୱାରା ଆପଣାକୁ ଶୁନ୍ନତ ଓ ପ୍ରବୁଦ୍ଧ କରିଛି । କିନ୍ତୁ ସଙ୍ଗେ ସଙ୍ଗେ ଲୋକଙ୍କ ବଡ଼ ବଡ଼ ଜୀବନରେ ମଧ୍ୟ ଏହି sexର କଶାଘାତ ଦେଖି ସେ ଆଶ୍ଚର୍ଯ୍ୟାନ୍ୱିତ ହୋଇଯାଇଛି । ସକ୍ରେଟିସ୍‌ ତରୁଣ ସମାଜକୁ ଅଧଃପତିତ କରିବା ଅପରାଧରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । ସେଣ୍ଟ ଲୁଥର ବିରୁଦ୍ଧରେ କୁକୁରୀ ମୈଥୁନର ଅଭିଯୋଗ ଥିଲା । ପ୍ଲେଟୋ ପୁରୁଷ ପୁରୁଷ ପ୍ରେମକୁ ସ-ଗର୍ବରେ ସମର୍ଥନ କରୁଥିଲେ । ଗ୍ରୀକ୍‌ ମହିଳା ସ୍ୟାଫୋ ଗୋଟିଏ କୁମାରୀ ପ୍ରତି ଅନୁରକ୍ତ । ସେ ବିବାହ ହୋଇ ଯିବାରୁ ସ୍ୟାଫୋ ଆତ୍ମହତ୍ୟା କଲେ । ସେକ୍‌ସପୀଅରଙ୍କ ଶ୍ୟାମଳ ପିଲାଙ୍କ ପ୍ରତି ଚତୁର୍ଦ୍ଦଶ ସଦ୍ୟ କବିତା ତାଙ୍କ ଉପରେ ସମଜାତିକ ସଙ୍ଗମ ସନ୍ଦେହ ଅଣାଇଛି ।

 

ରାଣୀ ଏଲିଜାବେଥ ଅପରିଣତ ବୟସ୍କମାନଙ୍କୁ ଡାକି ଶଯ୍ୟାଶାୟୀ କରୁଥିଲେ । ଅଧିକାଂଶ ସ୍ଥଳରେ ତହିଁପରଦିନ ତାଙ୍କର ଶିରଚ୍ଛେଦ ହୁକୁମ କରୁଥିଲେ ।

 

ମେରୀ କୁଇନ ଅବ ସ୍କଟ୍‌ସ ବେତନଭୁକ୍‌ ଭୃତ୍ୟ ସହବାସ ପାଇଁ ରଖିଥିଲେ ।

 

ମରମନ ସଂପ୍ରଦାୟର କୌଣସି କୌଣସି ଧର୍ମଗୁରୁ ନାବାଳକ ନାବାଳିକାମାନଙ୍କର ଲିଙ୍ଗ ଲହନ କରୁଥିଲେ, ମୂତ୍ରପାନ କରୁଥିଲେ ।

 

ଗାବ୍ରିଏଲ ରସେଟି ଓ ତାର ଭଗିନୀ ତ୍ରିଶ୍ଚିନା ମଧ୍ୟରେ ଏବଂ ଡି, ଏଇଚ୍‌ ଲରେନ୍‌ସ ଆଉ ତାଙ୍କ ଜନନୀ ମଧ୍ୟରେ ଗୋଟିଏ ତୁରୀୟ ଧରଣର କାମଭାବ ବିଦ୍ୟାମାନ ଥିଲା । ରୁଶୋ ତାଙ୍କ ବିମାତା ସାଙ୍ଗରେ, ବାଇରଣ ତାଙ୍କର ବୈମାତ୍ରେୟ ଭଗିନୀ ସଙ୍ଗରେ ବ୍ୟଭିଚାର କରୁଥିଲେ ଏହା ସେମାନେ ସ୍ୱହସ୍ତରେ ସ୍ୱୀକାର କରିଛନ୍ତି । ଭଲଟେଆର ସାନ ପିଲାଙ୍କ ଫ୍ରକ ଦେଖିଲେ କାମାର୍ତ୍ତ ହେଉଥିଲେ । ଯୀଶୁଙ୍କ ଫ୍ରୟେଡ଼ପତ୍ନୀମାନେ ଇଡ଼ିପସ୍‌ଗ୍ରସ୍ତ ବୋଲି କହନ୍ତି ।

 

ପୁର ନାରୀର ସଙ୍ଗମରେ ଭାଗୀରଥର ଜନ୍ମ ସମଜାତିକ ମୈଥୁନର ଉଦାହରଣ । ମୋହିନୀ ବେଶଧାରୀ କୃଷ୍ଣଙ୍କୁ କୃଷ୍ଣ ବୋଲି ଜାଣି ମଧ୍ୟ ଶିବଙ୍କର କାମୋନ୍ମତ୍ତତା ପ୍ରକୃତରେ ପୁଂ ମୈଥୁନାସକ୍ତିର ରୂପକ ବ୍ୟାଖ୍ୟାନ ।

 

ଦୂରରୁ ଅନନ୍ତଯୌବନା କୁନ୍ତୀଙ୍କୁ ସରୋବରରେ ସ୍ନାନ କରିବାକୁ ଦେଖି ଯୁଧିଷ୍ଠିର କାମର୍ତ୍ତ ହୋଇଥିଲେ । ପରେ ମାତା ଜାଣିପାରି ଅନୁତପ୍ତ ହୋଇଥିଲେ ।

 

ଯମର ସହୋଦରା ଯମୀରେ ଉପରତ ହେବା, ‘ବେଦବ୍ୟାସର ଭ୍ରାତୃବଧୂଙ୍କର ଗର୍ଭସଞ୍ଚାର, ଇନ୍ଦ୍ରର ସହସ୍ର, ଯୋନି ଲାଭଟା ସିଫିଲିସ–ଏହିସବୁ କଥା ଭାବିଲେ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ହୁଏ । ବିଖ୍ୟାତ କବି ଜିମାରମ୍ୟାନ ଆଉ ଗ୍ରେଟା ଗର୍ବୋ ଉଲଙ୍ଗ ଉପନିବେଶର ମେମ୍ବର ଥିଲେ ।

 

ବାବିଲୋନରେ ରତି ଦେବୀର ନାମ ଥିଲା ମିଳିତ୍ତ । ସେହି ଦେବୀ ମନ୍ଦିରକୁ ଆସି ଦେଶର ପ୍ରତ୍ୟେକ ରମଣୀକୁ ଜୀବନରେ ଅନ୍ତତଃ ଥରେ କୌଣସି ଅଜ୍ଞାତ ପୁରୁଷ ନିକଟରେ ତାର ନାରୀତ୍ୱକୁ ଢାଳି ଦେବାକୁ ହେଉଥିଲା । ଭକ୍ତ କେହି ଟଙ୍କାଏ ଦୁଇଟଙ୍କା ଦେଇ ଯାହାକୁ ପସନ୍ଦ କରୁଥିଲେ, ଭୋଗ କରୁଥିଲେ । ଠିକ ଏହିପରି କ୍ୟାନ୍‌ଡ଼ିଆ, ସିରିଆ, ଆକ୍‌କଦିଅ, ପିନିସିଆ, ଆର୍ମିନିଆରେ ଦେବୀ ମନ୍ଦିରରେ ମଧ୍ୟ ହେଉଥିଲା ।

 

ପଞ୍ଚ ପାଣ୍ଡବ କ୍ଷେତ୍ରଜ ପୁତ୍ରଥିଲେ । କେଜି ଅର୍ଥାତ Knight of the grater ଏଡ଼୍‌ଓ୍ୟାର୍ଡ଼ ତୃତୀୟଙ୍କ ଖ୍ୟାତନାମୀ କାଉଣ୍ଟେସ ଅଫ୍‌ ସେଲିସବରିରେ ପ୍ରଣୟାସକ୍ତ ଥିଲେ ।

 

ସେ ନାଚୁ ନାଚୁ କୌପୀନଟି ବାହାରି ପଡ଼ିଲା । ସେହି କୌପୀନ ଆଜି ଗାର୍ଟାର ।

 

ପିଲାଦିନର କଥା । ମତ୍ତଗୁଞ୍ଜର ମାଇନର ସ୍କୁଲରେ ପଢ଼ୁଥିଲା । ସେହି ସମୟରେ ଅର୍ଥାତ୍‌ ୬୦ ବର୍ଷର ପୂର୍ବର କଥା, ସେ ୨ଟା ଚଉକୀ କିଣିଲା । ବଡ଼ ଆନନ୍ଦରେ ପାଠ ପଢ଼ୁଛି ଗୋଟିଏ ଚୌକୀ ଉପରେ ବସି–ସେହି ସମୟରେ ତାର ମାତା ଜଗଝମ୍ପା ଆସିଲା । ସେ ତା ମାକୁ ଆର ଚୌକୀରେ ବସିବାକୁ କହିଲା । ଜଗଝମ୍ପା ତତ୍‌କ୍ଷଣାତ୍‌ ରାଗିଗଲେ । ଆଉ କହିଲେ, ତୁ ମୋତେ କଣ ପାଇଲୁଣି କି ? ଚେୟାର ଉପରେ କିଏ ବସେ ଜାଣୁ ? ବେଶ୍ୟା ! ମତ୍ତଗୁଞ୍ଜର ଅବାକ୍‌ ହୋଇ ରହିଗଲା ।

 

ଏହାପରେ ମତ୍ତଗୁଞ୍ଜର ଏଣ୍ଟ୍ରାନ୍‌ସ ପାଶ୍‍ କରିଛି ଏବଂ କଲେଜକୁ ଆସିଛି । ସେଠି ବଙ୍ଗାଳୀ ପିଲାମାନେ ମତ୍ତଗୁଞ୍ଜର ସାଙ୍ଗରେ ଯୁକ୍ତିତର୍କ କରନ୍ତି । ଦିନେ ସେମାନେ କହିଲେ, ଓଡ଼ିଆ ବଡ଼ ଅଭଦ୍ର । ତାଙ୍କ ସ୍ତ୍ରୀ ଲୋକମାନେ କେବଳ ଖଣ୍ଡିଏ ଲୁଗା ପିନ୍ଧନ୍ତି ଆଉ ସେମିଜି ବା ଆଉ କିଛି ଅଙ୍ଗରେ ରଖନ୍ତି ନାହିଁ । ସେଥିପାଇଁ ସେମାନଙ୍କର ଛାତି ଇତ୍ୟାଦି ଦିଶିଯାଏ ।

 

ମତ୍ତଗୁଞ୍ଜର ମନେ ମନେ ଭାବୁଥାଏ, ଦୁଃଖ କରୁଥାଏ । ପୂଜା ଛୁଟି ହେଲା, ମତ୍ତଗୁଞ୍ଜର ଘରକୁ ଯିବ, କଟକରୁ ସେ ସେମିଜ କିଣି ନେଲା ସ୍ଥିରା ପାଇଁ । ଘରେ ସ୍ଥିରାକୁ ଦେଲା, ତାକୁ ପିନ୍ଧ ବୋଲି କହିଲା । ସ୍ଥିରା ସେମିଜ ପିନ୍ଧିବ ନାହିଁ । ମତ୍ତଗୁଞ୍ଜର ତାକୁ ବାଧ୍ୟ କରେଇଛି ପିନ୍ଧିବାକୁ ହେବ-। ଏହି ସମୟରେ ମତ୍ତରଗୁଞ୍ଜରର ମା ଜଗଝମ୍ପା ଆସି ପହଞ୍ଚିଲା–ସେ କହିଲା କାହିଁକି ଏପରି କଜିଆ କରୁଛ, କଣ ହୋଇଛି ?

 

ମତ୍ତଗୁଞ୍ଜର କହିଲା, ସେ ସେମିଜ ପିନ୍ଧୁ ନାହିଁ । ଜଗଝୁମ୍ପା କହିଲା–ନା, ସେ ତାକୁ ପିନ୍ଧିବ ନାହିଁ । ଏଟା କଣ ବେଶ୍ୟାଘର ହୋଇଛି ? ଆଉ ୨୦ ବର୍ଷ ପରେ ମତ୍ତଗୁଞ୍ଜର ଘରେ ଚୌକୀ ଅଛି । ମତ୍ତଗୁଞ୍ଜର ବସିଛି ଗୋଟିଏ ଚୌକୀରେ । ଜଗଝୁମ୍ପା ଆସି ଆଉ ଗୋଟିଏ ଚୌକୀରେ ବସିଲା । ମତ୍ତଗୁଞ୍ଜର ହାଁ ହା କଲା–ଚୌକୀରେ ବସ ନା । ତୁହି କହିଥିଲୁ ନା ଚୌକୀରେ ବସେ ବେଶ୍ୟା ।

 

ଜଗଝୁମ୍ପା କହିଲା ଆମେ କଣ ସେତେବେଳେ ଏତେ କଥା ଜାଣିଥିଲୁଁ ।

 

ଆଉ ୨୦ ବର୍ଷ ପରେ ମତ୍ତଗୁଞ୍ଜରର ପିଲାପିଲି ନାତିନାତୁଣୀ ଅନେକ ହୋଇଛନ୍ତି । ସେମାନଙ୍କର ଲୁଗା ପଟା–ସେମିଜ୍‌ ସାୟା, ଫ୍ରକ୍‌, ପେଟିକୋଟ, ପେନି, Breast tightener, Half pant, Full pant, necktie, Underwear, Jumper, bath towel, ଆହୁରି ଆହୁରି କେତେ-କେତେ ଯେ କେତେ–ସେ ସବୁ ସଫା କରିବା ପାଇଁ ପଇସା ଦରକାର, ମଣିଷ ଦରକାର–କିଣିବା ତ ରହିଛି ।

 

ପୁଣି ଆସୁଚି ଚକ୍ର ଘୁରି । ସ୍ଥାନେ ସ୍ଥାନେ Nude mens club, Nude women's club, mixed Nude men and women's club ଦେଖା ହେଲାଣି । ଏଣିକି ଜନ୍ମ ନିୟନ୍ତ୍ରଣ କରିବା ପାଇଁ କଲେଜ ପାଠୁଆ ଯୁବତୀମାନେ ସିରଞ୍ଜ steriliser, ଇତ୍ୟାଦି ବହି ସାଙ୍ଗେ ସାଙ୍ଗେ ନେଇ ଚାଲିଛନ୍ତି । ଏଣିକି କୃତ୍ରିମ ଉପାୟରେ ଜନ୍ମନିରୋଧ ଦରକାର, ନିଜେ କରାଉଛନ୍ତି । ଅଥଚ ଏହି କୃତ୍ରିମ ଉପାୟରେ ଜନ୍ମନିରୋଧ ଏକ ସମୟରେ ଥିଲା ଦଣ୍ଡନୀୟ । କାଳର ଚକ୍ର ଏହିପରି ସତ୍ୟ, ତ୍ରେତା, ଦ୍ୱାପର, କଳି ହୋଇ ଘୁରୁଛି ଏବଂ ନାନା ପରିବର୍ତ୍ତନ ଚାଲିଛି ।

 

ଯତୀନ୍ଦ୍ର ଆଉ ମତ୍ତଗୁଞ୍ଜର ପିଲା ଦିନର ସାଙ୍ଗ । ଏକ ସାଙ୍ଗରେ ସେମାନେ ହାଇ ସ୍କୁଲରେ ପଢ଼ୁଥିଲେ । ଏହି ସମୟରେ ବାଲେଶ୍ୱରରେ ଉତ୍କଳ ସମ୍ମିଳନୀ ହେଲା ଏବଂ ଏହି ଉତ୍କଳ ସମ୍ମିଳନୀ ଉପଲକ୍ଷରେ କଲିକତାରୁ Star Theatre ଆସିଲା । ନର ଓ ନାରୀରେ ଏହି ଥିଏଟର । ଆଜିକାଲି ଯେପରି ରହିଛି । ଯତୀନ୍ଦ୍ରର ବୟସ ୧୪ । Star Theatreରେ ଯେଉଁସବୁ ମହିଳା ବାଳିକା artist ଥିଲେ ସେମାନଙ୍କ ମଧ୍ୟରୁ କାହାରି କାହାରି ସାଙ୍ଗରେ ସୁପ୍ରକାଶର ପରିଚୟ ଥିଲା । ସୁପ୍ରକାଶ Greenroomକୁ ପଶିଗଲା । ସାଙ୍ଗରେ ଯତୀନ । ଦୁହିଙ୍କ ବେକରେ ମଲ୍ଲୀଫୁଲର ମାଳ । ଜଣେ ସ୍ତ୍ରୀ artist ସୁପ୍ରକାଶକୁ ଦେଖିଲାକ୍ଷଣି ସୁପ୍ରକାଶ ତା ବେକରେ ଗୋଟିଏ ମଲ୍ଲୀଫୁଲ ମାଳ ପିନ୍ଧାଇ ଦେଲା–ଯେଉଁଟା ସେ ନିଜେ ପିନ୍ଧିଥିଲା । ଆଉ ଗୋଟିଏ ନାରୀ artist ପାଖରେ ଥିଲା, ସେ ଯତନୀକୁ କହିଲା, ମୋତେ ଗୋଟିଏ ଫୁଲ ମାଳ ତୁମେ ପିନ୍ଧାଇବ ନାହିଁ ? ଯତୀନ ତା ବେକର ଫୁଲ ମାଳଟି ସେହି ଯୁବତୀ ବେକରେ ପକାଇ ଦେଲା ।

 

ସେ ଦିନ ଥିଏଟର ଦେଖିଲେ ସମସ୍ତେ । ଯତୀନ ଟିକିଏ ନାଚ ଗାନ ପ୍ରତି ଅନୁରକ୍ତ । ସେ ଯେତେବେଳେ ସେଠି ତାର artist ଯାହାକୁ ସେ ଫୁଲମାଳ ପିନ୍ଧାଇଥିଲା, ତାର ଗାନ ଶୁଣିଲା ଓ ନୃତ୍ୟ ଦେଖିଲା, ସେ ମୁଗ୍‌ଧ ହୋଇଗଲା । ଘରକୁ ଫେରିଆସି ସେ ମତ୍ତଗୁଞ୍ଜରକୁ ମତେଇଲା, ମତ୍ତ ଚାଲ ପଳେଇଯିବା କଲିକତାକୁ–ଏମାନଙ୍କ ସାଙ୍ଗରେ ରହିବା, ନାଚ ଓ ଗୀତ ଶିଖିବା ।

 

ମତ୍ତଗୁଞ୍ଜର ନାହିଁ କଲା । ଯତୀନ ପଳେଇ ଗଲା ଏବଂ ସେମାନଙ୍କର ଠିକଣା ଖୋଜି ଶେଷରେ ସେହି ବେଶ୍ୟାଘରେ ଉପନୀତ ହେଲା । ସେହିଠାରେ ସେ ରହିଲା ଆଉ ଫେରି ଆସିଲା ନାହିଁ । ୨/୪ ବର୍ଷ ପରେ ସେ ବାଲେଶ୍ୱରକୁ ଫେରିଲା । ସେତେବେଳକୁ ସେ ଖୁବ୍‍ ନାଚ ଶିଖିଛି, ଗୀତ ଶିଖିଛି ଆଉ ଖୁବ୍‍ ମଦଖିଆ ଶିଖିଛି ।

 

ଦିନେ ଆଲିବାବା ନାଟକରେ ସେ ନାଚିଲା ମର୍ଜିୟେନା ସାଙ୍ଗରେ ପିଚାକୁ ପିଚା ଯୋଡ଼ି ଦେଇ–ସେହି ନାଟକ ଦେଖିଥିଲା ତାର ବାପ ।

 

ସେ ଏହା ସହ୍ୟ କରି ପାରିଲା ନାହିଁ । ଶେଷରେ ତାକୁ ଚେଷ୍ଟାକରି ଜେଲରେ ପୁରଇଲା-। କିନ୍ତୁ ପରେ ସନ୍ତାପ କଲା ଏବଂ କୌଣସି ଉପାୟରେ ତାକୁ କିଛିଦିନ ପରେ ଜେଲରୁ ଖଲାସ କରି ଆଣିଲା ।

 

ଯତୀନ ଏଥର ପୁଣି ଗୃହତ୍ୟାଗୀ । ସେ ଏଥର ଗଲା ଗାଙ୍ଗପୁର (ଓଡ଼ିଶାର ଗଡ଼ଜାତ) । ସେଠି ତ ମଦ ବେଶ୍ୟା ଖୁବ୍‍ ଚାଲେ । ସେଠି ସେ ବିଭୋର ହେଲା ମଦଖିଆରେ ।

 

ଥରେ ଫେରି ଆସିଛି ବାଲେଶ୍ୱରକୁ । ମତ୍ତଗୁଞ୍ଜର ଆଉ ତାର ସାଙ୍ଗମାନେ ବୁଲୁଛନ୍ତି, ନାନା ଗଳ୍ପ କରୁଛନ୍ତି–ଆସିଲେ ଯତୀନ, ଟଳ ଟଳ ହୋଇ–ନିଶା ଖାଇଛି ।

 

ତାକୁ ଦେଖି ଦୁଃଖ ହେଲା । ତାକୁ ସମସ୍ତେ ପଚାରିଲେ ହଇରେ ଯତୀନ ତୁ କି ଆଉ ଫେରିପାରିବୁ ନାହିଁ ?

 

ଯତୀନ କହିଲା, ଦେଖ ମୁଁ ଗୋଟିଏ କୁଅ ଭିତରେ ପଡ଼ିଛି । ଉପରକୁ ଚାହିଁଲାବେଳକୁ ହତାଶ ହୋଇ ଯାଉଛି–ଉଠି ପାରିବି ନାହିଁ–ଏତେ ଉଚ୍ଚ ।

 

ବଡ଼ ଦୁଃଖ ହେଲା । ଯତୀନ ଗୀତ ଗାଇ ଗାଇ ଟଳି ଟଳି ଚାଲିଗଲା । ରାତି ଆଠଟାବେଳକୁ ମତ୍ତଗୁଞ୍ଜର ଯେଉଁଠି ପଢ଼େ ସେଇଠି ସରକାରୀ ମ୍ୟୁନିସିପାଲିଟି ନାଳରେ ପଡ଼ିଛି ଯତନୀ । ଗଁ ଗଁ ଗର୍ଜୁଛି । ମତ୍ତଗୁଞ୍ଜର ଡରରେ ତାକୁ ଛାଡ଼ି ଦେଇ ଶୋଇବା ଘରକୁ ଚାଲିଗଲା । ରାତିସାରା ଯତୀନ ସେହିଠି ପଡ଼ିଥାଏ । ସକାଳେ ଉଠି ମତ୍ତଗୁଞ୍ଜର ସେହିଠିକି ଗଲା–ଯତୀନ କହିଲା, ଭାଇ, ଟିକିଏ ଉଠେଇ ଦେ । ମତ୍ତଗୁଞ୍ଜର ଉଠେଇ ଦେଲା, ଯତୀନ ଟଳମଳ ହୋଇ ଗୀତ ଗାଇ ଗାଇ କୁଆଡ଼େ ପୁଣି ଚାଲିଗଲା ।

 

ସେ ଯତୀନ ଆଜି କୁଆଡ଼େ କାଳଗର୍ଭରେ ଲୁଚି ଯାଇଛି । ମାତ୍ର ମତ୍ତଗୁଞ୍ଜର ସେହି ବେଶ୍ୟା ହସ୍ତରୁ ଓ ନିଶା ହସ୍ତରୁ ରକ୍ଷା ପାଇଥିଲା ।

 

ମତ୍ତଗୁଞ୍ଜର ପିଲାଟି ଦିନେ ଭଲ ପଢ଼ୁଥିଲା । କ୍ଲାସରେ ଫାଷ୍ଟ ସେକେଣ୍ଡ ହେଉଥିଲା । କିନ୍ତୁ ପଢ଼ିବାର ସମୟ ତାର ଅଳ୍ପ । ଅନ୍ୟ ପିଲାଙ୍କ ସାଙ୍ଗରେ ଖେଳରେ ସେ ପ୍ରମତ୍ତ ମଧ୍ୟ ହେଉଥିଲା । ତାହାଛଡ଼ା ମତ୍ତଗୁଞ୍ଜରର ନିଶା ଥିଲା ପାରା ଉଡ଼େଇବା, ଗୁଡ଼ି ଉଡ଼ାଇବା ପହଁରିବା, ଦୌଡ଼ିବା, ଦୂର ଦୂର ସ୍ଥାନକୁ ଚାଲିଯିବା ।

 

ମତ୍ତଗୁଞ୍ଜରର ଜଣେ ସାଙ୍ଗ ଥିଲା ତାର ନାମ ସୁରେଶ । ସୁରେଶ ସେପରି ଦୁଷ୍ଟ ନୁହେ ତେବେ ଚଗଲା । ସୁରେଶ ଆଉ ମତ୍ତଗୁଞ୍ଜର ଏକ ସାଙ୍ଗରେ ସିଗାରେଟ ଖାଆନ୍ତି । ମତ୍ତଗୁଞ୍ଜର ଦୋକାନରୁ ପଇସା ଚୋରି କରି ଆଣେ । ସେହି ପଇସାରେ ସିଗାରେଟ ଖିଆ, ହୋଟେଲକୁ ଯାଇ ମାଉଁଶ ଖାଇବା, ଗୁଡ଼ି ଉଡ଼ାଇବା ଇତ୍ୟାଦି ହୁଏ ।

 

ଅଷ୍ଟମ ଶ୍ରେଣୀର ପୁରସ୍କାର ବିତରଣୀ ସଭା । ମତ୍ତଗୁଞ୍ଜର ଗୋଟିଏ Good Conduct Prise ପାଇଛି । ସୁରେଶ ତାକୁ ଚିଗୁଲେଇଲା । ମତ୍ତଗୁଞ୍ଜର କାନ୍ଦି କାନ୍ଦି ଅସ୍ଥିର । ସେ ତିନିଦିନ ଭାତ ଖାଇ ନାହିଁ । ତା ପରେ ସେ ଆଜୀବନ ସିଗାରେଟ ଖିଆ ଛାଡ଼ିଦେଲା ।

 

ମତ୍ତଗୁଞ୍ଜର ପହଁରିବାରେ ଭାରି ପାରଙ୍ଗମ । ପୁରୀ ସମୁଦ୍ରରେ ୬।୭ ମାଇଲ ପହଁରୁଥିଲା । ଦିନକର ଘଟନା । ଅବନ୍ତିକା ଆସିଛି ମତ୍ତଗୁଞ୍ଜରର ବନ୍ଧୁର ବାନ୍ଧବୀ । ଅବନ୍ତିକାକୁ ନେଇ ମତ୍ତଗୁଞ୍ଜର ପୁରୀ ଯାଇଛି । ସେଠି ପୁରୀ ସୁମଦ୍ରରେ ତାହାର ପହଁରିବାର ବାହାଦୂରି ଦେଖାଇବ । ବହୁଦୂର ଚାଲିଗଲା । ତା ପରେ ଫେରିଆସି ମତ୍ତଗୁଞ୍ଜର ପଚାରିଲା, ଦେଖି ପାରିଲ ମୁଁ କେତେଦୂର ଯାଇଥିଲି ? ସେ କହିଲା ନା । ଏଥିରେ ମତ୍ତଗୁଞ୍ଜର ବଡ଼ ବିଷର୍ଣ୍ଣ ହୋଇ ଉଠିଲା, ପୁଣି କହିଲା ଆଛା, ଏଥର ମୁଁ ବରାବର ଗାମୁଛା ହଲେଇବି ତୁମେ ନଜର କରିବ । ବହୁଦୂର ଯାଇଛି–ମତ୍ତଗୁଞ୍ଜର ଗାମୁଛା ହଲେଇଲା, ସମୁଦ୍ର ତୀରରେ ଜଣେ ଦୂରବୀକ୍ଷଣ ଯନ୍ତ୍ର ନେଇ ଦେଖୁଥିଲା । ହାତ ହଲା ଦେଖିଲାରୁ ଭାବିଲା ଲୋକଟି ସାହାଯ୍ୟ ପ୍ରାର୍ଥୀ । ତେଣୁ ସେ ହୁରି ପକାଇଲା । ନୁଳିଆମାନେ ଶାଗୁଣା ପରି ଦଉଡ଼ିଲେ । ମତ୍ତଗୁଞ୍ଜର ଦେଖିଲା ଯେ ତା ଆଡ଼କୁ ସାମ୍ନା କରି ଏମାନେ ଆସିଛନ୍ତି । ମତ୍ତଗୁଞ୍ଜର ଏମାନଙ୍କୁ ଦେଖି ଆହୁରି ଭିତରକୁ ପ୍ରବେଶ କଲା । ଶେଷରେ ବହୁଦୂର ଯାଇ ଗୋଟିଏ ଦୀର୍ଘବୃତ୍ତ କଲା ପରି କଲା ।

 

ନୂଳିଆମାନେ ଛାଡ଼ନ୍ତି ନାହି–ମତ୍ତଗୁଞ୍ଜରର ପଛେ ପଛେ ମତ୍ତଗୁଞ୍ଜର ଆଡ଼କୁ ଧାଉଁଛନ୍ତି-। ୬୮ ଜଣେ ସେମାନେ । ଜାଲ ପକାଇଲା ପରି ସେମାନେ ଘେରି ଗଲେ । କୂଳ ପାଖ ପାଖ ହୋଇଛି ସେମାନେ ଚିତ୍‌କାର କଲେ, ବାବୁ ଟ୧୦ଙ୍କା ଇନାମ ମିଳିବ । ମତ୍ତଗୁଞ୍ଜର କ୍ରୁଦ୍ଧ ହୋଇ ଉଠିଲା । ସେମାନେ ହାତ ଧରିବାକୁ ଗଲାରୁ, ମତ୍ତଗୁଞ୍ଜର ହାତ ଛିଞ୍ଚଡ଼ି ଦେଲା କିନ୍ତୁ କୂଳର ଲୋକ ବୁଝିଲେ ନାହିଁ, ମତ୍ତୁଗୁଞ୍ଜରକୁ ଗାଳି ଦେଲେ ତାର ଅସମ ସାହସ ପାଇଁ । ନୂଳିଆମାନେ ବୁଝିଲେ, କଥାଟା କିନ୍ତୁ କହିଲେ, ହଉ ବାବୁ ଆଉଦିନେ ଫେର ଦେଖିନେବା–କାରଣ ମତ୍ତଗୁଞ୍ଜର ହାରି ନାହିଁ-। ସେ ଇନାମ ଦେବାକୁ ଯିବ କାହଁକି ?

 

ମତ୍ତଗୁଞ୍ଚର ପିଲାଟି ଦିନେ ତା ଅଜା ପାଖରେ ଥାଏ । ଅଜା ତାର ନଲକୁରରେ toll Collecter. ମତ୍ତଗୁଞ୍ଜର ଆଉ ତା ମା ଯାଇଛନ୍ତି ନଲକୁଲ । ସେଠାରେ କେଉଁ କଥାରେ ସେ ଜିଦ୍‌ଧରିଲା ଆଉ ରାଗରେ ଗୋଟିଏ କିରାସିନି ତେଲ ଟିଣ ସେଥିରେ କିରାସିନି ଭର୍ତ୍ତି ହୋଇଥିଲା ତାକୁ ଗଡ଼େଇ ଦେଲା । ମତ୍ତଗୁଞ୍ଜରର ଅଜା ଚିତ୍ତଭାନୁ ଏହା ଦେଖି ମତ୍ତଗୁଞ୍ଜରର ମା’କୁ କହିଲା ଦେଖ, ତୋପୁଅ କେଡ଼େ ରାଗୀ ହେବ । ସତକୁ ସତ ମତ୍ତଗୁଞ୍ଜର ଜୀବନ ଭରି ରାଗୀ । ଏହି ରାଗ ତାର ବଡ଼ ଖରାପ । ଏହି ରାଗରେ ସେ ଘରେ ଅନେକ ପ୍ରଳୟ ସୃଷ୍ଟି କରିଛି । ମତ୍ତଗୁଞ୍ଜର ଅଳ୍ପ ବୟସରେ ତାର କନ୍ୟାର ବିବାହ ଦେବ ନାହିଁ, ଅଥଚ ମତ୍ତଗୁଞ୍ଜରର ମା ଆଉ ଅନ୍ୟାନ୍ୟମାନେ ଦୃଢ଼ପ୍ରତିଜ୍ଞା ତାର ବିବାହ ଦେବେ । ସେଥିରେ ବଚସା ହେଉଁ ହେଉଁ ମତ୍ତଗୁଞ୍ଜର ଏତେ କ୍ରୁଦ୍ଧ ହୋଇଗଲା ଯେ ସେ କୂଅ ପାଖରେ ଛିଡ଼ା ହୋଇଥିଲା–ହଠାତ୍‌ କୁଅରୁ ବାଲତି ବାଲତି ପାଣି ଟାଣି ଗାଧୋଇ ହେଲା–ସମୟ ସଂଧ୍ୟା । ସମସ୍ତେ ଡରିଗଲେ । ଯେତେ ଯେତେବେଳେ ମତ୍ତଗୁଞ୍ଜର କୌଣସି ନୈତିକ ଦୁର୍ବଳତା ହେଲା ବୋଲି ଦେଖା ଯାଇଛି, ସେତେବେଳେ ସେ ଆତ୍ମହତ୍ୟା କରିବାକୁ ମନ ବଳାଇଛି । କେବଳ ଏତିକି ନୁହେଁ–ଜ୍ଞାନରେ, ଗୁଣରେ, କେତେବେଳେ ନିଜକୁ କମ ଦେଖିଲେ, ସେ ଆଉ ବଞ୍ଚି ରହିବାକୁ ଇଚ୍ଛା କରିନାହିଁ–ପ୍ରାଣ ହରାଇବାକୁ ଇଚ୍ଛା କରିଛି ।

 

ମତ୍ତଗୁଞ୍ଜର କଲେଜ ଯେତେବେଳେ ଗଲା, ସେହି ସମୟରେ ଦିନେ ସେ ପୂଜା ଛୁଟିରେ ଘରକୁ ଆସିଛି । ଦଶହରା ଦିନ ଶାଶୁ ଶ୍ୱଶୁରକୁ ଜୁହାର ହେବା ପାଇଁ ମତ୍ତଗୁଞ୍ଜରର ମା ତାକୁ କହିଲା । ସେ ବିଛଣାରେ ଘାଲେଇ ଥାଏ । ଶ୍ୱଶୁର ଘରକୁ ଯାଇ ସେମାନଙ୍କୁ ପ୍ରଣାମ କରିବାକୁ କିପରି ଲାଜ ଲାଜ ଲାଗୁଥାଏ । ଏଣେ ମତ୍ତଗୁଞ୍ଜରର ମା ଜଗଝମ୍ପା ରାଗି ଅସ୍ଥିର–ସେ କହିଲା, ପାଠପଢ଼ି ଯେ ଗୁରୁଜନମାନଙ୍କୁ ନମସ୍କାର କରିବାକୁ କୁଣ୍ଠା ପ୍ରକାଶ କରେ, ତା ପାଠପଢ଼ାରେ ମୁ ମୁତିଦିଏଁ । ଏତିକିରେ ମତ୍ତଗୁଞ୍ଜର ରାଗରେ ତମ ତମ ହୋଇ ଘରୁ ବାହାରି ପଡ଼ିଲା । ସାମନାରେ ଦେଖିଲା–ଟୋପିଆ ହାଡ଼ି ଯେ ତାକୁ ଫୁଙ୍କା ଝଡ଼ା କରେ–ତା ଗୋଡ଼ତଳେ ପଡ଼ିଗଲା ।

 

ପ୍ରକାଣ୍ଡ ମଣିଷ ଏହି ଗୋପିଆ ହାଡ଼ି । ତାର ଗୋଡ଼ତଳେ ଯେତେବେଳେ ପଡ଼ିଗଲା, ଗୋପିଆ ତାକୁ ଆଶୀର୍ବାଦ କଲା, ତୋର କୋଟି ପରମାୟୁ ହେଉ ।

 

ଏଣେ ମା ବାପ ଦଉଡ଼ି ଆସି ଦେଖିଲେ, କି ଅବସ୍ଥା । ମତ୍ତଗୁଞ୍ଜରର ମା ମତ୍ତଗୁଞ୍ଜରକୁ କହିଲା (ଗୋପିଆ ବାହାରି ଯିବାପରେ) ‘‘ତୋତେ ହାଡ଼ିଟା ଗୋଡ଼ତଳେ ପଡ଼ିବାକୁ କହିଥିଲି ନା-?’’ ମତ୍ତଗୁଞ୍ଜର କହିଲା ଖାଲି ହାଡ଼ି ନୁହେ, ହାଡ଼ିଆଣୀ ଗୋଡ଼ତଳେ ମଧ୍ୟ ପଡ଼ିବି ।’’ ସେଦିନ ସକାଳୁ ରାତି ଦଶଟା ପର୍ଯ୍ୟନ୍ତ ମତ୍ତଗୁଞ୍ଜର ଯାହାକୁ ପାଇଛି ତା ଗୋଡ଼ତଳେ ପଡ଼ିଛି । ଦଶହରା ଦିନ । ବଡ଼ବଡ଼ିକିଆ ତାକୁ କୋଳରେ ଟାଣି ନେଇ, ଆଶୀର୍ବାଦ କରିଛନ୍ତି । ସେହି ଦିନୁ ମତ୍ତଗୁଞ୍ଜରର ମନରୁ ହାଡ଼ି ପାଣ ମୁସଲମାନ ଏହିପରି ଭାବ, ଛୋଟ ଭେଦଭାବ ଏକାବେଳେକେ ଦୂର ହୋଇଗଲା ।

 

ମତ୍ତଗୁଞ୍ଜରର ଜୀବନ ଶେଷ ହୋଇ ଆସିଲା । ସାହେବଙ୍କୁ ମାରିବା–ଦେଶାତ୍ମବୋଧରେ ଦୁଃଖ ଭୋଗ କରିବା, ଏହି ଦେଶକୁ ସୁନ୍ଦର କରିବା–ଏହିଦେଶରୁ ନିଶା ବେଶ୍ୟା ଦୂର କରିବା–ଏହି ଦେଶର ଭାଷାକୁ ସମୃଦ୍ଧ କରିବା–ଏହି ଦେଶର ଲୋକଙ୍କୁ ଭଲ ପାଇବା–ଏହି ଦେଶର ସାହିତ୍ୟର ଶ୍ରୀବୃଦ୍ଧି କରିବା ଇତ୍ୟାଦିରେ ସେ ଜୀବନ କଟାଇଲା–ପୁଣ୍ୟର ଆଲୋକ ଭିତରେ ଆପଣାକୁ ଭରି ରଖିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ବଉଦ ଦେଖା ଦେଇଛି । ମତ୍ତଗୁଞ୍ଜର କେତେ କେତେବେଳେ ଇତସ୍ତତଃ ହୋଇଛି–

 

ନଦୀର ସ୍ରୋତ ବାଧା ପାଇ ପାଇ ଯେପରି ସାଗର ସଂଗମକୁ ଧାଉଁଥାଏ ସେହିପରି ମତ୍ତଗୁଞ୍ଜରର ଜୀବନ ସେହି ଅନାଦି ଅନନ୍ତ ଶାଶ୍ୱତ ଭିତରେ ମିଳିଯିବା ପାଇଁ ଚାଲିଛି-

 

ଦୁଃଖ ଶୋକ ଦାରିଦ୍ର୍ୟ ବେଦନା ଏସବୁ ଭିତର ଦେଇ ସେ ସାହସୀ ସୈନିକ ପରି ଗତି କରିଛି । କେତେବେଳେ ଆହତ, କେତେବେଳେ କ୍ଷତ, କେତେବେଳେ ମହାବିପଦଗ୍ରସ୍ତ । ଏସବୁ ହୋଇଛି କିନ୍ତୁ ଜୀବନକୁ ଛାଡ଼ି ପଳାଇ ଯାଇ ନାହିଁ । ଯେଉଁ ଜାଗାରେ ତାର ଅଭିଳାଷ ପୂର୍ଣ୍ଣ ହୋଇନାହିଁ ସେହିଠାରେ ସେ ଆପଣଙ୍କୁ ଦୁଃଖିତ ମନେକରିଛି–

 

କିନ୍ତୁ ଉପାୟ ନାହିଁ । ଜୀବନ, ଜୀବନ । ସୁଖ, ଦୁଃଖ ସୃଷ୍ଟ ଅସୃଷ୍ଟି, ପାପ ପୁଣ୍ୟ ଭିତର ଦେଇ ଗତି କରିବାକୁହିଁ ହେବ । ତାହାହିଁ ମତ୍ତଗୁଞ୍ଜର କରିଛି । ଆଜି ସେ ଶାଶ୍ୱତକୁ ଆଶ୍ରୟ କରିଛି, ସେ ଚିନ୍ତା କରୁଛି ସକଳର ମଙ୍ଗଳ ପାଇଁ–ଆଜି ଅନ୍ତରରେ ବିରୋଧ ନାହିଁ, ସାହେବ ଆଉ ଦେଶି ଘେନି–ଆଜି ଅନ୍ତରରେ ବିରୋଧ ନାହିଁ ପୁରୁଷ ଓ ସ୍ତ୍ରୀ ଘେନି–ଆଜି ବିରୋଧ ନାହିଁ । ସମସ୍ତଙ୍କ ପାଇଁ ଶାନ୍ତି ଉଚ୍ଚାରଣ କରିବାକୁ ଚାହେ ।

 

ଆକାଶରେ ତାରା ଫୁଟି ରହିଛି, କେତେ କେତେବେଳେ ମେଘର ଉହାଡ଼ରେ ଲୁଚି ଯାଉଛି–ଜୀବନ ଏହିପରି, ମତ୍ତଗୁଞ୍ଜର ଛପି ଯିବ କିନ୍ତୁ ପୁଣି ଦେଖା ଦେବ–ପୁଣି ଉଠିବ ସେ ଏହି ମହୀ ଉପରେ, ଆପଣାର କାର୍ଯ୍ୟର ପୂର୍ଣ୍ଣତାର ଆରମ୍ଭ କରିବା ପାଇଁ । ହୁଏତ ଆଗାମୀ ଥର ମତ୍ତଗୁଞ୍ଜର ତାର ଜୀବନର ହିସାବ ସୁନ୍ଦରତର ଭାବରେ ଦେଇ ପାରିବ–ଏହି ଆଶା, ଏହି ବିଶ୍ୱାସ ତାକୁ ଆଶ୍ୱସନା ଦେଇଛି ।

Image